ଧନୁପାଲି – ଧମା ରାସ୍ତା ଖୋଳିବାକୁ ନାଗରିକ ସମନ୍ୱୟ ସମିତିର ବିରୋଧ

ସମ୍ବଲପୁର: ସମ୍ବଲପୁରରୁ ପଡୋଶୀ ଜିଲା ସୁବର୍ଣ୍ଣପୁରକୁ ଯାଇଥିବା ରାସ୍ତାକୁ ସ୍ୱେରେଜ ବୋର୍ଡର କାର୍ଯ୍ୟ ନିମନ୍ତେ ଖୋଳି ଦିଆଯାଇ ଧ୍ୱସ୍ତବିଧ୍ୱସ୍ତ କରି ଦିଆଯାଇଛି। ଏଣୁ ଧନୁପାଲି, ଭତରା, ଗୋବିନ୍ଦତୋଲା, ପୁଟିବନ୍ଧ ଆଦି ଅଞ୍ଚଳକୁ ନେଇ ଗଠିତ ନାଗରିକ ସମନ୍ୱୟ ସମିତି ଏହାର ତୀବ୍ର ବିରୋଧ କରିବା ସହିତ ଅନେକ ବାର ଆନ୍ଦୋଳନ, ଧାରଣା ପ୍ରଦର୍ଶନ, କତ୍ତୃପକ୍ଷଙ୍କ ସହିତ ଆଲୋଚନା ଆଦି ବିଭିନ୍ନ ଦିଗରୁ ଉଦ୍ୟମ କରିବା ପରେ ନିକଟ ଅତୀତରେ ଏହି ବ୍ୟସ୍ତବହୁଳ ରାସ୍ତାର ଆଂଶିକ ମରାମତି କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ରାସ୍ତା ମରାମତି ହେବାରୁ ଏକ ମାସ ମଧ୍ୟ ଯାଇ ନ ଥିବା ବେଳେ କୌଣସି ଏକ କମ୍ପାନୀର କେବୁଲ ତାର ଭୂତଳରେ ବିଛାଇବା ନିମନ୍ତେ ପୁଣି କଂକ୍ରିଟ ରାସ୍ତା ଉପରେ ବିରାଟ ଗର୍ତ୍ତ ମାନ ଖୋଳିବା ଆରମ୍ଭ କରାଯାଇଛି।
ଏହାକୁ ନାଗରିକ ସମନ୍ୱୟ ସମିତି ତୀବ୍ର ବିରୋଧ କରିବା ସହିତ କହିଛି ଯେ ପୁର୍ନବାର ରାସ୍ତାରେ ଗର୍ତ୍ତ ଖୋଳିବା ଦ୍ୱାରା ସାଧାରଣ ଜନତାଙ୍କ ପାଇଁ ବିପଦ ସୃଷ୍ଟି ହେଉଛି। କୌଣସି ପ୍ରକାରର ବ୍ୟାରିକେଡ ନ ଦେଇ କିଛି ଡାଳ ପତ୍ର ଦେଇ ଗାତ କରି ଛାଡି ଦିଆଯାଉଥିବାର ଦୁର୍ଘଟଣାର ଆଶଙ୍କା ଲାଗି ରହିଛି ଏବଂ ରାସ୍ତା ମଧ୍ୟ ଅବରୁଦ୍ଧ ହୋଇ ବିପର୍ଯ୍ୟସ୍ତ ହେଉଛି। ଅନେକ ସମୟରେ କାର୍ଯ୍ୟ ଶେଷ ପରେ ରାସ୍ତାକୁ ପୁର୍ବବତ ନ କରି କେବଳ ମାଟି ପୋତି ଦେଇ କାମ କରୁଥିବା ସଂସ୍ଥା / ଠିକାଦାର ମାନେ ଛାଡି ଦେଉଛନ୍ତି। ଏହା ସହିତ ଅସାବଧନତାର ସହିତ ଗାତ ଖୋଳା ଯାଉଥିବାରୁ ପାନୀୟ ଜଳ ପାଇପ ଫାଟଯାଉଛି। ବିଭାଗ ମାନଙ୍କ ମଧ୍ୟରେ କାର୍ଯ୍ୟ ଗୁଡିକର ସମନ୍ୱୟ ରହୁ ନ ଥିବା ବେଳେ ମନଇଚ୍ଛା ଓ ନିମ୍ନମାନର କାର୍ଯ୍ୟ କରାଯାଉଥିବାରୁ ସରକାରୀ ରାଜକୋଷରୁ ଅଯଥାରେ ଅର୍ଥ ଅପବ୍ୟୟ ହେଉଛି। ଯାହାକି ଜନତାଙ୍କ ସୁବିଧା ଅପେକ୍ଷା ବେଶ ଅସୁବିଧା ସୃଷ୍ଟି ହେଉଛି। ଏଣୁ ତୁରନ୍ତ ଏଭଳି କାର୍ଯ୍ୟ ଗୁଡିକର ତଦନ୍ତ କରାଯାଇ ବାରମ୍ବାର ରାସ୍ତାଖୋଳା ଓ ସରକାରୀ ଅର୍ଥ ଅପଚୟକୁ ରୋକିବା ପାଇଁ ନାଗରିକ ସମନ୍ୱୟ ସମିତିର ସଭାପତି ରାଜେନ୍ଦ୍ର କୁମାର ପଣ୍ଡା ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।
No comments