ଚିକିତ୍ସାରେ ଅବହଳୋ ଯୋଗୁଁ ଆଶାକର୍ମୀଙ୍କ ମୃତ୍ୟୁ ଅଭିଯୋଗ

ଧର୍ମଗଡ଼: ଧର୍ମଗଡ଼ ଠାରେ ଜଣେ ଆଶାକର୍ମୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ଚିକିତ୍ସାରେ ଅବହେଳା ଯୋଗୁଁ ଆଶାକର୍ମୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଆଶାକର୍ମୀ ସଂଘ ଦ୍ୱାରା ଧର୍ମଗଡ଼-ରାୟପୁର ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା। ମୃତ ଆଶାକର୍ମୀଙ୍କୁ କରୋନା ଯୋଦ୍ଧା ହିସାବରେ ୫୦ଲକ୍ଷ ଟଙ୍କା କ୍ଷତି ପୂରଣ, ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ୩ ଲକ୍ଷ ଟଙ୍କା ବୀମା ରାଶି ପ୍ରଦାନ, ମୃତ ଆଶାକର୍ମୀଙ୍କ ଦୁଇ ପୁତ୍ରକୁ ଆଶୀର୍ବାଦ ଯୋଜନରେ ସାମିଲ ସହ ତାଙ୍କ ସ୍ୱାମୀଙ୍କୁ ନିଯୁକ୍ତି ଆଦି ପ୍ରଦାନ ଦାବୀରେ ପ୍ରାୟ ୪ଘଣ୍ଟା କାଳ ଆଶାକର୍ମୀମାନେ ରାଜପଥ ଅବରୋଧ କରିଥିଲେ।
ଘଟଣାରୁ ପ୍ରକାଶ ଯେ ତେଣ୍ଡାପାଲିର ସୁମିତ୍ରା ରାଉତ ନାମ୍ନୀ ଜନୈକା ଆଶାକର୍ମୀଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ୨୧ ତାରିଖ ଦିନ ତାଙ୍କୁ ପ୍ରଥମେ ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ପର୍ଲାରୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା ଏବଂ ରାତି ୧ଟାରେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ରାତି ୩ଟାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଧର୍ମଗଡ଼ରେ ରହିବା ସମୟ ମଧ୍ୟରେ ଥରେ ବି ତାଙ୍କୁ ପ୍ରସୁତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଦେଖିନଥିଲେ। ଯଦିଓ ଏଠାରେ ଜଣେ ନାଁକରା ପ୍ରସୁତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ନିଯୁକ୍ତି ହୋଇଛନ୍ତି। ଏହା ସହ ଉକ୍ତ ଡାକ୍ତର ଜଣକ ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀ ଭାବେ ମଧ୍ୟ ଅବସ୍ଥାପିତ ହୋଇଛନ୍ତି। କିନ୍ତୁ ସେ ଧର୍ମଗଡ଼ରେ ନରହି ଜୁନାଗଡ଼ରେ ରହୁଥିବାରୁ ଏଠାରେ ପ୍ରସୁତି ଓ ଗର୍ଭବତୀ ମହିଳାଙ୍କ ଚିକିତ୍ସାରେ ଅନେକ ସମୟରେ ଅବହେଳା ହେଉଥିବା ଚିତ୍ର ସାମ୍ନାକୁ ଆସେ।
ଆଶାକର୍ମୀଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭବାନିପାଟଣାରୁ ଶବ ଆଣି ଧର୍ମଗଡ଼ ଡାକ୍ତରଖାନା ସାମ୍ନାରେ ରଖି ଡାକ୍ତରଙ୍କ ଚିକିତ୍ସାରେ ଅବହେଳାର ପ୍ରତିବାଦ କରିଥିଲେ। ଖବର ପାଇ ଘଟଣାସ୍ଥଳକୁ ଆସି ପରିବାର ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଘଉଡାଇ ଦେଇଥିଲା। ତେବେ ଚିକିତ୍ସାରେ ଅବହେଳା ଯୋଗୁଁ ଜଣେ ସହକର୍ମୀଙ୍କ ମୃତ୍ୟୁ ହୋଇଥିବା ଖବର ପାଇ ଜିଲ୍ଲାରୁ ଆଶାକର୍ମୀମାନେ ଧର୍ମଗଡ଼କୁ ଧାଇଁ ଆସିଥିଲେ। ପରେ ଉତ୍ତେଜନା ଉଗ୍ର ରୂପ ନେଇଥିଲା। ଓଡ଼ିଶା ଆଶାକର୍ମୀ ସଂଘ କାର୍ଯ୍ୟକାରୀ ସଭାପତି ପଙ୍କଜୀନୀ ନାଏକ ଓ ଜିଲ୍ଲା ସଭାପତି ଶାନ୍ତିଲତା ମାଝୀଙ୍କ ନେତୃତ୍ୱରେ ଉପଖଣ୍ଡ ଚିକିତ୍ସାଳୟ ସାମ୍ନାରେ ଶବ ରଖି ପ୍ରାୟ ୪ଘଣ୍ଟା କାଳ ରାଜପଥ ଅବରୋଧ କରିଥିଲେ। ପରେ ଘଟଣାସ୍ଥଳକୁ ତହସିଲଦାର ହରେବୃଷ୍ଣ ବରିହା ପହଂଚି ଆନ୍ଦୋଳନରତ ଆଶାକର୍ମୀଙ୍କ ସହ ଆଲୋଚନା କରି ମାସକ ମଧ୍ୟରେ ଘଟଣାର ତଦନ୍ତ ସହ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ ସହ ମୃତ୍ୟୁ ବାବଦକୁ ୧ଲକ୍ଷ ଟଙ୍କା, ଜନଧନ ଯୋଜନାରେ ୨ଲକ୍ଷ ଟଙ୍କା କ୍ଷତିପୂରଣର ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
No comments