Header Ads

Header ADS

ଫକୀରମୋହନ ସେନାପତିଙ୍କ ୧୭୯ତମ ଜୟନ୍ତୀ ପା​ଳିତ


ଭୁବନେଶ୍ବର: ବ୍ୟାସକବି ଫକୀରମୋହନ ସେନାପତି ତାଙ୍କ ଗଦ୍ୟ ପାଇଁ ହିଁ ଆଜି ଲୋକଙ୍କ ମନରେ ପ୍ରାତଃସ୍ମରଣୀୟ ହୋଇ ରହିଛନ୍ତି। ହେଲେ ସଂପ୍ରତି ସାହିତ୍ୟର ସବୁଠୁ ବଡ଼ ବିଭାଗ କବିତା ଭିତରେ ସମାଜ ହଜିଯାଇଛି। ଭାବକୁ ବଞ୍ଚାଇବାକୁ ହେଲେ କବିତା ଦରକାର। ମାତ୍ର ଭାଷାକୁ ବଞ୍ଚାଇବା ପାଇଁ ଗଦ୍ୟର ମାଧ୍ୟମ ଏକାନ୍ତ ଆବଶ୍ୟକ ବୋଲି କହିଛନ୍ତି ‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ।

ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ଫକୀର ମୋହନଙ୍କର ୧୭୯ତମ ଜୟନ୍ତୀ ସମାରୋହରେ ଉତ୍ସବ ଉଦ୍‌ଘାଟକ ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଲେ, ସମାଜରେ ସ୍ମୃତିରକ୍ଷା କରିବାର ପରମ୍ପରା ବଞ୍ଚାଇ ରଖିବାକୁ ହେଲେ ଆମକୁ ନୂଆ ଯୁଗରେ ନୂଆ କୌଶଳ, ନୂଆ ବିଜ୍ଞାନ ଆପଣାଇବାକୁ ପଡ଼ିବ। ସ୍ମୃତି ସଂସଦକୁ ଅନ୍ୟମନସ୍କ ହେବାକୁ ପଡ଼ିବ। ସଂପୃକ୍ତି ଅଭାବରୁ ଦୁର୍ବଳ ହେଉଥିବା ସାହିତ୍ୟକୁ ବଞ୍ଚାଇବାକୁ ହେଲେ ଆମକୁ ଅନ୍ୟର ସ୍ବର ହେବାକୁ ପଡ଼ିବ। ଫକୀରମୋହନ ଯେପରି ସେ ଯୁଗର ଇଂରେଜମାନଙ୍କ ପ୍ରଭାବକୁ ଦେଖିପାରିଥିଲେ ଏବଂ ତା’ର ପରିଣତିକୁ ହୃଦୟଙ୍ଗମ କରି ପ୍ରତିକାର କଥା ଚିନ୍ତା କରୁଥିଲେ; ଆମେ ମଧ୍ୟ ନୂଆ ଦୁନିଆରେ ହଜିଯାଇଥିବା ଭାଷା, ବଦଳିଯାଇଥିବା ଭାବକୁ ଫେରାଇ ଆଣିବାକୁ ହେଲେ ଏହିଭଳି କୌଶଳ ଅବଲମ୍ବନ କରିବାକୁ ପଡ଼ିବ।

