Header Ads

Header ADS

ପରୀ ହତ୍ୟା ମାମଲାରେ ଏସ୍‌ଆଇଟିକୁ ଝଟ୍‌କା: ବାଲ୍‌ ସୁଧାର ଗୃହ ଗଲା ଅଭିଯୁକ୍ତ


ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁରର ନାବାଳିକା ଅମ୍ରିତାସ୍ନେହା ସାହୁ (ପରୀ) ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତ ନାବାଳକ। ପକ୍ସୋ କୋର୍ଟ ବିଚାରପତି ଉଦୟଭାନୁ ଜେନା ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ରକୁ କାଏମ ରଖିବା ସହିତ ଏହି ରାୟ ପ୍ରଦାନ କରିଛନ୍ତି। ଏଥିସହିତ, ମାମଲାରୁ ନୟାଗଡ଼ ଜଷ୍ଟିସ୍‌ ଜୁଭେନାଇଲ୍‌ ବୋର୍ଡକୁ ସ୍ଥାନାନ୍ତର କରିଛନ୍ତି। ଫଳରେ, ଜେଲ୍‌ ବଦଳରେ ଅଭିଯୁକ୍ତକୁ ଅନୁଗୁଳସ୍ଥିତ ବାଲ୍‌ ସୁଧାର ଗୃହକୁ ପଠାଇ ଦିଆଯାଇଛି। ଅପରପକ୍ଷେ, କୋର୍ଟଙ୍କ ଏହି ରାୟ ପ‌ରେ ଅଭିଯୁକ୍ତକୁ ସାବାଳକ ବୋଲି ଦର୍ଶାଇଥିବା କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌ଆଇଟି)କୁ ଏକପ୍ରକାର ଶକ୍ତ ଝଟ୍‌କା ଲାଗିଛି।

ଗତକାଲି ଓକିଲ ପ୍ରଫୁଲ୍ଲ ଶତପଥୀ କୋର୍ଟଙ୍କ ନିକଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ୍‌ର ମୂଳକପି ଦାଖଲ କରିଥିଲେ। ପକ୍ସୋ କୋର୍ଟ ଏହାକୁ ବିଚାର ପାଇଁ ଗ୍ରହଣ କରିଥିବା ସହିତ ଅଭିଯୁକ୍ତର ମା’ଙ୍କୁ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ଅଭିଯୁକ୍ତର ମା’ କୋର୍ଟରେ ଉପସ୍ଥିର ରହି ନିଜର ବୟାନ ଦେଇଥିଲେ। ପୂର୍ବାହ୍ଣ ପ୍ରାୟ ୧୦ଟା ବେଳେ ଏହି ଶୁଣାଣି ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଅଭିଯୁକ୍ତ ନାବାଳକ ବୋଲି ପ୍ରମାଣିତ ହେବାପରେ ପକ୍ସୋ କୋର୍ଟ ଏହି ମାମଲାକୁ ନୟାଗଡ଼ ଜଷ୍ଟିସ୍ ଜୁଭେନାଇଲ ବୋର୍ଡକୁ ସ୍ଥାନାନ୍ତର କରିଛନ୍ତି। ଏଥିସହିତ, ଅଭିଯୁକ୍ତର ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ଏସ୍‌ଆଇଟି ଆବେଦନ କରିଥିଲା। ବର୍ତ୍ତମାନ ମାମଲା ଜଷ୍ଟିସ୍‌ ଜୁଭେନାଇଲ୍‌ ବୋର୍ଡକୁ ସ୍ଥାନାନ୍ତର ହୋଇଥିବାରୁ, ଏ ସର୍ମ୍ପକରେ ବୋର୍ଡ ନିଷ୍ପତ୍ତି ଗ୍ରହଣ କରିବେ ବୋଲି କୋର୍ଟ କହିଛନ୍ତି। ଅଭିଯୁକ୍ତକୁ ସନ୍ଧ୍ୟା ପ୍ରାୟ ୫ଟାରେ ‌ବୋର୍ଡରେ ହାଜର କରାଯାଇଥିଲା। ଏହାପରେ ତାକୁ ଜେଲ୍‌ ବଦଳରେ ଅନୁଗୁଳସ୍ଥିତ ବାଲ୍‌ ସୁଧାର ଗୃହକୁ ପଠାଯାଇଥିବା ଜଣାପଡ଼ିଛି।

