Header Ads

Header ADS

ହ୍ରାସ ପାଉଛି କୋଭିଡ ପରୀକ୍ଷା, ରାଜ୍ୟରେ ଏବେ ୪ ସଂକ୍ରମଣ କ୍ଲଷ୍ଟର


ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌ ନମୁନା ପରୀକ୍ଷା ଆଶାତୀତ ଭାବେ ହ୍ରାସ ପାଇଛି। ଚଳିତ ନୂଆବର୍ଷଠାରୁ ପରୀକ୍ଷା ସଂଖ୍ୟାରେ ପ୍ରାୟ ୩୦ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ଟିକାକରଣ ଆରମ୍ଭ ହୋଇ ନଥିବା ବେଳେ ହଠାତ୍ ନମୁନା ପରୀକ୍ଷା କମିଯିବା ଫଳରେ ରାଜ୍ୟର କୋଭିଡ୍‌ ଲଢ଼େଇ ବାଧାପ୍ରାପ୍ତ ହୋଇଛି। ଗତବର୍ଷ ଅକ୍ଟୋବରରେ ରାଜ୍ୟରେ ‌ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇଥିଲା। ଧୀରେ ଧୀରେ ଏହି ସଂଖ୍ୟା ୫ଶହ ତଳକୁ ମଧ୍ୟ ଖସି ଆସିଛି। ମାତ୍ର ଏବେ ମଧ୍ୟ ଦୈନିକ ୨ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ହେଲେ ଏହି ସମୟରେ କୋଭିଡ୍‌ ନମୁନା ପରୀକ୍ଷାରେ ଯଥେଷ୍ଟ ହ୍ରାସ ପାଇଛି। ଗତ ୩ ତାରିଖରେ ରାଜ୍ୟରେ ୧୫,୯୮୦ ନମୁନା, ୨ ତାରିଖରେ ୧୨ହଜାରୁ ଅଧିକ ଓ ନୂଆବର୍ଷରେ ୨୪ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଥିଲା। ସେହିପରି ଗତ ୨୪ ଘଣ୍ଟାରେ ୧୫ ହଜାର ୯୧୦ ନମୁନା ପରୀକ୍ଷା ହୋଇଛି। ଯଦି ଗତ ଡିସେମ୍ବର ମାସକୁ ଉଦାହରଣ ନିଆଯାଏ, ତା’ହେଲେ ଏହି ମାସରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ ହାରାହାରି ଦୈନିକ ନମୁନା ପରୀକ୍ଷା ୩୫ ହଜାରରୁ ଅଧିକ ରହିଥିଲା। ରାଜ୍ୟରେ ଦୈନିକ ଯେତିକି ସଂଖ୍ୟକ ନମୁନା ପରୀକ୍ଷା କରାଯାଇଥାଏ, ତାହାର ଅଧାରୁ ଅଧିକ କେବଳ ରାପିଡ୍ ଆଣ୍ଟିଜେନ୍ କିଟ୍‌ ମାଧ୍ୟମରେ କରାଯାଇଥାଏ। କମ୍ ସଂଖ୍ୟାରେ ଆର୍‌ଟି-ପିସିଆର୍‌ ପରୀକ୍ଷା ହୋଇଥାଏ। ଆର୍‌ଟି-ପିସିଆର୍‌ ପରୀକ୍ଷାକୁ ସବୁଠାରୁ ଉନ୍ନତମାନର ପରୀକ୍ଷା ବୋଲି ବିବେଚନା କରାଯାଉଥିବା ବେଳେ ଏବେ ନମୁନା ପରୀକ୍ଷା ହ୍ରାସ ପାଇବା ଫଳରେ ଆର୍‌ଟି-ପିସିଆର୍‌ ପରୀକ୍ଷା ଆହୁରି ହ୍ରାସ ପାଇବା ସ୍ବାଭାବିକ।

