୧୩ ପଞ୍ଚାୟତରେ ଡାଳୁଆ ଧାନ ଚାଷ ତ୍ୱରାନ୍ୱିତ

ବାଙ୍କୀ: ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଡମପଡ଼ା ବ୍ଲକ ଏକ କୃଷି ପ୍ରଧାନ ଅଂଚଳ। ଧାନ ଓ ଅଣଧାନ ଚାଷରେ ଚାଷୀ ବହୁ ଆଗୁଆ। ବିଭିନ୍ନ ସମୟରେ ଚାଷ ପାଇଁ ସରକାରୀ ପ୍ରୋତ୍ସାହନ ସଠିକ ଭାବରେ ନମିଳିଲେ ମଧ୍ୟ ମୁଣ୍ଡଝାଳ ତୁଣ୍ଡରେ ଦେଇ କଠିନ ପରିଶ୍ରମ ଓ ଧାରକରଜ କରି କ୍ଷେତ ସଜାଡିବାରେ ପୁରୁଖା ଚାଷୀଙ୍କ ସହଯୋଗକୁ ଯୁବ ପୀଢୀର ଚାଷୀମାନେ ଗ୍ରହଣ କରି ଲାଭବାନ ହେଉଛନ୍ତି। ୧୭ ଗୋଟି ପଞ୍ଚାୟତ ମଧ୍ୟରୁ ୧୩ ପଞ୍ଚାୟତରେ ଚାଷୀ ଶୀତ ଋତୁରେ ଡାଳୁଅଧାନ କରିବାର ଇତିହାସ ରହିଛି। କୃଷି ବିଭାଗର ସୂଚନା ଅନୁଯାଇ ଏହି ବ୍ଲକର ୧୭ ପଞ୍ଚାୟତରେ ପ୍ରାୟ ୧୧ ହଜାର ୭୩୫ ହେକ୍ଟର ଚାଷ ଜମି ମଧ୍ୟରୁ ଧାନ ଚାଷ ପାଇଁ ୭ ହଜାର ୪୫୬ ହେକ୍ଟର ଏବଂ ଅଣଧାନ ପାଇଁ ୪ ହଜାର ୨୭୯ ହେକ୍ଟର ଜମି ଉପଯୋଗୀ। ଚଳିତ ବର୍ଷ ବନ୍ୟା ଓ ବାତ୍ୟା ପ୍ରବାହରେ କ୍ଷତିଗ୍ରସ୍ତ ହୋଇଥିବା ଜମିରେ ପୁନଃ ଫସଲ ହୋଇ ନପାରି ବହୁ ଜମି ପଡ଼ିଆ ପଡ଼ିଥିଲା।
ଶୀତର ଆରମ୍ଭରେ ରବି-ଡାଳୁଅ ଧାନ ଚାଷ ପାଇଁ ବିଲିପଡ଼ା, ଶିମିଳିପୁର, ହରିରାଜପୁର, ଗୋପାଳପୁର, ଢଁସର, ଦୁଲଣାପୁର, ତାଳବସ୍ତ, ଗୋବିନ୍ଦପୁର, ଡମପଡ଼ା, କୁଶପଙ୍ଗି, ପାଥପୁର, ଭଗିପୁର, ଦୁର୍ଗାପୁର ଏବଂ ନରଗାଙ୍ଗ ଅଂଚଳର ଶହସ୍ରାଧିକ ଚାଷୀ ଅଣ୍ଟା ଭିଡିଛନ୍ତି। ଅଦିନିଆ ବର୍ଷା ପ୍ରଭାବରେ ପନିପରିବା ଏବଂ ଖରିଫ ଧାନ ସହ ଡାଲି ଜାତୀୟ ଚାଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହି ବର୍ଷା ଅନୁରୂପ ଭାବରେ ଡାଳୁଅ ଧାନ ଚାଷ ପାଇଁ ଚାଷୀ ଙ୍କୁ କ୍ଷେତ ଉପଯୋଗୀ ଏବଂ ସଫଳତାର ଭରସା ଦେଇଛି। ଚଳିତ ବର୍ଷ ପ୍ରାୟ ୭ ହଜାର ୪୫୬ ହେକ୍ଟର ଅଣଧାନ ଚାଷ ଜମି ମଧ୍ୟରୁ ୪ହଜାରରୁ ହେକ୍ଟରରୁ ଅଧିକ ଜମିରେ ଡାଳୁଅଧାନ ଚାଷ ପାଇଁ କ୍ଷେତ ପ୍ରସ୍ତୁତି ଏବଂ ରୁଆ ପୋତା କାର୍ଯ୍ୟ ଯୋର ଧରିଛି।
