Header Ads

Header ADS

ସମ୍ବଲପୁରରେ ଦେଶୀ ପିସ୍ତଲ ନିର୍ମାଣକର୍ତ୍ତା ଗିରଫ, ଅର୍ଦ୍ଧ ନିର୍ମିତ ପିସ୍ତଲ ଜବତ

ସମ୍ବଲପୁର: ସମ୍ବଲପୁରରେ ଆଇନ ଶୃଙ୍ଖଳା ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ସାରିଥିବା ବେଳେ ଅନେକ ଦିନରୁ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଚାଲୁଥିବାର ଅଭିଯୋଗ ମଧ୍ୟ ହୋଇ ଆସୁଛି। ଏଭଳି ସ୍ଥଳରେ ସମ୍ବଲପୁରରେ ଦେଶୀ ପିସ୍ତଲ ନିର୍ମାଣକାରୀ କାରାଖାନାକୁ ଠାବ ହୋଇଥିବାର ଜଣାପଡ଼ିଛି। ପୁଲିସର ସୂଚନାନୁଯାୟୀ, ଶନିବାର ନକ୍ସାପାଲି ସ୍ଥିତ ପରିବହନ କାର୍ଯ୍ୟାଳୟ ନିକଟରେ ଥିବା ଜାତୀୟ ରାଜପଥ ସଂଖ୍ୟା ୫୫ର କଡରେ ଏକ ବ୍ୟକ୍ତି ଅବୈଧ୍ୟ ଭାବରେ ଦେଶୀ ପିସ୍ତଲ ନିର୍ମାଣ କରି ବିକ୍ରି କରୁଥିବାର ବିଶ୍ୱସ୍ତସୂତ୍ରରୁ ଖବର ମିଳିଥିଲା।

ଏଣୁ ଶନିବାର ପୁଲିସର ଏକ ଦଳ ନକ୍ସପାଲି ଦେଇ ଯାଇଥିବା ଜାତୀୟ ରାଜପଥ କଡରେ ରହିଥିବା ଏକ କେବିନ ଦୋକାନ ଉପରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଏକ ଅର୍ଦ୍ଧନିର୍ମିତ ଦେଶୀ ପିସ୍ତଲ ଜବତ କରାଯିବା ସହିତ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ଜବତ କରିଛି। ଚଢ଼ଉ ସମୟରେ ପୁଲିସକୁ ଉକ୍ତ ଦୋକାନରୁ ଏକ ଅର୍ଦ୍ଧନିର୍ମିତ ଦେଶୀ ପିସ୍ତଲ, ଗୋଟିଏ ଟ୍ରିଗର, ଗୋଟିଏ ଅଧା ବ୍ୟାରେଲ, କିଛି ନଟ ଓ ବୋଲ୍ଟ, ସ୍କୃ ଡ୍ରାଇଭର, ୨ଟି ଆରୀ ବ୍ଲେଡ, ଗୋଟିଏ ମେଟାଲ ପଲିସ, ଦୁଇଟି ପ୍ଲାସ ଏବଂ ଏକ ଡ୍ରିଲ ଯନ୍ତ୍ର ପାଇଛି। ଏ ସର୍ମ୍ପକରେ ଧନୁପାଲି ଥାନାରେ ମାମଲା ସଂଖ୍ୟା ୨୧/୨୦୨୨ ରୁଜୁ କରି ନକ୍ସାପାଲି ନିବାସୀ ଅଭିଯୁକ୍ତ ଅନୁଜ ସିଂ (୪୧) ଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ପୁର୍ବ ଅପରାଧିକ ଗତିବିଧି ଓ ଅନ୍ୟାନ୍ୟ ଦିଗରୁ ଯାଞ୍ଚ କରାଯାଉଥିବା ବେଳେ ଅଭିଯୁକ୍ତକୁ ଆଜି ଅଦାଲତକୁ ଚାଲାଣ କରାଯାଇଛି ବୋଲି ଧନୁପାଲି ଥାନାଧିକାରିଣୀ ଅନୀତା ପ୍ରଧାନ ଜଣାଇଛନ୍ତି। ତେବେ ଦେଶୀ ପିସ୍ତଲ କାରଖାନା ଠାବ ହେବା ଘଟଣାକୁ ନେଇ ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି।



No comments

Powered by Blogger.