Header Ads

Header ADS

ମାତିଲେଣି ନିଶା ମାଫିଆ: ଫାଣ୍ଡିବାବୁଙ୍କୁ ତୀରମାଡ଼, ୩ ଘଣ୍ଟା ପରେ ପେଟରୁ ବାହାରିଲା ତୀର


ରାଉରକେଲା/କୋଇଡା: ବେଆଇନ ମଦ ଚଢ଼ଉ କରିବା ସମୟରେ ମଦ ବେପାରୀଙ୍କ ତୀର ମାଡରେ ଟେନ୍‌ସା ଫାଣ୍ଡି ଅଧିକାରୀ ଅଶୋକ କୁମାର ବେହେରା ଗୁରୁତର ହୋଇଛନ୍ତି। ତାଙ୍କ ପେଟର ଡାହାଣ ପାର୍ଶ୍ବରେ ତୀର ପଶି ଯିବାରୁ ଗୁରୁତର ହୋଇ ପଡ଼ିଥିଲେ। ପ୍ରଥମେ ତାଙ୍କୁ ଟେନ୍‌ସାସ୍ଥିତ ସେଲ୍‌ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କ ପେଟରୁ ତୀର ବାହାର କରି ପାରି ନଥିଲେ। ତେଣୁ ସେଠାରୁ ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)କୁ ଅଣାଯାଇଥିଲା। ପ୍ରାୟ ୩ ଘଣ୍ଟା ପରେ ରାତି ପ୍ରାୟ ସାଢ଼େ ୭ଟାରେ ସେ ଆଇଜିଏଚ୍‌ରେ ପହଞ୍ଚିଥିଲେ। ଅସ୍ତ୍ରୋପଚାର ପରେ ପେଟରୁ ତୀର ବାହାର କରାଯାଇ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ରାଉରକେଲା ଏସ୍‌ପି ମୁକେଶ କୁମାର ଭାମୁ ହସ୍ପିଟାଲରେ ପହଞ୍ଚି ପାଣ୍ଡି ଅଧିକାରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଘଟଣାର ତଦନ୍ତ ଚଳାଇଛନ୍ତି। ଅନ୍ୟପକ୍ଷରେ ତୀର ମାଡ କରିଥିବା ଯୁବକ ଓ ତାର ସହଯୋଗୀ ବସ୍ତିରୁ ଫେରାର ହୋଇଯାଇଛନ୍ତି।
ମିଳିଥିବା ସୂଚନା ମୁତାବକ, ଗତ କିଛି ଦିନ ଧରି ଟେନ୍‌ସା ଫାଣ୍ଡି ଅନ୍ତର୍ଗତ ଜିରୋ ପଏଣ୍ଟ ହାଟିଂରେ କିଛି ଲୋକ ଦେଶୀ ମହୁଲି ମଦ ବିକ୍ରି କରୁଥିଲେ। ଫଳରେ ଆଖପାଖ ଅଞ୍ଚଳରେ ମଦୁଆଙ୍କ ଦୌରାତ୍ମ୍ୟ ଯୋଗୁଁ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିଲା। ଆଜି ସକାଳେ ଫାଣ୍ଡି ଅଧିକାରୀ ଅଶୋକ ବେହେରା ସେଠାରେ ପହଞ୍ଚିଥିଲେ। ମଦ ବିକୁଥିବା ଲୋକଙ୍କୁ ମଦ ନ ବିକିବାକୁ ତାଗିଦ କରି ସେ ଫେରି ଯାଇଥିଲେ। ତାପରେ ମଧ୍ୟ ମଦ ବେପାରୀମାନେ ମଦ ବିକ୍ରି କରିବା ଛାଡ଼ି ନ ଥିଲେ। ସେ ଖବର ପାଇ ଅପରାହ୍ନ ପ୍ରାୟ ସାଢ଼େ ୪ଟା‌ରେ ଶ୍ରୀ ବେହେରାଙ୍କ ନେତୃତ୍ବ ଗଠିତ ସ୍ବତନ୍ତ୍ର ଟିମ୍‌ ସେଠାରେ ଚଢ଼ଉ ଆରମ୍ଭ କରିଥିଲେ। ସେହି ଭିତରେ ହଠାତ୍‌ ଜଣେ ଆଦିବାସୀ ଯୁବକ ଶ୍ରୀ ବେହେରାଙ୍କୁ ତୀର ମାଡ଼ କରିଥିଲେ। ବଣାଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୟେଦ ମୁଜିବୁର ରେହମାନ ଓ ଲହୁଣିପଡା ଥାନା ଅଧିକାରୀ ସନ୍ତୋଷ ଜେନା ଘଟଣାସ୍ଥଳରେ ପହଞ୍ଚି ଚଢ଼ଉ ଜାରି ରଖିଛନ୍ତି।

 

ଗଂଜେଇ ଚଢ଼ଉବେଳେ କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌କୁ ଆକ୍ରମଣ

 