ଗତବର୍ଷ ତୁଳନାରେ ଏହି ଅଂଚଳର ଡାଳୁଅଧାନ ଚାଷ ଅଧିକ ତ୍ୱରାନ୍ୱିତ ହୋଇଥିବା ଅଂଚଳର ପୁରୁଖା ଚାଷୀ ମାନେ କହିଛନ୍ତି। ଚାଷୀ ମାନେ ଅଧିକ ମାତ୍ରାରେ ଜମିରେ ଦୈନିକ ଖତ ବ୍ୟବହାର ପାଇଁ ଗୁରୁତ୍ୱ ଦେଇଛନ୍ତି। ସୂଚନା ଅନୁଯାଇ ମହାନଦୀ ଅବବାହିକା ଅଂଚଳରେ ଜଳସେଚନ ବ୍ୟବସ୍ଥା ଡମପଡ଼ା,ଗୋବିନ୍ଦପୁର,ତାଳବସ୍ତ,ଭଗିପୁର ଆଦି ପଞ୍ଚାୟତରେ ଅଧିକ ଜମିକୁ କ୍ଷୁଦ୍ର ଜଳସେଚନ ବିଭାଗର ବଂଧର ଜଳଯୋଗାଣ ବ୍ୟବସ୍ଥା ଉପଯୋଗୀ ହୋଇଥିବାରୁ କୃଷକ ମାନେ ଅଧିକ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। ଖରିଫ ଋତୁରେ କୃଷି ଓ ସମବାୟ ବିଭାଗର ସହଯୋଗରେ ଚାଷୀ ମାନଙ୍କୁ ରିଆତି ବିହନ ଯୋଗାଣ କରାଯାଇଥାଏ। ମାତ୍ର ବିଡମ୍ବନାର ବିଷୟ କୃଷି ଓ ସମବାୟ ବିଭାଗ ପକ୍ଷରୁ ଡାଳୁଅଧାନ ଚାଷ ପାଇଁ କୈାଣସି ଅଧିକ ଅମଳକ୍ଷମ ବିହନ ରିଆତି ଦରରେ ଯୋଗାଣର ବ୍ୟବସ୍ଥା ନଥିବାରୁ ଚାଷୀ ମାନେ ପାରମ୍ପରିକ ସାଇତା ବିହନରେ ଡାଳୁଅ ଚାଷ କରୁଛନ୍ତି। ବିଶେଷ କରି ରଣନଦୀ ଉପକୂଳରେ ପ୍ରାୟ ୮ଗୋଟି ପଞ୍ଚାୟତର ଚାଷୀ ରଣନଦୀ ଉପକୂଳରେ ଚାଷ କରିଛନ୍ତି। ପ୍ରତିବର୍ଷ ଜାନୁଆରୀ ଶେଷ ଏବଂ ଫେବୃଆରୀ ମାସ ଆରମ୍ଭକୁ ରଣନଦୀର ଜଳ ଶୁଖି ଯାଉଥିବାରୁ ବିଲିପଡ଼ା, ଶିମିଳିପୁର, ତାଳବସ୍ତ, ଦୁଲଣାପୁର, ଗୋପାଳପୁର, ଢଁସର ଓ ତୁଳସୀପୁର ଅଂଚଳର ହଜାର ହଜାର ହେକ୍ଟର ଚାଷୀ ଜମିକୁ ବଂଚାଇବା ପାଇଁ କଟକ ଡ୍ରେନେଜ୍ ବିଭାଗ ପକ୍ଷରୁ ମହାନଦୀରୁ ରଣନଦୀକୁ ଜଳ ଯୋଗାଣର ବ୍ୟବସ୍ଥା ବିଲିପଡ଼ା ଅଂଚଳର ଚାଷୀ ମାନଙ୍କ ଅନୁରୋଧ କ୍ରମରେ ବିଭାଗ ଆର୍ଥିକ ସହଯୋଗ ଯୋଗାଇଥାଏ। ଚଳିତବର୍ଷ ଚାଷ ପାଇଁ ଜଳ ସଂକଟ ପୂର୍ବରୁ ପୂର୍ବପରି ଡ୍ରେନେଜ୍ ବିଭାଗର ସହଯୋଗ ଡାଳୁଅ ଚାଷୀଙ୍କୁ ଭରସା ଦେବ ବୋଲି ଚାଷୀ ମାନେ କହିଛନ୍ତି। ରଣନଦୀର ଜଳ ଉପକୂଳ ଡାଳୁଅ ଚାଷୀଙ୍କ ବଳ ବୋଲି ପୁରୁଣା ଚାଷୀ ମାନେ କହିଛନ୍ତି।
No comments