Header Ads

Header ADS

ଶିଶୁଙ୍କ ଯତ୍ନର କେତେକ ବିଶେଷ ସତର୍କତା


ଶିଶୁର ବିକାଶ ମୁଖ୍ୟତଃ ଜନ୍ମର ପ୍ରଥମ ବର୍ଷରେ ହୋଇଥାଏ। ସେହି ସମୟରେ ଶିଶୁର ବିକାଶ ପାଇଁ ଅଧିକ ପୋଷକ ଆବଶ୍ୟକ। ଶିଶୁର ଓଜନ ଜନ୍ମ ସମୟରୁ ୩ ଗୁଣ ବଢିଯାଏ ଓ ଉଚ୍ଚତା ମଧ୍ୟ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ। ମସ୍ତିଷ୍କ ଖୁବ୍‌ ଦ୍ରୁତବେଗରେ ବିକଶିତ ହୋଇଥାଏ ଓ ମସ୍ତିଷ୍କର ଓଜନ ୩ଗୁଣ ଅଧିକ ହୋଇଥାଏ। ଶିଶୁ ଜୀବନର ୬ରୁ ୨୪ ମାସ ବୟସ ବୃଦ୍ଧି ଓ ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ ସମୟ। ପରିପୂରକ ଖାଦ୍ୟ ୬ମାସ ବୟସର ଶିଶୁପୋଷଣ ସମ୍ବନ୍ଧିତ ସମସ୍ତ ଆବଶ୍ୟକତାକୁ ପୂରଣ କରିଥାଏ। ଯାହାକି କେବଳ ସନ୍ତ୍ୟପାନ ଦ୍ବାରା ସମ୍ଭବ ନୁହେଁ। ପରିପୂରକ ଖାଦ୍ୟ ଆରମ୍ଭ କରିବାରେ ଅସଫଳତା ବା ୬ରୁ ୨୪ମାସ ବୟସ୍କ ଶିଶୁଙ୍କ କ୍ଷେତ୍ରରେ ଠିକ୍‌ଭାବରେ ପରିପୂରକ ଆହର ଦିଆ ନଗଲେ ସେମାନଙ୍କ ଶାରୀରିକ, ମାନସିକ ବିକାଶରେ ବାଧା ସୃଷ୍ଟି ହୋଇଥାଏ। ପୋଷକ ତତ୍ତ୍ବର ଅଭାବ, କୁପୋଷଣ ଓ ସଂକ୍ରାମକ ରୋଗ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ। ପରିପୂରକ ଆହାରର ୪ଟି ସ୍ତମ୍ଭ ଉପରେ ଧ୍ୟାନ ଦେବା ଆବଶ୍ୟକ। ଯଥା ଠିକ୍‌ ସମୟରେ, ଠିକ୍‌ ପରିମାଣରେ, ବିଭିନ୍ନ ସ୍ବାଦ ପ୍ରସ୍ତୁତି ଓ ବିଭିନ୍ନ ରଙ୍ଗର ଭୋଜନ ଓ ସୁରକ୍ଷିତ ଉପାୟରେ ପ୍ରସ୍ତୁତି। ଏଥିସହିତ, ଶିଶୁର ବୟସ ଅନୁସାରେ ଖାଦ୍ୟ ପ୍ରସ୍ତୁତି ହେବା ଆବଶ୍ୟକ।

ପ୍ରଥମ ପର୍ଯ୍ୟାୟ(୬ମାସ):
୬ମାସର ଶିଶୁ ପାଇଁ ଖାଦ୍ୟ ପ୍ରସ୍ତୁତି ସମୟରେ ଖାଦ୍ୟକୁ ବହଳିଆ ବା ପେଷ୍ଟ କରି ତିଆରି କରିବା ଉଚିତ୍‌। ସିଝା ହୋଇଥିବା ପନିପରିବା, ଏମିତି ଦେବା ଦରକାର ଯାହାକୁ ସିଝାଇ, ଚକଟି ଛାଣି ଶିଶୁକୁ ଖୁଆଇପାରିବେ। କଦଳୀ ଚକଟା, ଗାଜର ଓ ସେଓର ପ୍ୟୁରି ମଧ୍ୟ ଖୁଆଇପାରିବେ।

