Header Ads

Header ADS

ପରୀ ମାମଲାରେ କୋର୍ଟଙ୍କ ତତ୍ତ୍ବାବଧାନରେ ତଦନ୍ତ ପ୍ରସଙ୍ଗ : ସରକାରଙ୍କ ଚିଠି ପାଇନାହାନ୍ତି ହାଇକୋର୍ଟ


ନଭେମ୍ବର ୨୮ ତାରିଖରେ ଚିଠି ଲେଖିଥିଲା ଗୃହ ବିଭାଗ
ଜାନୁଆରି ୬ରେ ହାଇକୋର୍ଟ ଜଣାଇଲେ ଉତ୍ତର

ଭୁବନେଶ୍ବର/ବଲାଙ୍ଗୀର : ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲାର ପରୀ ହତ୍ୟାକାଣ୍ଡ ମାମଲା ଆଜି ନୂଆ ମୋଡ଼ ନେଇଛି। ସୂଚନା ଅଧିକାର ଆଇନ ବଳରେ ଯେଉଁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି ତାହା ହେଲା; ଜଣେ କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ବାବଧାନରେ ଏସ୍‌ଆଇଟି ଗଠନ ସଂକ୍ରାନ୍ତ ରାଜ୍ୟ ସରକାରଙ୍କ କୌଣସି ଚିଠି ହାଇକୋର୍ଟଙ୍କର ହସ୍ତଗତ ହୋଇନାହିଁ। ଯେହେତୁ ରାଜ୍ୟ ସରକାରଙ୍କର ନିବେଦନ ପତ୍ର ମିଳିନାହିଁ; ଏଣୁ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବାର ପ୍ରଶ୍ନ ଉଠୁନାହିଁ ବୋଲି ହାଇକୋର୍ଟଙ୍କ ପକ୍ଷରୁ ଅତିରିକ୍ତ ଉପ-ରେଜିଷ୍ଟାର ଜଣାଇଛନ୍ତି। ସୂଚନାଧିକାର କର୍ମୀ ହେମନ୍ତ ପଣ୍ଡାଙ୍କୁ ମିଳିଥିବା ଏହି ଚିଠି ଆଜି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି। ବିଜେପି ଏହି ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ବିରୋଧରେ ବର୍ଷିଛି। ଶ୍ରୀ ପଣ୍ଡା ମଧ୍ୟ ଏହି ଘଟଣାରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।

ଶ୍ରୀ ପଣ୍ଡା କହିଛନ୍ତି, ସୂଚନାଧିକାର ବଳରେ ସେ ଜାଣିବାକୁ ଚାହିଁଥିଲେ ଯେ କୋର୍ଟଙ୍କ ତତ୍ତ୍ବାବଧାନରେ ଯେଉଁ ଏସ୍‌ଆଇଟି ଗଠନ ପାଇଁ ସରକାର ଆବେଦନ କରିଥିଲେ, ତାହା ଉପରେ କି ପଦକ୍ଷେପ ନିଆଯାଇଛି। ଏହାର ଉତ୍ତର ଗତ ୬ ତାରିଖରେ ହାଇକୋର୍ଟ ତାଙ୍କୁ ପ୍ରଦାନ କରିଛନ୍ତି। ହାଇକୋର୍ଟଙ୍କ ଏହି ଉତ୍ତର ଏବେ ସ୍ପଷ୍ଟ କରିଦେଇଛି ଯେ ପରୀ ହତ୍ୟାକାଣ୍ଡର ଏସ୍‌ଆଇଟି ତଦନ୍ତ କୋର୍ଟଙ୍କ ତତ୍ତ୍ବାବଧାନରେ ହେଉନାହିଁ। ପରୀକୁ ନ୍ୟାୟ ଦେବା ପାଇଁ ଗଣତନ୍ତ୍ରର ମନ୍ଦିର ବୋଲି କୁହାଯାଉଥିବା ବିଧାନସଭା ସାମ୍ନାରେ ପରୀ ବାପା ମା’ଙ୍କ ଶେଷ ଚେଷ୍ଟା ବିଫଳ ହୋଇଛି। ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ।

ସେ ଆହୁରି କହିଛନ୍ତି, ଜଣେ କାର୍ଯ୍ୟରତ ମନ୍ତ୍ରୀଙ୍କ ବିରୋଧରେ ପରୀ ବାପା ଓ ମା’ ଅଭିଯୋଗ ଆଣିଥିବା ବେଳେ ସରକାରୀ କର୍ମଚାରୀଙ୍କ ଦ୍ବାରା ତଦନ୍ତ କରାଗଲେ, କେମିତି ନ୍ୟାୟ ମିଳିବ?

