Header Ads

Header ADS

ପୁରୀରେ କମିଚାଲିଛି ଭକ୍ତଙ୍କ ସଂଖ୍ୟା, ବ‌ାଧକ ସାଜିଛି କୋଭିଡ୍‌ କଟକଣା, ଖାଁଖାଁ ବାରିକେଡ୍‌


ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାର ଭକ୍ତଙ୍କ ନିମନ୍ତେ ଗତ ତିନି ତାରିଖରୁ ଶ୍ରୀମନ୍ଦିର ଖୋଲିଛି। ତେବେ କୋଭିଡ କଟକଣା ଭକ୍ତଙ୍କ ପାଇଁ ସୃଷ୍ଟି କରିଛି ସଂକଟ। ଏପରିକି ବହୁ ଭକ୍ତ ଶ୍ରୀମନ୍ଦିର ସମ୍ମୁଖରୁ କାନ୍ଦି କାନ୍ଦି ଫେରୁଥିବା ଦେଖିବାକୁ ମିଳିଛି। ଦର୍ଶନ ପାଇଁ ଲାଗିଥିବା ବାରିକେଡ୍‌ ସଂପୂର୍ଣ୍ଣ ଫାଙ୍କା ପଡ଼ିଛି। ବହୁ ଭକ୍ତ ବାରିକେଡ୍‌ ବାହାରୁ ପତିତପାବନଙ୍କୁ ଦର୍ଶନ କରି ଫେରୁଛନ୍ତି।

ଅନ୍ୟପଟେ କୋଭିଡ୍‌ କଟକଣା ଭକ୍ତଙ୍କୁ ଶୋଷଣର ବାଟ ଖୋଲିଛି। ବାହାର ରାଜ୍ୟରୁ ଆସୁଥିବା ଭକ୍ତ ଦର୍ଶନ ଆଶାରେ ଅଧିକ ଟଙ୍କା ଦେଇ କୋଭିଡ୍‌ ରିପୋର୍ଟ ତିଆରି କରୁଛନ୍ତି। କିନ୍ତୁ ଗରିବ ଭକ୍ତଙ୍କ ପକ୍ଷେ ଏହା ସମ୍ଭବ ହେଉନି। କରୋନା ମହାମାରୀ ପାଇଁ ମାର୍ଚ ୨୦ରୁ ଶ୍ରୀମନ୍ଦିର ବନ୍ଦ ହେବା ଭକ୍ତଙ୍କ ମନକୁ ଆଘାତ ଦେଇଥିଲା ସତ, କିନ୍ତୁ ସାମୂହିକ ସ୍ବାର୍ଥ ପାଇଁ ସମସ୍ତେ ନିରବ ରହିଥିଲେ। ପରେ ଯେତେବେଳେ କଟକଣା କୋହଳ ହେଲା ବିଭିନ୍ନ ମହଲରୁ ଶ୍ରୀମନ୍ଦିର ଖୋଲିବାକୁ ଦାବି ଉଠିଥିଲା। ବାରମ୍ବାର ବିଭିନ୍ନ ସଂଗଠନ, ଭକ୍ତ ମହଲଙ୍କ ଦାବି ଓ ଆନ୍ଦୋଳନ ପରେ ଦୀର୍ଘ ୯ ମାସ ଅନ୍ତରରେ ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଲା ଶ୍ରୀମନ୍ଦିର ପ୍ରଶାସନ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନର କୋଭିଡ୍‌ କଟକଣା ଏସବୁକୁ ଫିକା ପକାଇ ଦେଇଛି। ଡିସେମ୍ବର ୨୩ରୁ ଶ୍ରୀମନ୍ଦିର ଖୋଲିବା ସହ ଦର୍ଶନ ଆରମ୍ଭ ହେବା ପରେ ଭକ୍ତମାନେ କିଛିଟା ଖୁସିପ୍ରକଟ କରିଥିଲେ। କାରଣ ସେ ସମୟରେ ବିନା କୋଭିଡ୍‌ କଟକଣାରେ ଭକ୍ତମାନେ ମହାପ୍ରଭୁଙ୍କୁ ଶୃଙ୍ଖଳିତ ଦର୍ଶନ କରି ଫେରିଥିଲେ।

