Header Ads

Header ADS

ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ମାମଲା : ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ଶୁଭ୍ରାଙ୍କୁ ଗିରଫ କଲା ସିବିଆଇ


ଭୁବନେଶ୍ବର : ବହୁଚର୍ଚ୍ଚିତ ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ମାମଲାରେ ସଂସ୍ଥାର ଗ୍ରୁପ୍‌ ଅଧ୍ୟକ୍ଷ ତଥା ପଞ୍ଜି ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଅଭିଯୁକ୍ତ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କରିଛି ସିବିଆଇ। ସିବିଆଇର ସ୍ବତନ୍ତ୍ର ଇଓଡବ୍ଲୁ ଟିମ୍‌ ଆଜି ପୂର୍ବାହ୍ନରେ ତାଙ୍କୁ କୋଲକାତାରୁ ଗିରଫ କରି ଭୁବନେଶ୍ବର ଫେରୁଛି। ଆସନ୍ତାକାଲି ତାଙ୍କୁ ଏଠାରେ ସିବିଆଇର ସ୍ବତନ୍ତ୍ର କୋର୍ଟରେ ହାଜର କରାଯିବ। ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ମଧ୍ୟ ଶୁଭ୍ରାଙ୍କ ନାମରେ ଜାମିନ ବିହୀନ ପରୱାନା ଜାରି କରିଥିଲା। ସିବିଆଇ ତାଙ୍କୁ କୋର୍ଟ ଚାଲାଣ କରିବା ପରେ ଇଡି ମଧ୍ୟ ରିମାଣ୍ଡରେ ନେଇ ପଚରାଉଚରା କରିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ ଗୌତମଙ୍କ ପତ୍ନୀ ଶୁଭ୍ରା ଏହି ଚିଟ୍‌ଫଣ୍ଡ ସଂସ୍ଥାର ଅନ୍ୟ ଦୁଇଟି ସହଯୋଗୀ ସଂସ୍ଥାର ମୁଖ୍ୟ ଭାବରେ କାମ କରୁଥିଲେ। କୋଲକାତା ଭିଆଇପି ରୋଡ୍‌ରେ ସେ ‘ଆଦ୍ରିଜା‌’ ନାମକ ଏକ ସୁନାଗହଣା ସୋ’ ରୁମ୍‌ ମଧ୍ୟ ଚଳାଉଥିଲେ। ଚିଟ୍‌ଫଣ୍ଡ ସଂସ୍ଥାରୁ ସଂଗୃହୀତ ମୋଟା ଅଙ୍କର ଟଙ୍କା ଏଥିରେ ବିନିଯୋଗ ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ଗୌତମ ଗିରଫ ହେବା ପରେ ଏହାକୁ ଇଡି ସିଲ୍‌ କରି ଦେଇଥିଲା। ଆସନ୍ତାକାଲି ତାଙ୍କୁ ଅଧିକ ପଚରାଉଚରା କରାଯିବା ପରେ କୋର୍ଟ ଚାଲାଣ କରାଯିବ। ଆବଶ୍ୟକ ପଡ଼ିଲେ ତାଙ୍କୁ ରିମାଣ୍ଡ୍‌‌ରେ ନେବାକୁ ସିବିଆଇ ଯୋଜନା କରିଥିବା ଜଣାପଡ଼ିଛି।

ରୋଜ୍‌ଭ୍ୟାଲି ଗ୍ରୁପ୍‌ ଓଡ଼ିଶା ସମେତ ବିହାର କୋଲକାତା ପ୍ରଭୃତି ରାଜ୍ୟରେ ନିଜର କାୟା ବିସ୍ତାର କରିଥିଲା। ଜମା ଅର୍ଥ ଉପରେ ୮ରୁ ୨୭ ପ୍ରତିଶତ ସୁଧ ଦେବା ଲୋଭ ଦେଖାଇ ସଂସ୍ଥା ଲୋକଙ୍କଠାରୁ ବିପୁଳ ଅର୍ଥ ସଂଗ୍ରହ କରିଥିଲା। କମ୍‌ ଟଙ୍କାରେ ଜମି ଓ ଘର ପ୍ରଦାନ କରିବାକୁ ମଧ୍ୟ ସଂସ୍ଥା ପ୍ରତିଶ୍ରୁତି ଦେଇଥିଲା। ୫ ବର୍ଷ ମଧ୍ୟରେ ସଂସ୍ଥା ୧୫ହଜାର ୪୮୪ କୋଟି ଟଙ୍କା ଠକେଇ କରିଥିବା ବେଳେ ଓଡ଼ିଶାରେ ରୋଜ୍‌ଭ୍ୟାଲି ହଜାରେ କୋଟିରୁ ଊର୍ଦ୍ଧ୍ବ ଠକିଥିଲା। ଅଭିଯୋଗ ହେବା ପରେ ଦୁଇଟି ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଇଡି ମାମଲାର ତଦନ୍ତ କରିଥିଲେ। ୨୦୧୫ ମସିହା ମାର୍ଚ୍ଚ ୨୬ ତାରିଖରେ ସଂସ୍ଥା ଅଧ୍ୟକ୍ଷ ତଥା ଅଭିନେତା ଗୌତମ କୁଣ୍ଡୁଙ୍କୁ ଇଡି ଗିରଫ କରିଥିଲା। ସେତେବେଳେ ଇଡି ୨ହଜାର ୬୩୧ ବ୍ୟାଙ୍କ୍‌ ଆକାଉଣ୍ଟକୁ ସିଜ୍‌ କରିବା ସହ ଏଥିରେ ଥିବା ୨୫୦ କୋଟି ଟଙ୍କା ଜବତ କରିଥିଲା। ସଂସ୍ଥା ପାଖାପାଖି ୨୭ଟି ଛୋଟ ଛୋଟ ସଂସ୍ଥା ଖୋଲି ଏଭଳି ଜମା ସଂଗ୍ରହ କରୁଥିଲା। ଗୋଟିଏ ସଂସ୍ଥାରୁ ଅର୍ଥ ନେଇ ଅନ୍ୟ ସଂସ୍ଥାରେ ବିନିଯୋଗ କରୁଥିଲା। କୋଟି କୋଟି ଟଙ୍କା ଫିଲ୍ମ ନିର୍ମାଣରେ ମଧ୍ୟ ବିନିଯୋଗ ହୋଇଥିଲା।

The post ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ମାମଲା : ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ଶୁଭ୍ରାଙ୍କୁ ଗିରଫ କଲା ସିବିଆଇ first appeared on Sambad.


No comments

Powered by Blogger.