Header Ads

Header ADS

ଦଲାଲଙ୍କ କବ୍‌ଜାରେ ବ୍ୟାସନଗର, ଦାନଗଦୀ ତହସିଲ୍‌


ଯାଜପୁର/ବ୍ୟାସନଗର/ଦାନଗଦୀ: ଇସ୍ପାତ ରାଜଧାନୀ କଳିଙ୍ଗନଗରର ପ୍ରବେଶ ପଥ ବ୍ୟାସନଗର ତହସିଲ ଓ ଶିଳ୍ପାଞ୍ଚଳ ଗଢି ଉଠିଥିବା ଦାନଗଦୀ ତହସିଲ ଅଞ୍ଚଳରେ ଶହ ଶହ କୋଟି ଟଙ୍କାର ସରକାରୀ ଜମିକୁ ମୁଷ୍ଟିମେୟ ପ୍ରଭାବଶାଳୀ ବ୍ୟକ୍ତି ନିଜ ଦଖଲରେ ରଖିଛନ୍ତି। କେତେକ ଜବରଦଖଲକାରୀ ଏବେ ଜଙ୍ଗଲ ଜମି ବିକିବାରେ ଲାଗିପଡ଼ିଛନ୍ତି। କଳିଙ୍ଗନଗର ଶିଳ୍ପାଞ୍ଚଳରେ ବ୍ୟାପକ ପ୍ରଦ‌ୂଷଣ ନେଇ ଜାତୀୟ ସ୍ତରରେ ଉଦ୍‌ବେଗ ପ୍ରକାଶ ପାଉଥିବାବେଳେ ଜଙ୍ଗଲ ବିଭାଗ ବନୀକରଣ କରିବାକୁ ଏଠାରେ ଜାଗା ପାଉନାହିଁ। ସେହିପରି ଜଙ୍ଗଲ ଅଧିକାର ଆଇନ୍ ବଳରେ ଭୂମିହୀନଙ୍କୁ ଘରଡିହ ଯୋଗାଇ ଦେବାକୁ ମଧ୍ୟ ଜମି ନାହିଁ। ବ୍ୟାସନଗର ତହସିଲରେ ୧୦୬୫ଜଣ ଭୂମିହୀନ ଆବେଦନ କରିଥିବାବେଳେ ମାତ୍ର ୨୫ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। ଏପରିସ୍ଥଳେ ରାଜସ୍ବ ବିଭାଗ ଜବରଦଖଲକାରୀଙ୍କୁ ନିରବ ସମର୍ଥନ ଦେଇ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି।

ଅନୁସନ୍ଧାନରୁ ଜଣାପଡ଼ିଛି ବ୍ୟାସନଗର ତହସିଲ ଅଧୀନ ଐତିହ୍ୟପୀଠ ବ୍ୟାସସରୋବର ମୋରମ ମାଫିଆଙ୍କ କବଳରୁ ମୁକ୍ତ ନୁହେଁ। ବ୍ୟାପକ ଅଞ୍ଚଳ ଏବେ ବିରାଟ ଗର୍ତ୍ତରେ ପରିଣତ ହେଲାଣି। ସେହିପରି ଏହି ତହସିଲର ପଛିକୋଟ ଜଙ୍ଗଲ, ମଲାରିଆ, କୋରାବନ୍ଦି, ପାଟରଙ୍ଗା, ଅଶୋକଝର, ଖମିଗାଁ, ନୟାଗଡ଼ ଅଞ୍ଚଳରେ ବ୍ୟାପକ ଜମି ମୋରମ ମାଫିଆ ଓ ଜମି ଦଲାଲଙ୍କ କବଜା‌କୁ ଚାଲିଯାଇଛି। ଅନେକ ଜମି ଦଲାଲ ଜାଲ କାଗଜପତ୍ର କରି ଏହି ଜଙ୍ଗଲ ଜମି କିଣାବିକା କରି ବେଶ ମୁନାଫା କମାଉଛନ୍ତି। କିସମ ଜଙ୍ଗଲ ବୋଲି ଦର୍ଶାଯାଇଥିଲେ ହେଁ ସବରେଜିଷ୍ଟର ଅଫିସ୍‌ରେ ମୋଟା ଅଙ୍କର ହାତଗୁଞ୍ଜ ଦେଇ ଖର୍ଦି ବିକ୍ରି ହେଉଛି। ଅପରପକ୍ଷରେ ତିନି ପିଢି ହେଲାଣି ଗୋଟିଏ ଗୋଟିଏ ପରିବାର ଘର କରି ରହିଥିବା ଜମି ସେମାନଙ୍କ ନାମରେ କରାଯାଉ ନାହିଁ। ସାଧାରଣ ଲୋକଙ୍କର ଘରବାଡ଼ି ଆଳରେ ଜମି ଦଲାଲ କୋଟି କୋଟି ଟଙ୍କାର ଜଙ୍ଗଲ ଓ ରାଜସ୍ବ ଜମି ମାଡ଼ି ବସିବାରେ ଲାଗିଛନ୍ତି।

ସରକାରୀ ତଥ୍ୟ ମୁତାବକ ଗ୍ରାମାଞ୍ଚଳରେ ମାତ୍ର ୬୨ଏକର ଜମି ଜବରଦଖଲ ହୋଇଥିବା ବେଳେ ସେଥିରୁ ୨୧ଏକର ଉ‌ଚ୍ଛେଦ କରାଯାଇ ସରକାରଙ୍କ ଅଧୀନକୁ ଅଣାଯାଇଛି। ସହରରେ କେତେ ଜବରଦଖଲ ହୋଇଛି, ତାହାର ହିସାବ ବ୍ୟାସନଗର ତହସିଲ ନିକଟରେ ନାହିଁ। ବ୍ୟାସନଗରର ସହରର ରମ୍ପାସ, ଚାନ୍ଦମା, ସୋମରା, ପଦ୍ମପୁର, ମୁଣ୍ଡମାଳ, ଲକ୍ଷ୍ମୀନଗର ଓ ଯୋଡ଼ାବର ଅଞ୍ଚଳରେ ବ୍ୟାପକ ସରକାରୀ ଜମି ଏବେ ବି କେବଳ ବାଡ଼ ଘେରା ହୋଇପଡ଼ିଛି। ସେହିପରି ଦାନଗଦୀ ବ୍ଲକ୍‌ ଅନ୍ତର୍ଗତ ତ୍ରିଜଙ୍ଗା, କିଆଝର, ରଣଗୁଣ୍ଡି, ଧୂଳିଗଡ଼, ନଡ଼ିଆଭଙ୍ଗାର ବ୍ୟାପକ ଅଞ୍ଚଳ ଜବରଦଖଲ ହେବାରେ ଲାଗିଛି। ଭୂମିହୀନକୁ ଜମି ନାହିଁ । ସରକାରୀ ଯୋଜନା ପାଇଁ ଜାଗା ମିଳୁ ନଥିବା ବେଳେ କୋଟି କୋଟି ଟଙ୍କାର ଜମି ଜବରଦଖଲ ପ୍ରତି ପ୍ରଶାସନ ଆଖିକାନ ବନ୍ଦ କରିଦେବା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

The post ଦଲାଲଙ୍କ କବ୍‌ଜାରେ ବ୍ୟାସନଗର, ଦାନଗଦୀ ତହସିଲ୍‌ first appeared on Sambad.


No comments

Powered by Blogger.