Header Ads

Header ADS

୭ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୭୭ ଗୁରୁ-ଶିଷ୍ୟ କରୋନା ଆକ୍ରାନ୍ତ


ଭିସୁଟ୍‌ର ଦୁଇ ଜଣ ପିଲା ଆକ୍ରାନ୍ତ ହୋଇଛନ୍ତି
୨୧ ଶିକ୍ଷକ ଆକ୍ରାନ୍ତ ପରେ ଗଜପତି ଗଲା ସ୍ବାସ୍ଥ୍ୟ ଟିମ୍‌
ଝାରସୁଗୁଡ଼ା ଜିଲ୍ଲା ଲାଇକେରା ବ୍ଲକରେ କୋକୁଆ ଭୟ

ଭୁବନେଶ୍ବର : ଜାନୁଆରି ୮ରେ ଓଡ଼ିଶାରେ ସ୍କୁଲ ଖୋଲିଥିଲା। ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବି ଆରମ୍ଭ ହୋଇଥିଲା। ୯ ମାସ ପରେ ବିଦ୍ୟାଳୟ ମାଟି ମାଡ଼ିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟ‌ରେ ଉତ୍ସାହ ଦେଖିବାକୁ ମିଳିଥିଲା। ତେବେ ୭ ଦିନ ବିତିନି, ସବୁ କିଛି ବିଗିଡ଼ିବା‌ରେ ଲାଗିଲାଣି। ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହେଉଥିବା ଖବର ପଦାକୁ ଆସୁଛି। ଏମିତିକି ସପ୍ତାହକ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୭୭ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଲକ୍ଷଣ ଦେଖାଦେବା ପରେ ସେମାନଙ୍କ ନମୁନା ପରୀକ୍ଷା କରାଯିବାରୁ ରିପୋର୍ଟ ପଜିଟିଭ୍‌ ଆସିଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କିମ୍ବା ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ପକ୍ଷରୁ ‘ସମ୍ବାଦ’କୁ ସୂଚନା ଦିଆଯାଇଛି।

ସବୁଠାରୁ ଚିନ୍ତାର ବିଷୟ ହେଉଛି ଯେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ୍‌ରେ ବିଭିନ୍ନ ସ୍କୁଲ୍‌ରୁ ୩୨ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଭଳି ଖବର ଜଣାପଡ଼ିବା ପରେ ଜିଲ୍ଲାରେ ଆତଙ୍କ ଖେଳି ଯାଇଛି। ଅଭିଭାବକ ସେମାନଙ୍କ ପିଲାଙ୍କୁ ସ୍କୁଲକୁ ଛାଡ଼ିବା ପୂର୍ବରୁ ଦୁଇ ଥର ଚିନ୍ତା କରୁଛନ୍ତି। ଏହି ବ୍ଲକ୍‌ରେ ସରକାରୀ ଓ ବେସରକାରୀ ମିଶି ୧୩ଟି ହାଇସ୍କୁଲରେ ୭୭୫ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ପଢୁଛନ୍ତି। ସ୍କୁଲ ଖୋଲିବା ପରେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ କର୍ମଚାରୀ ଦଳ ସ୍କୁଲ୍‌କୁ ଯାଇ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଏବେ ସୁଦ୍ଧା ୩୨ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କଟକର ଏକ କଲେଜର ୨ଜଣ ପିଲା କରୋନା ଆକ୍ରାନ୍ତ ହୋଇଛନ୍ତି। ଏହାବାଦ୍‌ ଗଜପତି ଜିଲ୍ଲାର ୨୧ଜଣ ଶିକ୍ଷକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିଲେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ଟିମ୍‌ ଗଜପତି ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସ୍ଥିତି କ’ଣ ଅଛି, ତାହାର ରିପୋର୍ଟ ଖୁବ୍‌ଶୀଘ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

