Header Ads

Header ADS

‘ଭୂମିପୁତ୍ର’ଙ୍କୁ ସମ୍ମାନ ଜଣାଇଲା ଇଣ୍ଡୋନେସିଆ : ବିଜୁଙ୍କ ନାଁରେ ଦୂତାବାସ କୋଠରି


ନୂଆଦିଲ୍ଲୀ : ଇଣ୍ଡୋନେସିଆର ମୁକ୍ତିଯୁଦ୍ଧରେ ଓଡ଼ିଶାର ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ସ୍ମରଣୀୟ କରିବା ପାଇଁ ଉଦ୍ୟମ କରାଯାଇଛି। ଆଜି ନୂଆଦିଲ୍ଲୀର ଚାଣକ୍ୟପୁରୀସ୍ଥିତ ଇଣ୍ଡୋନେସିଆ ଦୂତାବାସର ଏକ କୋଠରିକୁ ତାଙ୍କ ନାମରେ ନାମିତ କରାଯାଇଛି। କୋଠରିର ନାମ ରଖାଯାଇଛି ‘ବିଜୁ ପଟ୍ଟନାୟକ ରୁମ’। ଏହି କୋଠରିର ଗୋଟିଏ ପାର୍ଶ୍ବରେ ଇଣ୍ଡୋ‌ନେସିଆର ମୁକ୍ତିଯୁଦ୍ଧରେ ବିଜୁ ପଟ୍ଟନାୟକ ଭୂମିକା ଓ ଅବଦାନ ସମ୍ବନ୍ଧିତ ତଥ୍ୟ ଓ ଚିତ୍ର ରହିବ। ଅନ୍ୟ ଏକ ପାର୍ଶ୍ବରେ ଦୂତାବାସର କର୍ମଚାରୀଙ୍କ ପାଇଁ ଏକ ସଭାକକ୍ଷ ରହିବ। ଏହି ଅବସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆର ହାଇକମିସନର ସିଦ୍ଧାର୍ଥ ରେଜା ସୂର୍ଯ୍ୟ ଦିପୁର, ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜ୍ୟେଷ୍ଠପୁତ୍ର ପ୍ରେମ ପଟ୍ଟନାୟକ, ନାତି ଅରୁଣ ପଟ୍ଟନାୟକ ଏବଂ ଆବାସିକ କମିଶନର ରବି କାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ଇଣ୍ଡୋନେସିଆର ହାଇକମିସନର ସିଦ୍ଧାର୍ଥ ରେଜା ସୂର୍ଯ୍ୟ ଦିପୁର ଓ ପ୍ରେମ ପଟ୍ଟନାୟକଙ୍କ ମଧ୍ୟରେ ଆଲୋଚନା

ଉପସ୍ଥିତ ଅତିଥିମାନେ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନର ସ୍ମୃତିଚାରଣ କରିଥିଲେ। ହାଇକମିସନର୍‌ ସିଦ୍ଧାର୍ଥ ରେଜା କହିଥିଲେ ଯେ, ଭାରତ ଓ ଇଣ୍ଡୋନେସିଆ ସମ୍ପର୍କରେ ବିଜୁବାବୁ ଏକ ସ୍ବତନ୍ତ୍ର ସ୍ଥାନ ବହନ କରୁଛନ୍ତି। ଇଣ୍ଡୋନେସିଆ ଦୂତାବାସରେ ତାଙ୍କ ନାମରେ ଏକ କୋଠରୀକୁ ନାମିତ କରିବା ସମସ୍ତଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ଆଗାମୀ ଦିନରେ କୋଠରୀରେ ବିଜୁ ପଟ୍ଟନାୟକଙ୍କ ବୀରତ୍ବ ସହ ଯୋଡ଼ି ହୋଇଥିବା ଆହୁରି କିଛି ଅତୁଲ୍ୟ ସାମଗ୍ରୀ ରଖାଯିବ। ଏଥିସହିତ, ଦୂତାବାସ ପକ୍ଷରୁ ଆହୁରି ମଧ୍ୟ କିଛି କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ସେ କହିଥିଲେ।

ବିଜୁ ପଟ୍ଟନାୟକଙ୍କ ଜ୍ୟେଷ୍ଠପୁତ୍ର ପ୍ରେମ ପଟ୍ଟନାୟକ ଏହି ଅବସରକୁ ଅବିସ୍ମରଣୀୟ ବୋଲି କହିଥିଲେ। ବିଜୁ ପଟ୍ଟନାୟକଙ୍କ ଭଳି ଏକ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ୱଙ୍କ ନାମରେ ଦୂତାବାସର ଗୋଟିଏ କୋଠରୀ ନାମିତ କରାଯିବା ତାଙ୍କ ପରିବାର ତଥା ଓଡ଼ିଶା ପାଇଁ ଏକ ସମ୍ମାନର ବିଷୟ। ସେ ଆହୁରି ମଧ୍ୟ କହିଥିଲେ, ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ପିତାଙ୍କ ବୀରତ୍ୱର କାହାଣୀକୁ ନେଇ ସେ ଗର୍ବ ଅନୁଭବ କରୁଛନ୍ତି। ଇଣ୍ଡୋନେସିଆ ତାଙ୍କ ପାଇଁ ଦ୍ୱିତୀୟ ଘର ଥିଲା, ସେଥିପାଇଁ ଆଜି ତାଙ୍କୁଏହି ସମ୍ମାନ ମିଳିଛି ବୋଲି ସେ କହିଥିଲେ।

ସେହି ସମୟର ଫଟୋଚିତ୍ରକୁ ଅତିଥିମାନେ ଦେଖୁଛନ୍ତି

ଉଲ୍ଲେଖଯୋଗ୍ୟ, ଗତବର୍ଷ ଫେବ୍ରୁଆରି ୨୭ରେ ଇଣ୍ଡୋନେସିଆ ଦୂତାବାସ ତାଙ୍କ ଦେଶର ସ୍ୱାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକଙ୍କ ଭୂମିକା ସମ୍ପର୍କିତ ୧୫ଟି ବିରଳ ଫଟୋଚିତ୍ରକୁ ନେଇ ଏକ ପ୍ରଦର୍ଶନୀର ଆୟୋଜନ କରିଥିଲା। ନୂଆଦିଲ୍ଲୀସ୍ଥିତ ତିନିମୂର୍ତ୍ତି ହାଉସ୍‌ରେ ଏହା ୩ ଦିନ ଧରି ଚାଲିଥିଲା।

The post ‘ଭୂମିପୁତ୍ର’ଙ୍କୁ ସମ୍ମାନ ଜଣାଇଲା ଇଣ୍ଡୋନେସିଆ : ବିଜୁଙ୍କ ନାଁରେ ଦୂତାବାସ କୋଠରି first appeared on Sambad.


No comments

Powered by Blogger.