ନୟାଗଡ଼ ପକ୍ସୋ କୋର୍ଟଙ୍କ ଏହି ରାୟ ଅଭିଯୁକ୍ତକୁ ସାବାଳକ ଭାବେ ଗିରଫ କରିଥିବା କ୍ରାଇମ୍‌ବ୍ରାଞ୍ଚ୍‌ ପୁଲିସର ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସ୍‌ଆଇଟି) ବଡ଼ ଝଟ୍‌କ‌ା‌ ଦେଇଛି। ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ୍‌ରୁ ତାଙ୍କ ଜନ୍ମ ତାରିଖ ୦୬/୦୨/ ୨୦୦୩ ବୋଲି ଏସ୍‌ଆଇଟି ଅବଗତ ଥିଲା। ‌ହେଲେ ଏସ୍‌ଆଇଟି ମୁଖ୍ୟ ଅଭିଯୁକ୍ତର ଓସିଫିକେସନ (ଯଦି ଜନ୍ମ , ଶିକ୍ଷାଗତ ପ୍ରମାଣପତ୍ର ନଥାଏ, ମେଡିକାଲ‌ରେ ଅଭିଯୁକ୍ତ ହାଡ଼ରୁ ତା’ର ବୟସ ଜାଣିବାକୁ ଏକ ପରୀକ୍ଷା) ଆ‌ଧାରରେ ତାକୁ ୧୮ ବର୍ଷରୁ ଅଧିକ ‌ବୋଲି କୋର୍ଟରେ ପ୍ରମାଣପତ୍ର ଦାଖଲ କରିଥିଲେ। ଏବଂ ତାଙ୍କୁ ହତ୍ୟା ଅଭିଯୁକ୍ତ ଭାବେ ଜେଲ୍‌ ପଠାଇ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତକୁ ଡିସେମ୍ବର ୨୧ ତାରିଖରେ ଏସ୍‌ଆଇଟି ଗିରଫ କରିଥିଲା। ଏଥିସହିତ ତାକୁ ୩ ଦିନିଆ ରିମାଣ୍ଡ୍‌ରେ ନେଇ ଅଧିକ ପଚରାଉଚରା କରିଥିଲା।

ଅନ୍ୟପକ୍ଷରେ ଅଭିଯୁକ୍ତକୁ ଏସ୍‌ଆଇଟି କେଉଁ ଉଦ୍ଦେଶ୍ୟରେ ସାବାଳକ ସଜାଇଥିଲା‌, ତାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଆଜି କୋର୍ଟଙ୍କ ଏହି ରାୟ ପରେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପୁଲିସ ତଥା ଏସ୍‌ଆଇଟି ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛି। ସଭାପତି ଆଇନଜୀବୀ ରଣଜିତ ଦାଶ କହିଛନ୍ତି, ଜଣେ ନାବାଳକକୁ କାହିଁକି ଏସ୍‌ଆଇଟି ସାବାଳକ ସଜାଇ ତଦନ୍ତକୁ ଦିଗହରା କରିଛି, ସେ ନେଇ ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ। ଏସ୍‌ଆଇଟିର ଏଭଳି ଖାମ୍‌ଖିଆ‌ଲ ତଦନ୍ତ ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ଶ୍ରୀ ଦାଶ କହିଛନ୍ତି।

ନିଖୋଜ ଶିଶୁଙ୍କ ନ୍ୟାୟ ଦେବାକୁ ଦୀପ ଜାଳିବ ବିଜେପି
ଅରୁଣ ବ୍ରୋଥାଙ୍କୁ ଏସ୍‌ଆଇଟି ମୁଖ୍ୟ ପଦବିରୁ ବହିଷ୍କାର କରାଯାଉ: ସମୀର ମହାନ୍ତି
ଭୁବନେଶ୍ୱର: ନୟାଗଡ଼ର ପରୀ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ସରୋଜ ସେଠୀଙ୍କୁ ପୋକସୋ କୋର୍ଟ ନାବାଳକ ବୋଲି କହିବା ପରେ ତାହାକୁ ନେଇ ରାଜନୀତି ତେଜିଛି। ବିଜେପି ଏହି ପ୍ରସଙ୍ଗରେ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି। ପରୀ ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେବା ଲାଗି ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ତଦନ୍ତକୁ ଦିଗହରା କରିଛନ୍ତି ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ଏହା ସହ ପରୀ ସମେତ ସବୁ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବାକୁ ବିଜେପି ରାଜ୍ୟର ସବୁ ମନ୍ଦିରରେ ଦୀପ ଜାଳିବ ବୋଲି ନିଷ୍ପତ୍ତି ହୋଇଛି। ଶ୍ରୀ ମହାନ୍ତି କହିଛନ୍ତି ଯେ ପରୀ ଘଟଣାରେ ତଦନ୍ତର ନିରପେକ୍ଷତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଥିଲା। ଆଜି ସରୋଜ ସେଠୀଙ୍କୁ ପୋକ୍‌ସୋ କୋର୍ଟ ନାବାଳକ ବୋଲି କହିଛନ୍ତି। କୋର୍ଟଙ୍କ ଶୁଣାଣି ପରେ ଅରୁଣ ବ୍ରୋଥା ମିଛୁଆ ବୋଲି ପ୍ରମାଣିତ ହୋଇଛନ୍ତି। ଶ୍ରୀ ବୋଥ୍ରା ମିଥ୍ୟା ତଥ୍ୟ ସବୁ ଦେଇଥିବାରୁ ରାଜ୍ୟ ସରକାର ତୁରନ୍ତ ତାଙ୍କୁ ଏସଆଇଟି ମୁଖ୍ୟ ପଦବିରୁ ବହିଷ୍କାର କରନ୍ତୁ। ପରୀ ସମେତ ରାଜ୍ୟର ଗତ ୨ ବର୍ଷରେ ନିଖୋଜ ହୋଇଥିବା ୫୫୦୩ ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ସିବିଆଇକୁ ତଦନ୍ତ ଭାର ଦିଅନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି।