ଦ୍ବିତୀୟ ପର୍ଯ୍ୟାୟ(୭ରୁ ୯ମାସ):
ଚକଟା ହୋଇଥିବା ଆଳୁ ଓ ଅନ୍ୟାନ୍ୟ ସବୁଜ ପନିପରିବା ମିଶାଇ ଖେଚଡି ତିଆରି କରନ୍ତୁ। ଶିଶୁକୁ ତେଲ, ଚର୍ବିଜାତୀୟ ଖାଦ୍ୟ, ଫଳ, ସବୁଜ ପନିପରିବା, ଶସ୍ୟଜାତୀୟ, ଡାଲିଜାତୀୟ ଖାଦ୍ୟ ଦିଅନ୍ତୁ। ଏହି ସମୟରେ ଖାଦ୍ୟ ଅଳ୍ପ ଗୋଟାଳିଆ ହେବା ଉଚିତ୍‌।

ତୃତୀୟ ପର୍ଯ୍ୟାୟ(୯ମାସ ଓ ତାପରବର୍ତ୍ତୀ):
୯ମାସ ପରଠାରୁ ଶିଶୁର ଖାଦ୍ୟ ଏଭଳି ହେବା ଉଚିତ୍‌ ଯାହାକୁ ଶିଶୁ ନିଜ ଆଙ୍ଗୁଠି ସାହାଯ୍ୟରେ ଧରି ଖାଇପାରିବ। ଏହି ସମୟରେ ଶିଶୁକୁ ଅର୍ଦ୍ଧକଠିନ ଖାଦ୍ୟ ଦିଅନ୍ତୁ। ଯାହାଦ୍ବାରା ଶିଶୁ ଖାଦ୍ୟକୁ ଚୋବେଇ ଖାଇବା ମଧ୍ୟ ଶିଖିବ। ପ୍ରତିଥର ଖାଇବା ସମୟରେ ଅଲଗା ଅଲଗା ତଥା ଭିନ୍ନ ସ୍ବାଦର ଖାଦ୍ୟ ଦିଅନ୍ତୁ। ଯେତେବେଳେ ଆପଣଙ୍କ ଶିଶୁ ୩ଥର ଖାଦ୍ୟ ଖାଇବା ଆରମ୍ଭ କରେ ସେତେବେଳେ ପ୍ରତିଦିନ ସମସ୍ତ ୪ପ୍ରକାର ଖାଦ୍ୟ ସମୂହରୁ ଖାଦ୍ୟ ଖୁଆନ୍ତୁ। ଯଥା ଶସ୍ୟଜାତୀୟ(ଚାଉଳ, ଗହମ, ସୁଜି), ପ୍ରୋଟିନ୍‌(ଡାଲି, ବୁଟ, ମାଛ, ଅଣ୍ଡା ଇତ୍ୟାଦି), ଫଳ, ସବୁଜ ପନିପରିବା, ଦୁଗ୍ଧଜାତ, ଚର୍ବି ଓ ତେଲ ଜାତୀୟ ସଠିକ୍‌ ମାତ୍ରାରେ ଦିଅନ୍ତୁ।

୬ରୁ ୮ମାସ ପର୍ଯ୍ୟନ୍ତ ପ୍ରତିଦିନ ୨-୩ଥର ବହଳିଆ ଓ ଚକଟା ହୋଇଥିବା ଖାଦ୍ୟ ଆରମ୍ଭ କରନ୍ତୁ। ବାରମ୍ବାର ସନ୍ତ୍ୟପାନ ଜାରି ରଖନ୍ତୁ। ୯-୧୧ମାସ ମଧ୍ୟରେ ସ୍ତନ୍ୟପାନ କରାଇବା ସହିତ ୩-୪ଥର ଖାଦ୍ୟ ଦିଅନ୍ତୁ, ଭୋକ ଅନୁସାରେ ଥରେ ଦୁଇଥର ଖାଇବାକୁ ଦିଅନ୍ତୁ। ୧୨ରୁ ୨୩ମାସ- ସ୍ତନ୍ୟପାନ କରାଇବା ସହିତ ପ୍ରତିଦିନ ୩-୪ଥର ୧ କପ୍‌/ଗିନା (୨୫୦ମିଲି) ଖାଦ୍ୟ ଦିଅନ୍ତୁ ଏବଂ ଭୋକ ଅନୁସାରେ ଖାଇବାକୁ ଦିଅନ୍ତୁ।

ସହକାରୀ ପ୍ରଫେସର, ଶିଶୁ ରୋଗ ବିଭାଗ
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଶିଶୁ ରୋଗ ଗବେଷଣା ଓ ଚିକିତ୍ସା କେନ୍ଦ୍ର

The post ଶିଶୁଙ୍କ ଯତ୍ନର କେତେକ ବିଶେଷ ସତର୍କତା first appeared on Sambad.


No comments

Powered by Blogger.