Header Ads

Header ADS

ସାଧାରଣ ଲୋକଙ୍କ ଆସ୍ଥା ବଢ଼ାଅ: ମୁଖ୍ୟ ସଚିବ


ଭୁବନେଶ୍ବର: ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲା ପରେ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାପାଳମାନଙ୍କ ସହ ପ୍ରଥମ ବୈଠକ କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂରେ ହୋଇଥିବା ଏହି ବୈଠକରେ ବିଭିନ୍ନ ସରକାରୀ ସେବା ପ୍ରଦାନରେ ଜନସାଧାରଣଙ୍କ ଆସ୍ଥା ବୃଦ୍ଧି କରିବାକୁ ସେ ପରାମର୍ଶ ଦେଇଥିଲେ। ଲୋକଙ୍କ ଅଭିଯୋଗ ଶୁଣାଣି ଓ ସେଗୁଡ଼ିକର ଯଥୋଚିତ ସମାଧାନ ଉପରେ ଗୁରୁତ୍ବାରୋପ କରି ଶ୍ରୀ ମହାପାତ୍ର କହିଥିଲେ ଯେ ସ୍ବଚ୍ଛ ଓ ନିରପେକ୍ଷ ପ୍ରକ୍ରିୟା ମାଧ୍ୟମରେ ସମୟାନୁବନ୍ଧିତ ସେବା ପ୍ରଦାନ କଲେ ଲୋକଙ୍କର ସରକାରୀ ବ୍ୟବସ୍ଥା ପ୍ରତି ଆସ୍ଥା ବୃଦ୍ଧି ପାଇବ। ଜିଲ୍ଲାପାଳ ଲୋକମାନଙ୍କୁ ସହଜ ଲବ୍ଧ ହେବା ଦରକାର। ବିଭିନ୍ନ ସେବା ପ୍ରଦାନକାରୀ ଅଧିକାରୀ ଓ କର୍ମଚାରୀମାନେ ଧୈର୍ଯ୍ୟ ଓ ସହୃଦୟ ଭାବେ ଲୋକଙ୍କ ସମସ୍ୟା ଶୁଣି ସେସବୁର ସମାଧାନ ନିମନ୍ତେ ଯତ୍ନବାନ ହେବା ଉଚିତ। ଏଥିରେ ଅବହେଳା ଗ୍ରହଣୀୟ ନୁହେଁ।

କୋଭିଡ୍‌ ଅନ୍‌ଲକିଂ ସ୍ଥିତିରେ ଜୀବିକା ଅର୍ଜନ ଓ ନିଯୁକ୍ତି ସୃଷ୍ଟି ଭିତ୍ତିକ ପ୍ରକଳ୍ପଗୁଡ଼ିକର ତ୍ବରିତ କାର୍ଯ୍ୟାନ୍ବୟନ ନିମନ୍ତେ ଶ୍ରୀ ମହାପାତ୍ର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉଦ୍ୟାନ କୃଷି, ପଶୁପାଳନ, ସମନ୍ବିତ କୃଷି, ଉଠା ଜଳସେଚନ, ପାନୀୟ ଜଳ ଯୋଗାଣ, ଗ୍ରାମୀଣ ଗୃହ ନିର୍ମାଣ, ରାସ୍ତାଘାଟ ନିର୍ମାଣ ଆଦି ପ୍ରକଳ୍ପର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ବୟନକୁ ତ୍ବରାନ୍ବିତ କରିବା ପାଇଁ କହିଥିଲେ। ଏହି ସବୁ କାର୍ଯ୍ୟର ବାସ୍ତବ ସ୍ଥିତି ବିଷୟରେ ପ୍ରତି ସପ୍ତାହରେ ଅନୁଧ୍ୟାନ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ‌େଦଇଥିଲେ।