ବିଜେପି ମହିଳା ମୋର୍ଚ୍ଚା ସଭା‌େନତ୍ରୀ ସ୍ମୃତି ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀ‌େର କହିଛନ୍ତି ଯେ ପିଲା ଚୋରି ଏବଂ ଅଙ୍ଗ ତସ୍କରୀ ଗ୍ୟାଙ୍ଗକୁ ବିଜେଡି ନେତାମାନେ ପୋତ୍ସାହନ ଦେଉଛନ୍ତି। ଏହା ଫଳରେ ରାଜ୍ୟରୁ ଗତ ୨ ବର୍ଷରେ ୫୫୦୦ ଶିଶୁ ଏବଂ ବିଗତ ୫ ବର୍ଷରେ ୨୭ ହଜାର ଶିଶୁ ନିଖୋଜ ହୋଇଛନ୍ତି। ପରୀ ଘଟଣାରେ ବିଧାନସଭାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଫରେନ୍‌ସିକ୍‌ ରିପୋର୍ଟ ଆଧାରରେ କହିଥିଲେ ଯେ ପରୀ ସହ ଦୁଷ୍କର୍ମ ହୋଇଛି କି ନାହିଁ ଜଣାପଡ଼ିବନି। କିନ୍ତୁ ଏସ୍‌ଆଇଟି ମୁଖ୍ୟ ଆଉ ଏକ ନୂଆ ଫରେନ୍‌ସିକ୍‌ ରିପୋର୍ଟ ତିଆରି କରି ପରୀ ସହ ଦୁଷ୍କର୍ମ ହୋଇଛି ବୋଲି କହିଲେ। ଏସ୍‌ଆଇଟି ମୁଖ୍ୟ କହିଲେ ଯେ ସରୋଜ ସେଠୀ ପରୀକୁ ମାରି ଦେଲା ପରେ ତା ସହ ଦୁଷ୍କର୍ମ କରିଛି। କିନ୍ତୁ ଫରେନ୍ସିକ ରିପୋର୍ଟ କହୁଛି ଯେ ଏହି କଥାରେ କୌଣସି ସାମଞ୍ଜସ୍ୟ ନାହିଁ। ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଥିବାରୁ ଏସ୍‌ଆଇଟି ସରକାରଙ୍କ ନିର୍ଦ୍ଦେଶରେ ତଦନ୍ତ କରିଥିଲା। ପରୀକୁ ନ୍ୟାୟ ନ ମିଳିଲା ପର୍ଯ୍ୟନ୍ତ ବିଜେପି ଲଢ଼େଇ ଜାରି ରଖିବ। ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ଲାଗି ପ୍ରତି ଗାଁରେ ଆନ୍ଦୋଳନ କରାଯିବ। ୫ରୁ ୧୨ ତାରିଖ ଭିତରେ ବିଜେପି ପ୍ରତ୍ୟେକ ପଞ୍ଚାୟତରେ ଗ୍ରାମଦେବୀଙ୍କ ପାଖରେ ଦୀପ ଲଗାଇବ। ଏ ସରକାର ପିଲା ଚୋରି ସରକାର ବୋଲି ବିଜେପିର କାର୍ଯ୍ୟକର୍ତା ପ୍ରତି ଘର ଘର ବୁଲି ଲୋକଙ୍କୁ ଅବଗତ କରାଇବେ। ଓଡିଶାର ସମସ୍ତ ପଞ୍ଚାୟତ, ପୌରପାଳିକା ଓ ୱାର୍ଡରେ ଏହି ପ୍ରସଙ୍ଗରେ ଏକ ହସ୍ତାକ୍ଷର ଅଭିଯାନ ଆରମ୍ଭ କରିବ। ଆଗାମୀ ୧୨ରୁ ୧୫ ପର୍ଯ୍ୟନ୍ତ ସବୁ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ କରାଯିବ।

The post ପରୀ ହତ୍ୟା ମାମଲାରେ ଏସ୍‌ଆଇଟିକୁ ଝଟ୍‌କା: ବାଲ୍‌ ସୁଧାର ଗୃହ ଗଲା ଅଭିଯୁକ୍ତ first appeared on Sambad.


No comments

Powered by Blogger.