ବରିଷ୍ଠ ଲେଖକ ପ୍ରାଧ୍ୟାପକ ଯତୀନ୍ଦ୍ର କୁମାର ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଫକୀରମୋହନଙ୍କ ଉପନ୍ୟାସକୁ କାଳଖଣ୍ଡର ସାକ୍ଷୀ ବୋଲି କହିଥିଲେ। କାରଣ କାଳଜୟୀ ଲେଖକ ଫକୀରମୋହନ ତାଙ୍କ ଲେଖାରେ ଏମିତି ଚରିତ୍ର ସବୁ ସୃଷ୍ଟି କରିପାରୁଥିଲେ; ଯାହା ଦ୍ବାରା ଆମେ ସ୍ମରଣୀୟ ଚରିତ୍ରମାନ ଦେଖିପାରୁ। ବ୍ୟାସକବି ତାଙ୍କ ସମୟରେ ଏମିତି ଜଣେ ଦିବ୍ୟଦ୍ରଷ୍ଟା ଥିଲେ ଯେ ସେ ପରିବର୍ତ୍ତିତ ପୃଥିବୀର ସଂଜ୍ଞା ନିରୂପଣ କରିବାରେ ଚିନ୍ତା କରିପାରୁଥିଲେ; ଯାହା ତାଙ୍କ ଲେଖାରେ ବିଶେଷ କରି ଚିକିତ୍ସା ବିଜ୍ଞାନ ଓ ଜ୍ୟୋତିଷ ବିଦ୍ୟାରୁ ପ୍ରତିଫଳିତ ହୁଏ ବୋଲି ଶ୍ରୀ ନାୟକ କହିଥିଲେ। ସ୍ମୃତି ସଂସଦର କାର୍ଯ୍ୟକାରୀ ସଭାପତି ଗୋପୀନାଥ ମହାନ୍ତି ଫକୀରମୋହନଙ୍କ ଦୃଷ୍ଟିଭଙ୍ଗୀ ପାଇଁ ସେ ଅଗ୍ରଗଣ୍ୟ ଥିଲେ ବୋଲି କହିଥିଲେ। ଏହା ସହ ସ୍ମୃତି ସଂସଦ ଗଠନ ହେବାରେ ଆସନ୍ତା ବର୍ଷ ୨୫ ବର୍ଷ ପୂରଣ ହେଉଥିବାରୁ ରୌପ୍ୟ ଜୟନ୍ତୀ ପାଳନ କରିବା ନେଇ ସୂଚନା ଦେଇଥିଲେ। ଏହା ସହିତ ନିକଟସ୍ଥ ଏକ ପାର୍କ ଓ ଭିଆଇପି କଲୋନିକୁ ବ୍ୟାସବିହାର ନାମରେ ନାମିତ କରିବା ଏବଂ ସ୍ମୃତି ସଂସଦର ଉପର ମହଲାରେ ଏକ ପାଠାଗାର ନିର୍ମାଣ କରିବା ପାଇଁ ଅନୁରୋଧ କରିଥିଲେ। ବିଧାୟକ ଶ୍ରୀ ପଟ୍ଟନାୟକ ମଧ୍ୟ ପାର୍କ ଓ କଲୋନିର ନାମକରଣ ଫକୀରମୋହନଙ୍କ ନାମରେ କରିବା ପାଇଁ ଉଦ୍ୟମ କରିବେ ବୋଲି କହିଥିଲେ ଏବଂ ପାଠାଗାର ନିର୍ମାଣରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସ୍ମୃତି ସଂସଦର ସଂପାଦକ ବିରାଜମୋହନ ଦାଶ ଉତ୍ସବରେ ସଭାପତିତ୍ବ କରିବା ସହିତ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ସ୍ମୃତି ସଂସଦର ପ୍ରତିଷ୍ଠାତା ତଥା ଦିବଂଗତ ସଭାପତି କାର୍ତ୍ତିକେଶ୍ବର ପାତ୍ରଙ୍କ ବିୟୋଗରେ ଦୁଇ ମିନିଟ୍‌ର ନିରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଦିଆ ଯାଇଥିଲା। ସଭା ପ୍ରାରମ୍ଭରେ ୨୦ରୁ ଅଧିକ କବି ଓ କବୟିତ୍ରୀ ଫକୀରମୋହନଙ୍କୁ ନେଇ ସ୍ବରଚିତ କବିତା ପାଠ କରିଥିଲେ।

The post ଫକୀରମୋହନ ସେନାପତିଙ୍କ ୧୭୯ତମ ଜୟନ୍ତୀ ପା​ଳିତ first appeared on Sambad.


No comments

Powered by Blogger.