Header Ads

Header ADS

ଡୁମୁଡୁମାରେ ତଡ଼ିପାର୍‌ଙ୍କ ଗୁଳିକାଣ୍ଡ ମାମଲା: କୋର୍ଟରେ ଆତ୍ମସମର୍ପଣ କଲେ ୩ ଅଭିଯୁକ୍ତ


ଭୁବନେଶ୍ବର: ଡୁମୁଡୁମାରେ ଗୁଳିକାଣ୍ଡ ଘଟାଇ ଫେରାର୍‌ ଥିବା ତଡ଼ିପାର୍ ଗ୍ୟାଙ୍ଗ୍‌ର ୩ ସଦସ୍ୟ ଆଜି କୋର୍ଟରେ ଆତ୍ମ ସମର୍ପଣ କରିଛନ୍ତି। ଅଭିଯୁକ୍ତମାନେ ହେଲେ ତଡ଼ିପାର୍‌ ହୋଇଥିବା ଆକାଶ ଷଡ଼ଙ୍ଗୀ, ତା ସାନ ଭାଇ ଅଗ୍ନି ଷଡ଼ଙ୍ଗୀ ଓ ବଳରାମ ରାଉତରାୟ। ଆଜି ଅପରାହ୍‌ଣରେ ଏମାନେ ଭୁବନେଶ୍ବର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆତ୍ମସମର୍ପଣ କରିବା ପରେ ସେମାନଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ତେବେ ପୁଲିସ ସେମାନଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ ବୋଲି ସୂଚନା ମିଳିଛି। ତଡ଼ିପାର୍‌ ହେବା ସତ୍ତ୍ବେ ଏମାନେ ରାଜଧାନୀରେ ବନ୍ଧୁକ ଫୁଟାଇ ଆତଙ୍କ ଖେଳାଇବା ସହ ପୁଲିସ ହାତରେ ଧରା ନପଡ଼ି କୋର୍ଟରେ ଆତ୍ମସମର୍ପଣ କରିବା କମିସନରେଟ୍‌ ପୁଲିସ ପାଇଁ ଲଜ୍ଜାଜନକ ବୋଲି କୁହାଯାଉଛି।

ଡିସେମ୍ବର ୧୧ ତାରିଖରେ କଳିଙ୍ଗବିହାର କେ-୪ ଅଞ୍ଚଳରେ ଏକ ଗୁଳିକାଣ୍ଡ ଘଟିଥିଲା। ତିନି ଜଣ ଦୁର୍ବୃତ୍ତ ଏକ ନମ୍ବରବିହୀନ ବାଇକ୍‌ରେ ଆସି ସଞ୍ଜୟ ଖୁଣ୍ଟିଆଙ୍କ ଉପରକୁ ଗୁଳି ଚଳାଇଥିଲେ। ତେବେ ସୌଭାଗ୍ୟକୁ ସଂଜୟଙ୍କ ଦେହରେ ଗୁଳି ବାଜି ନଥିଲା। ସଂଜୟ ମଧ୍ୟ ଜଣେ ଅଭିଯୁକ୍ତ ଓ ସେ କିଛି ଦିନ ତଳେ ଜାମିନରେ ମୁକୁଳିଥିଲେ। ଏହି ମାମଲାରେ ସିସିଟିଭି ଫୁଟେଜ୍‌କୁ ଆଧାର କରି ତମାଣ୍ଡୋ ଥାନା ପୁଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା। ଉପରୋକ୍ତ ୩ ଅଭିଯୁକ୍ତ ଆକାଶ, ଅଗ୍ନି ଓ ବଳିଆ ଏହି କାଣ୍ଡ ଘଟାଇଥିଲେ ବୋଲି ପୁଲିସ ଜାଣିବାକୁ ପାଇଥିଲା। ସେହିଭଳି ଗତ ୩୦ ତାରିଖ ରାତିରେ ଡୁମୁଡୁମା ଫେଜ୍‌-୨ରେ ରହୁଥିବା ଶୁଭମ୍‌ ଉପରକୁ ଗୁଳି ମାଡ଼ ହୋଇଥିଲା। ଶୁଭମ୍‌ ଏକ ସ୍ନାକ୍ସ ଦୋକାନରେ ଛିଡ଼ା ହୋଇଥିବା ବେଳେ ୨ଟି ବାଇକ୍‌ରେ ଥିବା ୪ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଏକ ବନ୍ଧୁକ ବଟ୍‌ରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଶୁଭମ୍‌ଙ୍କ ପାଟି ଶୁଣି ବଜାର ଲୋକେ ଘଟଣାସ୍ଥଳକୁ ଧାଇଁ ଆସିବାରୁ ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚାଳନା କରି ଫେରାର୍ ହୋଇ ଯାଇଥିଲେ।

The post ଡୁମୁଡୁମାରେ ତଡ଼ିପାର୍‌ଙ୍କ ଗୁଳିକାଣ୍ଡ ମାମଲା: କୋର୍ଟରେ ଆତ୍ମସମର୍ପଣ କଲେ ୩ ଅଭିଯୁକ୍ତ first appeared on Sambad.


No comments

Powered by Blogger.