ଗର୍ଭ ନଷ୍ଟ କରି ଘରୁ ତଡିଦେଲେ, ନ୍ୟାୟ ପାଇଁ ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା

ବଲାଙ୍ଗିର: ତୁରେକେଲା ବ୍ଲକ ଅନ୍ତର୍ଗତ ସେମଲା ଗାଁର ଦାମିନୀ ମେହେର। ଗତ ୧୦ ତାରିଖ ଦିନ ସେ ତାଙ୍କ ଭାଉଜଙ୍କ ସହ ତୁରେକେଲା ଥାନାକୁ ଶ୍ୱଶୁର ଘର ନିର୍ଯ୍ୟାତନା ସଂପର୍କରେ ଅଭିଯୋଗ ପାଇଁ ଯାଇଥିଲେ। ପୁଲିସ ଅଭିଯୋଗ ନରଖି ୧୭ ତାରିଖରେ ଆସିବାକୁ କୁହାଯାଇଥିଲା। ୧୭ ତାରିଖ ଦିନ ସେ ଯାଇ ଅଭିଯୋଗ କରିବାକୁ ଅପେକ୍ଷା କରିଥିବା ବେଳେ ଫୋନ୍ କଲେ ଅଭିଯୋଗ କରିବାକୁ ଆସିବ ବୋଲି ତାଙ୍କୁ ପୁଲିସ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଥାନାରୁ କୌଣସି ଫୋନ୍ ନଆସିବାରୁ ଗୁରୁବାର ଦାମିନୀ ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକ(ଏସ୍ପି)ଙ୍କୁ ଅଭିଯୋଗ କରିବାକୁ ଆସିଥିଲେ।
ଦାମିନୀଙ୍କ ଅଭିଯୋଗ ଅନୁସାରେ, ଛୋଟ ବେଳୁ ସେ ତାଙ୍କ ବାପାଙ୍କୁ ହରାଇଛନ୍ତି। ତାଙ୍କ ଦୁଇ ଭାଇ କୁଲି ମଜୁରୀ କରି ପରିବାର ଚଳାନ୍ତି। ୨୦୧୧ ମସିହାରେ ଦାମିନୀଙ୍କ ବିବାହ ଠିକ୍ ହୋଇଥିଲା। ତେବେ ତାଙ୍କ ଗାଁର ହେମରାଜ ମେହେର ତାଙ୍କୁ ଘରୁ ନେଇଯାଇ ନିଜ ଘରେ ରଖିଥିଲେ। ଦାମିନୀ ଓ ହେମରାଜ ସ୍ୱାମୀ-ସ୍ତ୍ରୀ ଭଳି ରହୁଥିଲେ ବି ସ୍ୱାମୀ ଓ ଶ୍ୱଶୁର ଘର ଲୋକ ନିର୍ଯ୍ୟାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କର ୭ ଥର ଗର୍ଭ ନଷ୍ଟ କରାଯାଇଥିବା ଅଭିଯୋଗରେ ଦର୍ଶାଇଛନ୍ତି ଦାମିନୀ। ୨୦୧୬ ମସିହାରେ ନିଜ ବାପା ଘରକୁ ଚାଲି ଆସି ଜାତି ସମାଜର ଆଶ୍ରୟ ନେଇଥିଲେ। ଜାତି ସମାଜ ପକ୍ଷରୁ ଦୁହିଁଙ୍କୁ ଏକାଠି ରଖିବା ପାଇଁ ବାରମ୍ବାର ସଭା ଡକାଯାଉଥିଲେ ବି କିଛି ସୁଫଳ ମିଳିଲା ନାହିଁ। ସ୍ୱାମୀ ହେମରାଜ ପତ୍ନୀଙ୍କୁ ଗ୍ରହଣ କରିବା ପାଇଁ ମନା କରିଦେବା ପରେ ଦାମିନୀ ନ୍ୟାୟ ପାଇଁ ଏସ୍ପିଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ। ମାନବାଧିକାର ସୁରକ୍ଷା ବିଭାଗ ପକ୍ଷରୁ ଉପ ଆରକ୍ଷୀ ଅଧୀକ୍ଷକ ମାମଲାର ତଦନ୍ତ କରିବାକୁ ତୁରେକେଲା ପୁଲିସକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
No comments