Header Ads

Header ADS

ଇସ୍ପାତ ରାଜଧାନୀର ବିକାଶ ଯୋଜନା ଅଧୁରା : ଜମି ଅଧିଗ୍ରହଣରେ ଅଟକିଛି ୫ଶହ କୋଟି ଟଙ୍କାର ପ୍ରକଳ୍ପ


ଯାଜପୁର : ଇସ୍ପାତ ରାଜଧାନୀ କଳିଙ୍ଗନଗର ବିକାଶ ପାଇଁ ସରକାର ବ୍ୟାପକ ଯୋଜନା କରିଛନ୍ତି। ମାତ୍ର, ସେହିଭଳି ଅଗ୍ରଗତି ହୋଇପାରୁନାହିଁ। ଅନ୍ତର୍ଜାତୀୟ ସ୍ତରର ଶିକ୍ଷା ଓ ଗବେଷଣା ଅନୁଷ୍ଠାନ ବିଜୁ ପଟ୍ଟନାୟକ ନ୍ୟାସନାଲ ଷ୍ଟିଲ୍ ଇ‌ନଷ୍ଟିଚ୍ୟୁଟ୍(ବିପିଏନଏସଆଇ) ପାଇଁ ଆଜି ପର୍ଯ୍ୟନ୍ତ ୫୦ଏକର ଜମି ‌ଇଡକୋ ଯୋଗାଇ ନପାରିବା ଏହାର ଏକ ସଦ୍ୟତମ ଉଦାହରଣ। ଫଳରେ, ଏଥିପାଇଁ ୫ଶହ କୋଟିର ଏକ ପ୍ରକଳ୍ପ ଅଟକିଛି।

ପ୍ରକାଶ ଥାଉକି ୨୦୦୨ମସିହାରେ କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରାଳୟ ଦ୍ବାରା ପୁରୀ ଠାରେ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ଅନୁଷ୍ଠାନ(ବିପିଏନଏସଆଇ) ସ୍ଥାପନ କରାଯାଇଛି। ଇତିମଧ୍ୟରେ କେନ୍ଦ୍ର ସରକାର ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନେବା ସହିତ କଳିଙ୍ଗନଗର ଇସ୍ପାତ ରାଜଧାନୀକୁ ଅଧିକ କ୍ରିୟାଶୀଳ କରିବାକୁ ବିିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ଅନୁଷ୍ଠାନକୁ ବ୍ୟାପକ କରି କଳିଙ୍ଗନଗରକୁ ସ୍ଥାନାନ୍ତର କରିବାକୁ ସରକାର ଘୋଷଣା କରିଛନ୍ତି। ୫ଶହ କୋଟିରୁ ଅଧିକ ଟଙ୍କାରେ ସ୍ଥାପିତ ହେବାକୁ ଥିବା ଅନ୍ତର୍ଜାତୀୟ ସ୍ତରର ଏହି ଶିକ୍ଷା ଅନୁଷ୍ଠାନରେ ଲ୍ୟାବ ସହିତ ବ୍ୟାପକ ବ୍ୟବସ୍ଥା ରହିଛି। ଏଥିପାଇଁ ପ୍ରଥମେ ୫୦ ଏକର ଜମି ଯୋଗାଇ ଦେବାକୁ ଇଡ଼କୋକୁ କୁହାଯାଇଛି। ମାତ୍ର ଦୀର୍ଘ ଦିନ ବିତିଯାଇଥିଲେ ହେଁ ମାତ୍ର ୨୫ଏକର ଜମି ଯୋଗାଇ ଦେଇ ଇଡକୋ ହାତ ବାନ୍ଧି ବସିଛି। ଫଳରେ ଏହି ମହତ ଯୋଜନା ଜମି ଅଧିଗ୍ରହଣରେ ଅଟକି ଯାଇଛି। ସୂଚନାଯୋଗ୍ୟ ଏହି ଅନୁଷ୍ଠାନ ଭୁବନେଶ୍ବର ଆଇଆଇଟି, ସମ୍ବଲପୁରର ଆଇଆଇଏମ ଓ ଏନଆଇଏସଇଆର ଭଳି ହେବାର ପରିକଳ୍ପନା ଥିବାରୁ ଶହ ଶହ ଏକର ଜମି ଆବଶ୍ୟକ। ମାତ୍ର ୫୦ଏକର ଜମି ମଧ୍ୟ ଯୋଗାଣ ହୋଇପାରୁନାହିଁ। ଏଭଳି ଅବହେଳାକୁ ନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକଟ କରାଯାଇଛି।

ନିକଟରେ ସ୍ବର୍ଗତ ବିଜୁ ପଟ୍ଟନାୟକ କଳିଙ୍ଗନଗର ସ୍ଥାପନ ବେଳେ ଯେଉଁ ସ୍ବପ୍ନ ଦେଖିଥିଲେ ସେପରି ବିକାଶ ଆଜି ପର୍ଯ୍ୟନ୍ତ ହୋଇପାରିଲା ବୋଲି ରାଜ୍ୟ ସୂଚନା କମିଶନର ଦିଲ୍ଲୀପ ବିଶୋଇ ଜିଲ୍ଲା ଗସ୍ତରେ ଆସି ପ୍ରକାଶ କରିଥିଲେ। ଶ୍ରୀ ବିଶୋଇଙ୍କ ବକ୍ତବ୍ୟର ଯଥାର୍ଥତା କଳିଙ୍ଗନଗର ବିକାଶର ବିକଳ ଚିତ୍ରରୁ ସ୍ପଷ୍ଟ ହେଉଛି। ଏପରିକି ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି।

The post ଇସ୍ପାତ ରାଜଧାନୀର ବିକାଶ ଯୋଜନା ଅଧୁରା : ଜମି ଅଧିଗ୍ରହଣରେ ଅଟକିଛି ୫ଶହ କୋଟି ଟଙ୍କାର ପ୍ରକଳ୍ପ first appeared on Sambad.


No comments

Powered by Blogger.