Header Ads

Header ADS

ସଚିବସ୍ତରୀୟ ବୈଠକରେ ମୁଖ୍ୟସଚିବଙ୍କ ନିର୍ଦେଶ, ଜିଲ୍ଲା ଗସ୍ତ କରିବେ ବରିଷ୍ଠ ଅଧିକାରୀ


ଭୁବନେଶ୍ବର: କରୋନା ମହାମାରୀ ଯୋଗୁଁ ରାଜ୍ୟ ଆର୍ଥିକ ସ୍ତରରେ ଗଭୀର ଭାବେ ପ୍ରଭାବିତ ହୋଇଛି। କାମଧନ୍ଦା ଅଭାବରୁ ବହୁ ଲୋକ ରୋଜଗାରରୁ ବଞ୍ଚିତ ହୋଇଛନ୍ତି। ଏବେ କୋଭିଡ୍‌ କଟକଣା କୋହଳ ହେବା ପରେ ଆର୍ଥିକ ଗତିବିଧିକୁ ଜୋରଦାର କରିବାକୁ ପଡ଼ିବ। ଲୋକଙ୍କ ରୋଜଗାର ବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରିବାକୁ ପଡ଼ିବ। ଆଜି ପ୍ରଥମ ସଚିବ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ବିଭାଗୀୟ ସଚିବମାନଙ୍କୁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ କଲେଜ ଓ ବିଶ୍ବବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଠାନ ଖୋଲିଲେ ବାରମ୍ବାର ନିୟମିତ ବ୍ୟବଧାନରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଜିଲ୍ଲାସ୍ତରରେ ରୋଜଗାର ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେଉ​ଛି କି ନାହିଁ, ବରିଷ୍ଠ ଅଧିକାରୀମାନେ ଜିଲ୍ଲା ଗସ୍ତ କରି ସେସବୁକୁ ତଦାରଖ କରିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି।

ଲୋକସେବା ଭବନରେ ଭିଡିଓ କନଫରେନ୍‌ସିଂ ଜରିଆରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ମହାପାତ୍ର କହିଥିଲେ କୋଭିଡ୍‌ ପ୍ରତିହତ ପାଇଁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଇଛନ୍ତି। କୌଣସି ବି ବିଭାଗ କୋଭିଡ୍‌ ସଂକ୍ରମଣ ପ୍ରତିହତ ପାଇଁ ଜାରି ହୋଇଥିବା ଏସ୍‌ଓପି ଯେପରି ଉଲଂଘନ ନ ହୁଏ ସେଥିପ୍ରତି ସଚିବମାନେ ଦୃଷ୍ଟି ଦେବେ। ଶିକ୍ଷାନୁଷ୍ଠାନ ଓ ହଷ୍ଟେଲରେ ଛାତ୍ରଛାତ୍ରୀମାନଙ୍କ ଆବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପଦକ୍ଷେପ ନେବେ। ଏଥିପାଇଁ ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ନିୟମିତ ଭାବେ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ର ସହିତ ଯୋଗାଯୋଗରେ ଯେପରି ରହିବେ ସେଥିପାଇଁ ସେମାନଙ୍କୁ ପରାମର୍ଶ ଦିଆଯିବ।

ଆର୍ଥିକ ଗତିବିଧି ତ୍ବରାନ୍ବିତ କରିବା ଉପରେ ଗୁରୁତ୍ବ, ଶିକ୍ଷାନୁଷ୍ଠାନରେ ବାରମ୍ବାର ସ୍ବାସ୍ଥ୍ୟ ପରୀକ୍ଷା ହେବ: ମୁଖ୍ୟ ସଚିବ

ବୈଠକରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇ କହିଥିଲେ, ସ୍ବାସ୍ୟ ବିଭାଗର ଅଧିକାରୀ ନିୟମିତ ଶିକ୍ଷାନୁଷ୍ଠାନ ଯାଇ ସ୍ବାସ୍ଥ୍ୟ ପରୀକ୍ଷା ସୁବିଧାର ଯାଞ୍ଚ କରିବେ। ଗ୍ରାମାଞ୍ଚଳଳରେ ପାଇପ ଜଳ ଯୋଗାଣ ପ୍ରକଳ୍ପ ଓ ପକ୍କାଘର ନିର୍ମାଣ କାର୍ଯ୍ୟ ଯେପରି ଶୀଘ୍ର ଶେଷ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଦେଇଛନ୍ତି। ପୁରୀ ପାଇଁ ପ୍ରସ୍ତାବିତ ଐତିହ୍ୟ ପ୍ରକଳ୍ପ, ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ ଓ କଟକ ଏସ୍‌ସିବିକୁ ବିଶ୍ବସ୍ତରୀୟ ଏମ୍‌ସ୍‌ ପ୍ଲସ୍‌ ଡାକ୍ତରଖାନାରେ ପରିଣତ କରିବା ପାଇଁ ସରକାର ଯେଉଁ ଘୋଷଣା କରିଛନ୍ତି, ସେସବୁ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ କରାଯିବ। ବର୍ତ୍ତମାନ ରାଜ୍ୟରେ ଅଢ଼େଇ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାମ ଚାଲୁ ରହିଛି। ୩୦ଟି ଜିଲ୍ଲାକୁ ମିଶାଇ ପ୍ରାୟ ୬ ଲକ୍ଷ ଗ୍ରାମୀଣ ଆବାସ ୟୁନିଟ୍‌ ଓ ୭୦୦ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ମନରେଗା ଯୋଜନାରେ ୨୩ କୋଟି ଶ୍ରମଦିବସ ସୃ୍ଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ସରକାରୀ ସେବା ପ୍ରଦାନ କଲାବେଳେ ୫’ଟି’ସଂସ୍କାରକୁ ସମସ୍ତ ଅଧିକାରୀ ପାଳନ କରିବେ ସେଥିପ୍ରତି ସମସ୍ତ ବିଭାଗ ଦୃଷ୍ଟି ଦେବେ।

ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ପରାମର୍ଶ ଦେଇ କହିଥିଲେ, ୨୦୨୦-୨୧ ଆର୍ଥିକ ବର୍ଷରେ ବିଭିନ୍ନ ବିଭାଗ ପାଇଁ ବ୍ୟୟବରାଦ ହୋଇଥିବା ବଜେଟ୍‌ ଅର୍ଥକୁ ଆସନ୍ତା ୩ ମାସ ଭିତରେ ଖର୍ଚ୍ଚ କରିବା ପାଇଁ ବିଭାଗମାନେ ତତ୍ପର ହୁଅନ୍ତୁ। ପଡ଼ିରହିଥାବ ଆବେଦନଗୁଡ଼ିକୁ ବିଚାର କରି ତ୍ବରିତ୍‌ ମଞ୍ଜୁରୀ ପ୍ରଦାନ କରାଯିବା ଆବଶ୍ୟକ। ଏହି ବୈଠକରେ ଉପସ୍ଥିତ ଥିବା ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଆସନ୍ତା ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆସିବାକୁ ଥିବା ରାଜ୍ୟ ସରକାରଙ୍କ ବଜେଟ୍‌ ପାଇଁ ବିଭାଗୀୟ ଖର୍ଚ୍ଚ ବ୍ୟୟ ଅଟକଳ ପ୍ରସ୍ତାବ ପଠାଇବାକୁ ସୂଚନା ଦେଇଥିଲେ। କୃଷି ଉତ୍ପାଦନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା ବ୍ୟାପକ ଓ ସମନ୍ବିତ ଚାଷ ଉପରେ ଚାଷୀମାନଙ୍କୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ବ ଦେଇଥିଲେ। ଏହାଦ୍ବାରା ଚାଷୀମାନଙ୍କୁ ଆୟକୁ ଦୁଇଗୁଣ କରିହେବ। ଗତ ଡିସେମ୍ବର ୨୮ ତାରିଖରୁ ରାଜ୍ୟରେ ଥିବା ସମସ୍ତ ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନଗୁଡ଼ିକ କୋଭିଡ୍‌ କଟକଣା ପାଳନ ପୂର୍ବକ ଖୋଲାଯାଇଛି। ବୈଷୟିକ ଶିକ୍ଷାନୁଷ୍ଠାନ ଓ ପଲିଟେକ୍‌ନିକ୍‌ କଲେଜଗୁଡ଼ିକ ଖୁବଶୀଘ୍ର ଖୋଲିବ ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶାସନ ସଚିବ ସଞ୍ଜୟ କୁମାର ସିଂହ ବୈଠକରେ ଅବଗତ କରାଇଥିଲେ। ସଚିବସ୍ତରୀୟ ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରାଙ୍କ ସମେତ ସମସ୍ତ ବିଭାଗୀୟ ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ସ୍ବତନ୍ତ୍ର ସଚିବମାନେ ଯୋଗଦେଇଥିଲେ।

The post ସଚିବସ୍ତରୀୟ ବୈଠକରେ ମୁଖ୍ୟସଚିବଙ୍କ ନିର୍ଦେଶ, ଜିଲ୍ଲା ଗସ୍ତ କରିବେ ବରିଷ୍ଠ ଅଧିକାରୀ first appeared on Sambad.


No comments

Powered by Blogger.