ମୁଖ୍ୟ ଶାସନ ସଚିବ ଆହୁରି କହିଥିଲେ ଯେ ପ୍ରତି ଜିଲ୍ଲାରେ ପ୍ରାକୃତିକ ପରିବେଶ, ଜଳବାୟୁ ଓ ମାନବ ସମ୍ବଳର ସ୍ବାତନ୍ତ୍ରୢ ରହିଛି। ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପ୍ରକାର କୃଷି ଭିତ୍ତିକ ଫାର୍ମ ଓ କୃଷି ଉଦ୍ୟୋଗର ମଧ୍ୟ ସମ୍ଭାବନା ରହିଛି। ଏହିସବୁ ସମ୍ବଳ ଓ ସମ୍ଭାବନାର ଅନୁଧ୍ୟାନ କରି ଅଭିନବ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ଏହି ପ୍ରକାର ପ୍ରକଳ୍ପ ନିମନ୍ତେ ଅର୍ଥର ଅଭାବ ରହିବ ନାହିଁ। ଅର୍ଥ ସହ ଆବଶ୍ୟକ ବୈଷୟିକ କୌଶଳ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ। ଇତି ମଧ୍ୟରେ ରାଜସ୍ବ ବିଭାଗ ମାଧ୍ୟମରେ ଯୋଗାଯାଉଥିବା ବିଭିନ୍ନ ସେବା ଅନ୍‌ଲାଇନ୍‌ରେ ଉପଲବ୍ଧ ହେଉଛି। ଜାତି, ଆୟ, ଆବାସିକ ଆଦି ପ୍ରମାଣପତ୍ର ଅନ୍‌ଲାଇନ୍‌ରେ ମିଳିପାରୁଛି। କିଛି ସ୍ଥାନରେ ଜମି ସୀମା ଚିହ୍ନଟ, ନାମଜାରି କାର୍ଯ୍ୟ ଆଦି ପାଇଁ ଲୋକଙ୍କୁ ତହସିଲ୍‌ ଅଫିସ୍‌କୁ ଦୌଡ଼ିବାକୁ ପଡ଼ୁଛି। ଜମିଜମା ବିବାଦ ମଧ୍ୟ ବଢ଼ୁଛି। ଗ୍ରାମ ଓ ପଞ୍ଚାୟତ ୱାରି କାର୍ଯ୍ୟ ନିର୍ଘଣ୍ଟ ପ୍ରସ୍ତୁତ କରି ଜମିଜମା ବିବାଦ, ଚିହ୍ନଟ, ବଣ୍ଟନ ଓ ନାମଜାରି ଆଦି କାର୍ଯ୍ୟ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ଆସନ୍ତା ୧୦ ଦିନ ମଧ୍ୟରେ ନିଜ ନିଜ ଜିଲ୍ଲାରେ ବିଭିନ୍ନ ବିଭାଗଗୁଡ଼ିକ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଥିବା ପ୍ରକଳ୍ପଗୁଡ଼ିକର ସମୀକ୍ଷା କରି ଗୁରୁତ୍ବପୂର୍ଣ୍ଣ ଶୂନ୍ୟ ସ୍ଥାନଗୁଡ଼ିକ ଚିହ୍ନଟ କରିବା ନିମନ୍ତେ ଉନ୍ନୟନ କମିସନର୍‌ ପ୍ରଦୀପ କୁମାର ଜେନା ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ନୂଆ ପ୍ରକଳ୍ପ ପ୍ରସ୍ତୁତ ଉପରେ କୃଷି ଉତ୍ପାଦନ କମିସନର୍‌ ରାଜ କୁମାର ଶର୍ମା ଗୁରୁତ୍ବାରୋପ କରିଥିଲେ। ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରାଙ୍କ ସମେତ ସମସ୍ତ ଆର୍‌ଡିସି, ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।

The post ସାଧାରଣ ଲୋକଙ୍କ ଆସ୍ଥା ବଢ଼ାଅ: ମୁଖ୍ୟ ସଚିବ first appeared on Sambad.


No comments

Powered by Blogger.