କିନ୍ତୁ ଡିସେମ୍ବର ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବା ପରେ ଭକ୍ତମାନେ କୋଭିଡ୍‌ କଟକଣାର ଅଡ଼ୁଆ ଖିଅ ଭିତରେ ଛନ୍ଦି ହୋଇ ପଡ଼ିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ୯୬ ଘଣ୍ଟାର ‌କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରିଥିବାବେଳେ ଏହି ରିପୋର୍ଟ ପାଇଁ ଭକ୍ତଙ୍କୁ ବାରଦୁଆର ହେବାକୁ ପଡ଼ୁଛି। ସରକାରୀ ଡାକ୍ତରଖାନାରେ ଟେଷ୍ଟ ପାଇଁ ଲମ୍ବାଧାଡ଼ି ଲାଗୁଥିବାବେଳେ ଘରୋଇ ଡାକ୍ତରଖାନାରେ ଶୋଷଣର ଶିକାର ହେବାକୁ ପଡ଼ୁଛି। ଆଣ୍ଟିଜେନ୍‌ ଟେଷ୍ଟ ପାଇଁ କେଉଁଠି ୪ ଶହ ଟଙ୍କା ତ’ କେଉଁଠି ୧୨ ଶହରୁ ୧୬ ଶହ ଟଙ୍କା ଆଦାୟ ହେଉଛି। ଯଦି କେହି ପରିବାର ସହ ଆସୁଛି, କୋଭିଡ୍‌ ଟେଷ୍ଟ ରିପୋର୍ଟ ପାଇଁ ତାଙ୍କୁ ୧୫ ଶହରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି। ସତେଯେପରି କାଳିଆ ଦର୍ଶନ ବ୍ୟବସ୍ଥା ଶ୍ରୀମନ୍ଦିର ପ୍ରଶାସନ ମହଙ୍ଗା କରି ଦେଇଛି। ଅନ୍ୟପଟେ ଜିଲ୍ଲା ଭିତରେ ବାହାର ଭକ୍ତଙ୍କୁ ଟେଷ୍ଟ ବାରଣ ଅନ୍ୟ ଏକ ଅଡ଼ୁଆ ସୃଷ୍ଟି କରିଛି।

ଫଳରେ, ଯେଉଁଠି ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ, ସେଠି ହାତଗଣତି ଭକ୍ତ ଦର୍ଶନ କରି ଫେରିଛନ୍ତି। ସର୍ବସାଧାରଣ ଦର୍ଶନର ପ୍ରଥମ ଦିନରେ ପ୍ରାୟ ୪ ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଦ୍ବିତୀୟ ଦିନରେ ଏହି ସଂଖ୍ୟା ପ୍ରାୟ ଅଢ଼େଇ ହଜାରକୁ ଖସି ଆସିଥିଲା। ଆଜି ଏହି ସଂଖ୍ୟା ପ୍ରାୟ ଦେଢ଼ ହଜାର ରହିଥିଲା। ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଏତେ ସବୁ ଆୟୋଜନ ଫସର ଫାଟିଛି। ଆଜି ଦିନତମାମ ବାରିକେଡ୍‌ ଖାଲି ପଡ଼ିଥିଲା। ବାରିକେଡ୍‌ ଅପେକ୍ଷା ସିଂହଦ୍ବାର ବାରିକେଡ୍‌ ବାହାରେ ଅଧିକ ଭିଡ଼ ଦେଖିବାକୁ ମିଳିଛି। ହଜାର ହଜାର ଭକ୍ତ ମନ ବୁଝାଇବା ପାଇଁ ବାରିକେଡ୍‌ ବାହାରୁ ପତିତପାବନଙ୍କୁ ଦର୍ଶନ କରି ଫେରିଛନ୍ତି। ସବୁଠୁ ଅଧିକ କଷ୍ଟ ପାଉଛନ୍ତି ରାଜ୍ୟ ବାହାର ଭକ୍ତ। ମହାପ୍ରଭୁଙ୍କ ଦର୍ଶନ ସହ ପୁରୀ ବେଳାଭୂମି ବୁଲି ଯିବେ ବୋଲି ଏମାନେ ନୂଆବର୍ଷ ଉପଲକ୍ଷେ ଶ୍ରୀକ୍ଷେତ୍ର ପୁରୀ ବୁଲି ଆସିଥିଲେ । କିନ୍ତୁ ଦର୍ଶନ କଟକଣା ଏମାନଙ୍କୁ ନିରାଶ କରିଛି। ଏହି ପରିପ୍ରେକ୍ଷୀରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ କରୋନା ସଂକ୍ରମଣକୁ ରୋକିବା ପାଇଁ ଶ୍ରୀମନ୍ଦିର ନିକଟରେ କୋଭିଡ ଟେଷ୍ଟ ପାଇଁ ସ୍ବତନ୍ତ୍ର କିଓସ୍କ ଖୋଲିବାକୁ ଦାବିହେଉଛି।

The post ପୁରୀରେ କମିଚାଲିଛି ଭକ୍ତଙ୍କ ସଂଖ୍ୟା, ବ‌ାଧକ ସାଜିଛି କୋଭିଡ୍‌ କଟକଣା, ଖାଁଖାଁ ବାରିକେଡ୍‌ first appeared on Sambad.


No comments

Powered by Blogger.