୭ ଦିନ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା‌ରେ ୫ଜଣ ଶିକ୍ଷକ କରୋନା ଆକ୍ରାନ୍ତ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକର ୫ଟି ହାଇସ୍କୁଲର ୫ ଜଣ ଶିକ୍ଷକଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ପୁରୀ, ଖୋର୍ଧା, ନୟାଗଡ଼, ଜଗତ୍‌ସିଂହପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା ଜିଲ୍ଲାରେ କୌଣସି ଶିକ୍ଷକ କିମ୍ବା ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ। ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି। ‌ସେମାନଙ୍କ ପରିବାର ସଦସ୍ୟଙ୍କ ଉପରେ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ନଜର ରଖିଛି।

ଅନ୍ୟପକ୍ଷ‌େ ୧୧ ତାରିଖରେ ସମ୍ବଲପୁରର ଭିସୁଟ୍‌(ବୀର ସୁରେନ୍ଦ୍ର ସା‌ଏ ବୈଷୟିକ ବିଶ୍ବବିଦ୍ୟାଳୟ)ରେ ଦୁଇ ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ପଜିଟିଭି ଆସିବା ପରେ ସେମାନଙ୍କୁ ଆ‌ଇସୋଲେସନ୍‌ରେ ରଖାଯିବା ସହ ପରିବାର ଉପରେ ନଜର ରଖିଛନ୍ତି। କରୋନା କଟକଣା ମଧ୍ୟରେ ସମସ୍ତ ବିଶ୍ବବିଦ୍ୟାଳୟ ଓ ଡିଗ୍ରି କଲେଜଗୁଡ଼ିକରେ ପାଠପଢ଼ା ଚାଲିଥିବା କୁହାଯାଉଛି। ‌ତେବେ ଅଧିକାଂଶ ଶିକ୍ଷାନୁଷ୍ଠାନରେ ଏପର୍ଯ୍ୟନ୍ତ ନିୟମ ସଠିକ୍‌ ଭାବେ ପାଳନ ହେଉନଥିବା ଅଭିଯୋଗ ହୋଇଛି। ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀମା‌ନେ ନିୟମିତ ଭାବେ ବିଦ୍ୟାଳୟକୁ ଯାଉ ନଥିବା କେତେକ ଶିକ୍ଷାନୁଷ୍ଠାନ ମୁଖ୍ୟମାନେ କହିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ସୁନ୍ଦରଗଡ଼ରେ ଦୁଇଜଣ ଶିକ୍ଷକ କରୋନା ଆକ୍ରାନ୍ତ ହେବା ପରେ ସ୍କୁଲକୁ ବନ୍ଦ କରି ଦିଆଯାଇଛି। ଆଉ କୌଣସି ସ୍ଥାନରେ ଶିକ୍ଷକ ଓ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଥିବା ନେଇ ସେଭଳି କୌଣସି ଖବର ଆସି ନାହିଁ। ଯେଉଁମାନେ କରୋନା ଆକ୍ରାନ୍ତ ହୋଇଛନ୍ତି, ସେମାନଙ୍କୁ ଆଇସୋଲେସନ୍‌ରେ ରଖାଯାଉଛି। ବର୍ତ୍ତମାନର ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ସ୍କୁଲରେ ସାମାଜିକ ଦୂରତା ରକ୍ଷା, ହ୍ୟାଣ୍ଡ୍‌ ସାନିଟାଇଜେସନ ଉପରେ ପ୍ରାଥମିକତା ଦିଆଯାଉଛି। ପିଲାଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଆମ ପାଇଁ ସବୁଠାରୁ ବଡ଼ ଆହ୍ବାନ। ଠିକ୍‌ ସମୟରେ ଉପଯୁକ୍ତ ପଦକ୍ଷେପ ନିଆଯାଉଛି।

The post ୭ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୭୭ ଗୁରୁ-ଶିଷ୍ୟ କରୋନା ଆକ୍ରାନ୍ତ first appeared on Sambad.


No comments

Powered by Blogger.