ଅପରପକ୍ଷରେ ରାଜ୍ୟରେ ଏବେ ୪ଟି ବ୍ଳକ୍‌ରେ ୪ଟି ସଂକ୍ରମଣ କ୍ଲଷ୍ଟର ଚିହ୍ନଟ ହୋଇଛି। କଣ୍ଟାପଡ଼ା, ଟାଙ୍ଗୀ, ଆଠଗଡ଼ ଓ ନରସିଂହପୁରରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏହାକୁ ସଂକ୍ରମଣ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ଜୋରଦାର ପରୀକ୍ଷା କରାଯିବାର ଆବଶ୍ୟକତା ରହିଛି। ଫଳରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିପାରିବ। ପୂର୍ବରୁ ମଧ୍ୟ ରାଜ୍ୟରେ ସଂକ୍ରମଣ ଅବରୋଧ ଅଞ୍ଚଳରେ ଜୋରଦାର ପରୀକ୍ଷା କରାଯାଉଥିଲା। ମାତ୍ର ଏବେ ନମୁନା ପରୀକ୍ଷା କରିବା ଲାଗି କର୍ମଚାରୀଙ୍କ ଅଭାବ ରହିଥିବାରୁ ପରୀକ୍ଷା ଓ କଣ୍ଟାକ୍ଟ ଟ୍ରେସିଂ ବାଧାପ୍ରାପ୍ତ ହୋଇଛି। ଗତ ଡିସେମ୍ବର ୩୧ ତାରିଖ ପରେ ରାଜ୍ୟ ସରକାର କୋଭିଡ୍‌ ପାଇଁ ନିୟୋଜିତ କରିଥିବା ପାରାମେଡିକ୍‌ଙ୍କ ଆଉ ନବୀକରଣ କରି ନାହାନ୍ତି। ଫଳରେ ଜିଲ୍ଲାୱାରି କୋଭିଡ୍‌ ପାଇଁ ନିୟୋଜିତ ହୋଇଥିବା କର୍ମଚାରୀ ଅବ୍ୟାହତି ନେଇଛନ୍ତି। ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦୈନିକ ଅତିକମ୍‌ରେ ୩୦ହଜାର ନମୁନା ପରୀକ୍ଷା ପାଇଁ କୁହାଯାଇଥିଲା। ମାତ୍ର ଏବେ ଏହି ଲକ୍ଷ୍ୟ ଧାର୍ଯ୍ୟ ହାସଲ କରିବା ଏକପ୍ରକାର ଅସମ୍ଭବ ମନେ ହେଉଛି। ଏବେ ବି ସମ୍ବଲପୁର କୋଭିଡ୍‌ ହସ୍ପିଟାଲରେ ବହୁ ସଂଖ୍ୟାରେ ରୋଗୀ ପ୍ରାଣ ହରାଉଥିବା ନଜରକୁ ଆସୁଛି। ଏଭଳି ପରିସ୍ଥିତିରେ ନମୁନା ପରୀକ୍ଷା କମାଯିବାକୁ ‌ବିଶେଷଜ୍ଞମାନେ ନାପସନ୍ଦ କରିଛନ୍ତି।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ନମୁନା ପରୀକ୍ଷା ସ୍ଥିତି ପୂର୍ବାବସ୍ଥାକୁ ଫେରାଇ ଆଣିବା ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ଆସନ୍ତା ଶୁକ୍ରବାର ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଜିଲ୍ଲାସ୍ତରରେ ପୂର୍ବରୁ ଯେତିକି ସଂଖ୍ୟକ ନମୁନା ପରୀକ୍ଷା ହେଉଥିଲା ତାହା ବଜାୟ ରଖିବାକୁ ହେଲେ ପୁନର୍ବାର କିଛି କର୍ମଚାରୀଙ୍କୁ କୋଭିଡ୍‌ କାର୍ଯ୍ୟରେ ନିୟୋଜିତ କରିବାକୁ ପଡ଼ିପାରେ। ତେଣୁ ଜିଲ୍ଲାପାଳମାନେ କୋଭିଡ୍‌ ଡ୍ୟୁଟିରେ ନିୟୋଜିତ ହୋଇଥିବା କର୍ମଚାରୀ କିମ୍ବା ନୂଆ କର୍ମଚାରୀମାନଙ୍କୁ ଏଥିରେ ନିଯୁକ୍ତି ଦେଇପାରନ୍ତି ବୋଲି ଆଲୋଚନା ହେଉଛି।

The post ହ୍ରାସ ପାଉଛି କୋଭିଡ ପରୀକ୍ଷା, ରାଜ୍ୟରେ ଏବେ ୪ ସଂକ୍ରମଣ କ୍ଲଷ୍ଟର first appeared on Sambad.


No comments

Powered by Blogger.