ଫୁଲବାଣୀ: ଗଂଜେଇ ଚଢ଼ଉ ସମୟରେ ପୁଲିସ ବାହିନୀ ଉପରେ ଆକ୍ରମଣ ହେଲା। ଗ୍ରାମବାସୀ ନକଲି ପୁଲିସ ଭାବି କ୍ରା‌ଇମବ୍ରାଞ୍ଚ୍‌ ସ୍ବତନ୍ତ୍ର ଟିମ୍‌କୁ ନିସ୍ତୁକ ପିଟିଥିଲେ। ଏଥିରେ ୭ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡ଼ିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାକେନ୍ଦ୍ରି ଗାଁରେ। ଏହି ଗାଁରେ ବିପୁଳ ଗଂଜେଇ ମହଜୁଦ ଥିବା ବିଶେଷ ସୂତ୍ରରୁ ଖବର ଥିଲା। ବୌଦ୍ଧ ପଟୁ ସକାଳ ୫ଟା ୩୦ରେ କ୍ରାଇମବ୍ରାଞ୍ଚ୍‌ର ୭ ଜଣିଆ ଟିମ୍‌ କାକେନ୍ଦ୍ରିରେ ପହଞ୍ଚିଥିଲା। ଭୋର୍‌ରୁ ପୁଲିସ ପୋଷାକରେ ଥିବା ଟିମ୍‌କୁ ଦେଖି ଗ୍ରାମବାସୀଙ୍କ ସନ୍ଦେହ ହେଲା। ଗଂଜେଇ କାହା ଘରେ ଅଛି ବୋଲି ପଚାରିବାରୁ ଗ୍ରାମବାସୀ ଏକଜୁଟ ହୋଇ ବିରୋଧ କରିଥିଲେ। ତାପରେ ଟିମ୍‌ ସଦସ୍ୟଙ୍କ ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ଏମିତିକି ଜଣେ ବରିଷ୍ଠ ଅଧିକାରୀଙ୍କୁ ଗ‌ଛରେ ବାନ୍ଧି ପ୍ରବଳ ମାଡ଼ ମାରିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା, ଅନ୍ୟମାନେ ମଧ୍ୟ ଆହତ ହୋଇଥିଲେ।

ଖବର ପାଇ ଫୁଲବାଣୀରୁ ପୁଲିସ କାକେନ୍ଦ୍ରି ଗାଁରେ ପହଞ୍ଚି ଟିମ୍‌କୁ ଲୋକଙ୍କ କବଳରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଆଉଟଡୋର୍‌ରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଭୁବନେଶ୍ବର ପଠାଇ ଦିଆ ଯାଇଥିଲା। ଗ୍ରାମବାସୀଙ୍କ ଆକ୍ରମଣରେ ଆହତ ଟିମ୍‌ ସଦସ୍ୟମାନେ ହେଲେ ପ୍ରଶାନ୍ତ କୁମାର ଭୋଇ(୫୯), ସତ୍ୟାନନ୍ଦ ରାଉତ(୪୦), ଅରୁଣ କୁମାର ନାୟକ(୫୨), ଗଣେଶ୍ବର ନାୟକ(୫୧), ଶରତ କୁମାର ବେହେରା(୫୧), ବିଳାସିନୀ ନାୟକ(୫୬) ଓ ଶୁଭେନ୍ଦୁ କୁମାର ଦାସ(୩୮)। ଆକ୍ରମଣକାରୀ ଗ୍ରାମବାସୀଙ୍କୁ ଗିରଫ ପାଇଁ ପୁଲିସ ଉଦ୍ୟମ ଚଳାଇଛି। ଆଉ ଗାଁରେ ବଡ଼ ଧରଣର ଗଂଜେଇ ଚଢ଼ଉ ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ଯୋଜନା ଚାଲିଥିବା ଜଣାପଡ଼ିଛି। ଏ ନେଇ କନ୍ଧମାଳ ପୁଲିସ କିଛି ସ୍ପଷ୍ଟ କରି ନଥିବା ବେଳେ ଗଂଜେଇ ଚଢ଼ଉ ସମୟରେ ଗ୍ରାମବାସୀ ଟିମ୍‌କୁ ନଜରବନ୍ଦୀ ରଖିଥିବା ଏବଂ ପରେ ସେମାନଙ୍କୁ ସ୍ଥାନୀୟ ପୁଲିସ ଉଦ୍ଧାର କରିଥିବା କେବଳ ପୁଲିସ ପକ୍ଷରୁ କୁହାଯାଇଛି। ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଟିମ୍‌ର ୭ ଜଣ ଆହତ ହୋଇଥିବା ଏବଂ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା ଜଣାପଡ଼ିଛି।

 

The post ମାତିଲେଣି ନିଶା ମାଫିଆ: ଫାଣ୍ଡିବାବୁଙ୍କୁ ତୀରମାଡ଼, ୩ ଘଣ୍ଟା ପରେ ପେଟରୁ ବାହାରିଲା ତୀର first appeared on Sambad.


No comments

Powered by Blogger.