Header Ads

Header ADS

ବନ୍ଦ ହେଲା ୩୧ ଘରୋଇ କୋଭିଡ୍‌ ହସ୍ପିଟାଲ, ୧ ତାରିଖରୁ ଆଡମିସନ୍ ମନା


ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ହେଉଥିବା ୩୧ଟି ଘରୋଇ କୋଭିଡ୍‌ ହସ୍ପିଟାଲକୁ ବନ୍ଦ କରାଯାଇଛି। କେବଳ ସମ୍ କୋଭିଡ୍‌ ହସ୍ପିଟାଲ ଓ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲକୁ ବାଦ୍ ଦେଇ ଚଳିତ ମାସ ୧ତାରିଖଠାରୁ ଆଉ ଅନ୍ୟ କୌଣସି ଘରୋଇ କୋଭିଡ୍‌ ହସ୍ପିଟାଲରେ ସଂକ୍ରମିତଙ୍କୁ ଆଡମିଟ୍‌ ନ କରିବାକୁ କୁହାଯାଇଛି। ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ ଓ ନଗର ନିଗମକୁ ଚିଠି ଲେଖିଛନ୍ତି।

କରୋନା ସଂକ୍ରମଣ ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସରକାର ସଂକ୍ରମିତଙ୍କ ଚିକିତ୍ସା କରିବା ଲାଗି ପଦକ୍ଷେପ ସ୍ବରୂପ କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା କରିଥିଲେ। ରାଜ୍ୟ ସରକାରଙ୍କ ନିଜସ୍ବ ଓ ଅନ୍ୟ ସଂସ୍ଥା ସହାୟତାରେ କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା କରାଯାଇଥିଲା। ରାଜ୍ୟରେ ସମୁଦାୟ ୪୮ଟି କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା ହୋଇଥିବା ବେଳେ ୩୧ଟି ଘରୋଇ କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା ହୋଇଥିଲା। କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଏସବୁ ହସ୍ପିଟାଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ମାତ୍ର ଗତ କିଛିମାସ ଧରି ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ସରକାର ଏସବୁ ଘରୋଇ କୋଭିଡ୍‌ ହସ୍ପିଟାଲକୁ ବନ୍ଦ କରିଛନ୍ତି। ତେବେ ସମ୍ କୋଭିଡ୍‌ ହସ୍ପିଟାଲରେ ୫୦ଟି ସାଧାରଣ ଶଯ୍ୟା, ୭୫ ଆଇସିୟୁ ଓ ୨୫ ଏଚ୍‌ଡିୟୁ ସଂରକ୍ଷିତ ରହିବ। ଏହାସହ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲକୁ ରାଜ୍ୟ ସରକାର କୋଭିଡ୍‌ ଯୋଦ୍ଧାମାନଙ୍କ ପାଇଁ ସମର୍ପିତ କରିଥିବାରୁ ତାହା ମଧ୍ୟ ଜାରି ରହିବ।

ଘରୋଇ କୋଭିଡ୍‌ ହସ୍ପିଟାଲରେ ଚଳିତମାସ ୧ତାରିଖ ପୂର୍ବରୁ ଯେଉଁ ରୋଗୀ ଚିକିତ୍ସିତ ହେଉଥିବେ ସେମାନେ ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଜାରି ରହିବ। ଏହି ସମୟରେ ରୋଗୀଙ୍କ ବାବଦରେ ଖର୍ଚ ହୋଇଥିବା ଅର୍ଥକୁ ପୂର୍ବରୁ ରାଜ୍ୟ ସରକାର କରିଥିବା ଧାର୍ଯ୍ୟ ଦର ଅନୁସାରେ ପରିଶୋଧ କରାଯିବ। ଅପରପକ୍ଷରେ ରାଜ୍ୟରେ ଥିବା ଘରୋଇ ହସ୍ପିଟାଲଗୁଡ଼ିକ ମଧ୍ୟ କରୋନା ସଂକ୍ରମିତଙ୍କୁ ପୂର୍ବଭଳି ଚିକିତ୍ସା ଯୋଗାଇବାକୁ କୁହାଯାଇଛି। ଏହାସହ କୋଭିଡ୍‌ କେୟାର ସେଣ୍ଟର ବା ସିସିସି ଓ କରୋନା କେୟାର ହୋମ୍ ବା ସିସିଏଚ୍‌କୁ ମଧ୍ୟ ବନ୍ଦ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମାତ୍ର ଯେଉଁମାନଙ୍କର କୌଣସି ଲକ୍ଷଣ ନ ଥିବ ସେମାନେ ଘରେ ପୃଥକବାସରେ ରହିପାରିବେ।

The post ବନ୍ଦ ହେଲା ୩୧ ଘରୋଇ କୋଭିଡ୍‌ ହସ୍ପିଟାଲ, ୧ ତାରିଖରୁ ଆଡମିସନ୍ ମନା first appeared on Sambad.


No comments

Powered by Blogger.