Header Ads

Header ADS

ପରୀ ମାମଲା : ଧୋକା ଦେଲେ ସରକାର: ବିଜେପି


ଭୁବନେଶ୍ବର : ନୟାଗଡ଼ ଜିଲ୍ଲା ଯଦୁପୁର ଗାଁର ୫ ବର୍ଷର ଝିଅ ପରୀର ହତ୍ୟାକାଣ୍ଡ ଘଟଣା ଆଜି ଭିନ୍ନ ମୋଡ଼ ନେଇଛି। ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଭ୍ରମିତ କରିଛନ୍ତି ବୋଲି ଅଭିଯୋଗ ଆଣି ବିଜେପି ଗର୍ଜିଛି।

ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ପରୀ ହତ୍ୟାକାଣ୍ଡ ଘଟଣାରେ ତଦନ୍ତ କରୁଥିବା ଏସ୍‌ଆଇଟି କୋର୍ଟ ମନିଟରିଂ ବୋଲି ରାଜ୍ୟସରକାର କହି ଓଡ଼ିଶାବାସୀଙ୍କୁ ବାରମ୍ବାର ଭ୍ରମିତ କରିଛନ୍ତି। ପରୀ ହତ୍ୟା ଘଟଣାର ତଦନ୍ତ ପାଇଁ ହାଇକୋର୍ଟଙ୍କୁ ରାଜ୍ୟ ସରକାର କୌଣସି ଚିଠି ଦେଇନଥିବା ଆରଟିଆଇ ତଥ୍ୟରୁ ଜଣାପଡ଼ିଛି। କେବଳ ଶାସକ ଦଳର ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟସରକାର ସାଢେ ୪ କୋଟି ଓଡ଼ିଆଙ୍କୁ ମିଛ କହିବା ଏବଂ ଧୋକା ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଲେଖାଶ୍ରୀ ଆହୁରି କହିଛନ୍ତି ଯେ ରାଜ୍ୟସରକାର କାହିଁକି ଅରୁଣ ସାହୁଙ୍କୁ ସୁରକ୍ଷା ଦେଉଛନ୍ତି? ସରକାରଙ୍କ କିଛି ଗୋଲକଧନ୍ଦାର ଚିଠା ଅରୁଣଙ୍କ ପାଖରେ ଅଛି କି ବୋଲି ବିଜେପି ପ୍ରଶ୍ନ କରିଛି। ଦଳ କହିଛି, ବିଜେଡି ସରକାର ମିଛର ପାହଡ଼ ଉପରେ ଠିଆ ହୋଇଛନ୍ତି। ପରୀ ହତ୍ୟାକାଣ୍ଡ ଓ ଅଙ୍ଗ ତସ୍କରିରେ ମନ୍ତ୍ରୀ ଅରୁଣ ସାହୁ ଓ କର୍ମୀ ବାବୁଲି ନାୟକ, କାହ୍ନୁ ବେହେରା, ଡୁଗୁ ନାୟକ, ଜୟୀ ପରିଡ଼ା ସଂପୃକ୍ତ ଥିବାରୁ ସେମାନଙ୍କୁ ବଞ୍ଚାଇବା ପାଇଁ ଗୋଟେ ପରେ ଗୋଟେ ମିଛ ପ୍ରହେଳିକା ରଚନା କରାଯାଉଛି। ବିଧାନସଭା ଭିତରେ ଓ ବାହାରେ ଶାସକ ଦଳ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସକମାନେ ବାରମ୍ବାର ଏସ୍‌ଆଇଟି ତଦନ୍ତ କୋର୍ଟ ମନିଟରିଂ ହେଉଛି ବୋଲି ମିଥ୍ୟା କହିବା ଗଣତନ୍ତ୍ରରେ ଏକ ଅକ୍ଷମଣୀୟ ଅପରାଧ ବୋଲି ଲେଖାଶ୍ରୀ କହିଛନ୍ତି।

ବିଜେପି କହିଛି,ସରକାର ବିଧାନସଭାରେ କୋର୍ଟ ମନିଟରିଂ କଥା କହି ପ୍ରଥମେ ମିଛ କହିଥିଲେ। ପରେ ଗଣମାଧ୍ୟମ ଆଗରେ ବାରମ୍ବାର ତାଙ୍କ ମନ୍ତ୍ରୀ, ବିଧାୟକ ଓ ମୁଖପାତ୍ରମାନେ ଏସଆଇଟି ତଦନ୍ତ କୋର୍ଟ ମନିଟରିଂ ବୋଲି ଦୋହରାଇଥିଲେ। ଓଡ଼ିଶାର ଡିଜିପି ଅଭୟ ମଧ୍ୟ ଗୋଟେ ଲିଖିତ ପ୍ରେସ ବିଜ୍ଞପ୍ତିରେ ଏସ୍‌ଆଇଟି କୋର୍ଟ ମନିଟରିଂ ବୋଲି କହିଥିଲେ। ଏଥିରୁ ସ୍ପଷ୍ଟ ଯେ ଅରୁଣଙ୍କୁ ବଞ୍ଚାଇବା ପାଇଁ ଏବଂ ପରୀ ହତ୍ୟା ତଦନ୍ତକୁ ବାଟବଣା କରିବା ଲାଗି ପୁଲିସ ବିଭାଗର ସର୍ବୋଚ୍ଚସ୍ତରରେ ଷଡ଼୍‌ଯନ୍ତ୍ର ହୋଇଥିଲା। ଶାସକ ଦଳ ଏସ୍‌ଆଇଟି ଓ ଉଚ୍ଚପଦାଧିକାରୀ ଉଚ୍ଚନ୍ୟାୟାଳୟଙ୍କ ନାଁ ନେଇ ମିଛ କହିଛନ୍ତି । କଂଗ୍ରେସର ମୁଖପାତ୍ରମାନେ ବି ବିଭିନ୍ନ ସମୟରେ ବିଜେଡି କଥାରେ ହଁ ରେ ହଁ ମିଳାଇ ଏସ୍‌ଆଇଟି କୋର୍ଟ ମନିଟରିଂ ବୋଲି କହିଛନ୍ତି। ହେଲେ ସୂଚନା ଅଧିକାର ଆଇନ ସତ ସାମ୍ନାକୁ ଆଣିଛି। ବିଧାନସଭାରେ ମିଥ୍ୟା କହିଥିବାରୁ ବିଜେଡି ବିଧାୟକଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣାଯାଉ ଏବଂ ଉଚ୍ଚନ୍ୟାୟାଳୟ ନାଁ ନେଇ ମିଛ କହିଥିବାରୁ କୋର୍ଟର ଅବମାନନା ଆଧାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏଥିସହିତ ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ସେ ଦାବି ଦୋହରାଇଛନ୍ତି।

The post ପରୀ ମାମଲା : ଧୋକା ଦେଲେ ସରକାର: ବିଜେପି first appeared on Sambad.


No comments

Powered by Blogger.