ଟ୍ରକ ଧକ୍କାରେ ୨ ସ୍କୁଟି ଆରୋହୀ ମୃତ

ବଙ୍ଗୋମୁଣ୍ଡା: ସିନ୍ଧେକେଲା ଥାନା ଚାନ୍ଦୋତରା ଛକ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ଦୁଇ ସ୍କୁଟି ଆରୋହୀଙ୍କ ଘଟଣା ସ୍ଥଳରେ ମୃତୁ ଘଟିଛି । ଭବାନୀପାଟଣା-ଖଡ଼ିଆଳ ୧୬ ନମ୍ବର ରାଜପଥର ଚାନ୍ଦୋତରା ଛକ ନିକଟରେ ବିଳମ୍ବିତ ରାତିରେ ଭବାନୀପାଟଣାରୁ ଖଡ଼ିଆଳ ପଟକୁ ଦୃତ ଗତିରେ ଆସୁଥିବା ଏକ ଟ୍ରକ ସାମ୍ନା ପଟରୁ ଆସୁଥିବା ସ୍କୁଟିକୁ ଧକ୍କା ଦେଇଥିଲା ଫଳରେ ଘଟଣାସ୍ଥଳରେ ସିଂଧେକେଲା ଥାନା ଦେଢ଼ଗାଁର ଦୁଇଜଣ ଯୁବକ କରୁଣା ଥପା (୩୪), ଯୁବରାଜ ଥପା (୩୦)ଙ୍କ ମୃତ୍ୟୁ ହୋଇଥିଲା।
ଦେଢଗାଁର ଦୁଇ ଜଣ ଯୁବକ ଶୁଣ୍ଢିମୁଣ୍ଡା ଗ୍ରାମକୁ ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ଯାଇଥିଲେ। ସେଠାରୁ ରାତି ପ୍ରାୟ ୧ଟା ସମୟରେ ନିଜ ଗ୍ରାମକୁ ସ୍କୁଟି ଯୋଗେ ଫେରୁଥିଲେ। ସାମ୍ନା ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ସ୍କୁଟିକୁ ଧକ୍କା ଦେଇଥିଲା। ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇ ଟ୍ରକ ଚାଳକ ଫେରାର ମାରିଥିବା ବେଳେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲେ। ଶବକୁ ଜବତ କରି ସିନ୍ଧେକେଲା ପୋଲିସ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିବା ପରେ ଗ୍ରାମବାସୀ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଁଏ କ୍ଷତିପୂରଣ ଦାବିରେ ସିନ୍ଧେକେଲା-ବଙ୍ଗୋମୁଣ୍ଡା ରାସ୍ତାର ବାଗବାହାଲ ଛକ ନିକଟରେ ଶବ ରଖି ରାସ୍ତାରୋକ କରିଥିଲେ। ସିନ୍ଧେକେଲା ଥାନା ଅଧିକାରୀ ଆଲୋକ ବେହେରା ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତିପୂରଣ ପ୍ରଦାନ ଦିଗରେ ଚେଷ୍ଟା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକରୁ ଗ୍ରାମବାସୀ ଓହରିଥିଲେ। ମୃତ କରୁଣା ଥପା ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଏବଂ ୪ ବର୍ଷର ପୁଅ ବଦ୍ରିନାଥ ଅସହାୟ ହୋଇପଡିଛନ୍ତି। ଉଭୟ ଯୁବକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବି କରି ରାସ୍ତା ରୋକ କରିଥିଲେ ଗ୍ରାମବାସୀ। ସିନ୍ଧେକେଲା ଥାନା ଅଧିକାରୀ ପ୍ରତିଶ୍ରୁତି ପରେ ରାସ୍ତା ରୋକ ପ୍ରତ୍ୟାହୃତ ହୋଇଥିଲା।
No comments