Header Ads

Header ADS

ଗୃହିଣୀରୁ ଜାତୀୟ ଏକାଡେମି ପ୍ରଶିକ୍ଷିକା: ୪ ହଜାର ମହିଳାଙ୍କୁ ତାଲିମ ଦେଲେଣି ପାର୍ବତୀ


ମନୋଜ ନାୟକ

କୁହିକା: କିଛି ର୍ଷ ତଳେ ସେ ଥିଲେ ଜଣେ ସାଧାରଣ ଗୃହିଣୀ। ଅନେକ ଗ୍ରାମୀଣ ମହିଳାଙ୍କ ପରି ଘର କାମରେ ତାଙ୍କର ଦିନ କଟୁଥିଲା। ଏମିତି ସମୟରେ ସେ ଛତୁଚାଷ ଓ ଧୂପକାଠି ପ୍ରସ୍ତୁତି ତାଲିମ ନେଇଥିଲେ। ଆଉ ଏହା ଏବେ ତାଙ୍କ ପରିଚୟ ପାଲଟିଛି। ଦିନେ ସେ ଯେଉଁ ଅନୁଷ୍ଠାନରେ ତାଲିମ ନେଇଥିଲେ, ଆଜି ସେଠାରେ ସେ ପ୍ରଶିକ୍ଷିକା। ଖାଲି ସେତିକି ନୁହେଁ, ଚଳିତ ବ‌ର୍ଷ ସେ ଭୁବନେଶ୍ବରସ୍ଥିତ ରୁଡସେଟ୍‌ ଜାତୀୟ ଏକାଡେମି ପକ୍ଷରୁ ଛତୁ ଚାଷ ଓ ଧୂପକାଠି ପ୍ରସ୍ତୁତିର ପ୍ରଶିକ୍ଷିକା ଭାବେ ସ୍ୱୀକୃତି ପାଇଛନ୍ତି। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କୁହିକା ଗ୍ରାମର ଧ୍ରୁବଚରଣ ମହାନ୍ତଙ୍କ ପତ୍ନୀ ପାର୍ବତୀ ମହାନ୍ତଙ୍କ ଏ ସଫଳତା ସ୍ଥାନୀୟ ମହିଳାଙ୍କୁ ଆତ୍ମନିର୍ଭର ହେବାର ବାଟ ଦେଖାଇବା ସହ ପ୍ରେରଣା ଯୋଗାଇଛି।

ପାର୍ବତୀଙ୍କ ଯାତ୍ରା ଆରମ୍ଭ ହୁଏ ମା’ ବନଦୁର୍ଗା ସ୍ୱୟଂସହାୟକ ଗୋଷ୍ଠୀରୁ। ୨୦୧୫ରେ ସେ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ, ଯାଜପୁରରୁ ତାଲିମ୍ ନିଅନ୍ତି। ଏଥିସହ ପରୀକ୍ଷାମୂଳକ ଭାବରେ ଆରମ୍ଭ କରନ୍ତି ଛତୁଚାଷ। ଏହି ସମୟରେ ପୁଞ୍ଜି ଅଭାବ ପ୍ରତିବନ୍ଧକ ହୋଇ ଛିଡ଼ାହୁଏ। ବ୍ୟାଙ୍କରୁ ଋଣ ମିଳିବା ପରେ ପୁଞ୍ଜି ସଙ୍କଟ ଦୂର ହେବା ସହ ଉଦ୍ୟୋଗ ଜୀବନର ମୂଳଦୁଆ ପଡ଼ିଥିଲା। ପରେ ସ୍ୱୟଂ ସହାୟକ ଗୋଷ୍ଠୀର ସହଯୋଗରେ ସେ ଛତୁ ଚାଷ ଓ ଧୂପକାଠି ପ୍ରସ୍ତୁତ କରନ୍ତି। ଏହି କାମରେ ପ୍ରାଥମିକ ପର୍ଯ୍ୟାୟରେ ତାଙ୍କୁ ସଫଳତା ମିଳେ। ନିରନ୍ତର ଉଦ୍ୟମ ଯୋଗୁଁ ଧୀରେଧୀରେ ଲାଭ ବଢ଼ିଲା। କିଛିଦିନ ଭିତରେ ତାଙ୍କରି ଉଦ୍ୟମରେ ବ୍ଲକର ଏକ ସଫଳ ଉଦ୍ୟୋଗରେ ପରିଣତ ହୁଏ ବନଦୁର୍ଗା ସ୍ୱୟଂସହାୟକ ଗୋଷ୍ଠୀ। ସଫଳତା ବଜାୟ ରହିବାରୁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦୃଷ୍ଟିକୁ ସେ ଆସନ୍ତି। ବିଭିନ୍ନ ମହଲରୁ ପ୍ରଶଂସିତ ହୁଅନ୍ତି। ଦିନ ଆସିଲା, ସେ ତାଲିମ୍ ପାଇଥିବା ଅନୁଷ୍ଠାନରେ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ୍ ଦେବାର ସୁଯୋଗ ତାଙ୍କୁ ମିଳିଲା। ୨୦୧୭ରୁ ଅଦ୍ୟାବଧି ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ପ୍ରଶିକ୍ଷଣ ଶିବିରରେ ସେ ଯୋଗଦେଇଛନ୍ତି। ୪ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଛତୁ ଚାଷ ଓ ଧୂପକାଠି ପ୍ରସ୍ତୁତି ସମ୍ବନ୍ଧରେ ତାଲିମ୍ ଦେଇ ସାରିଲେଣି।

‘ରୁଡ୍‌ସେଟ୍‌’ ତାଙ୍କୁ ପ୍ରଶିକ୍ଷକ ଭାବେ ସ୍ବୀକୃତି ଦେବାପରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଅନେକ ଅନୁଷ୍ଠାନରୁ ତାଲିମ ଦେବା ପାଇଁ ତାଙ୍କ ପାଖକୁ ଡକରା ଆସିଛି। କୋଭିଡ୍‌ କାରଣରୁ ବାହାରକୁ ଯିବାର କାର୍ଯ୍ୟକ୍ରମ ରଖୁନଥିବା କହିଛନ୍ତି ପାର୍ବତୀ। କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ସାଧନା ରହିଲେ କିଛି ବି ଅସମ୍ଭବ ନୁହେଁ, ଏହା ପ୍ରମାଣିତ କରିଛନ୍ତି ନବମ ଶ୍ରେଣୀ ଶିକ୍ଷାଗତ ଯୋଗ୍ୟତା ଥିବା ପାର୍ବତୀ ମହାନ୍ତ। ଏହି କାର୍ଯ୍ୟ ତାଙ୍କୁ ସାମାଜିକ ପ୍ରତିଷ୍ଠା ଦେବା ସହ ଅନେକଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇଛି।

The post ଗୃହିଣୀରୁ ଜାତୀୟ ଏକାଡେମି ପ୍ରଶିକ୍ଷିକା: ୪ ହଜାର ମହିଳାଙ୍କୁ ତାଲିମ ଦେଲେଣି ପାର୍ବତୀ first appeared on Sambad.


No comments

Powered by Blogger.