ଉଲ୍ଲେଖଯୋଗ୍ୟ, ଗତ ବିଧାନସଭା ଅଧିବେଶନ ସମୟରେ ପରୀର ବାପା ଓ ମାଆ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହାକୁ ନେଇ ସେ ସମୟରେ ବିଧାନସଭାରେ ଝଡ଼ ସୃଷ୍ଟି ହୋଇଥିଲା। ଗୃହରେ ନଭେମ୍ବର ୨୮ ତାରିଖ ଦିନ ସଂସଦୀୟ ବ୍ୟାପାର ମନ୍ତ୍ରୀ ଉତ୍ତର ଦେଇଥିଲେ ଯେ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ବାବଧାନରେ ଏସ୍‌ଆଇଟି ତଦନ୍ତ କରାଯିବ। ଏ ସଂକ୍ରାନ୍ତରେ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା ହାଇକୋର୍ଟଙ୍କ ରେଜିଷ୍ଟାର ଜେନେରାଲଙ୍କୁ ଲେଖିିଥିବା ଚିଠି ବି ଗଣମାଧ୍ୟମକୁ ଆସିଥିଲା। ଆଇପିଏସ୍ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ ସଂପର୍କରେ ଏଥିରେ କୁହାଯାଇଥିଲା ଓ ହାଇକୋର୍ଟଙ୍କୁ ବିଚାରପତିଙ୍କୁ ନିଯୁକ୍ତି ପାଇଁ ମୁଖ୍ୟ ବିଚାରପତିଙ୍କୁ ନିବେଦନ କରାଯାଇଥିଲା। ହେଲେ ଶ୍ରୀ ପଣ୍ଡାଙ୍କ ନିକଟକୁ ଆସିଥିବା ତଥ୍ୟ ପ୍ରମାଣ କରିଛି ଯେ ଗଣତନ୍ତ୍ର ମନ୍ଦିରରେ ସରକାର ଦେଇଥିବା ତଥ୍ୟ ପାଳନ ହୋଇନାହିଁ।

ଶ୍ରୀ ପଣ୍ଡା ଆହୁରି କହିଛନ୍ତି ଯେ ସରକାରଙ୍କର ପଦକ୍ଷେପ ପରେ କଂଗ୍ରେସ ଦଳ ତାହାକୁ ସ୍ବାଗତ କରିଥିଲା। ଏହାକୁ ଐତିହାସିକ ସଫ​ଳତା ବୋଲି ବର୍ଣ୍ଣନା କରିଥିଲା। ପରୀର ମାଆ ଓ ବାପା ଅଭିଯୋଗ ଆଣିଥିବା ମନ୍ତ୍ରୀଙ୍କ ଇସ୍ତଫାର କୌଣସି ପ୍ରୟୋଜନ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଥିଲା। ହେଲେ ଏବେ ହାଇକୋର୍ଟ ତଥ୍ୟ ସାର୍ବଜନୀନ କରିବା ପରେ ଏହା ଐତିହାସିକ ବିଫଳତାରେ ଏହା ପରିଣତ ହୋଇଛି।

The post ପରୀ ମାମଲାରେ କୋର୍ଟଙ୍କ ତତ୍ତ୍ବାବଧାନରେ ତଦନ୍ତ ପ୍ରସଙ୍ଗ : ସରକାରଙ୍କ ଚିଠି ପାଇନାହାନ୍ତି ହାଇକୋର୍ଟ first appeared on Sambad.


No comments

Powered by Blogger.