Header Ads

Header ADS

ରେକର୍ଡ କଲା ଜାନୁଆରିର ଦିନ ତାପମାତ୍ରା


୨୦୦୯ରେ ୩୧ ଡିଗ୍ରି ଥିଲା
ରାଜଧାନୀ ବି ହଟ୍‌ସ୍ପଟ୍‌

ଭୁବନେଶ୍ବର, (ସସ୍ମିତା ସାହୁ): ସପ୍ତାହେ ହେଲା ରାଜ୍ୟରେ ଶୀତର ଦେଖା ନାହିଁ। ଦିନ କଥା ଛାଡ଼ନ୍ତୁ; ରାତିରେ ବି ପଙ୍ଖା ନ ଦେଇ ଶୋଇ ହେଉନି। ମାଘ ନ ଆସୁଣୁ ପୌଷରୁ ହିଁ ଶୀତ କୁଆଡ଼େ ହଜିଗଲାଣି। ସାଧାରଣତଃ ଜାନୁଆରି ଓ ଫେବ୍ରୁଆରି ମାସରେ ସର୍ବାଧିକ ଶୀତ ହୋଇଥାଏ। କିନ୍ତୁ ଚଳିତ ବର୍ଷ ନୂଆବର୍ଷ ଆରମ୍ଭରୁ ହିଁ ଶୀତ କୁଆଡ଼େ ଗାଏବ୍‌ ହୋଇଯାଇଛି। ଦିନର ତାପମାତ୍ରା ୩୪ ଡିଗ୍ରି ଅତିକ୍ରମ କଲାଣି। ଯାହା କି ଓଡ଼ିଶା ଇତିହାସରେ ପ୍ରଥମ।

ସାଧାରଣ ଭାବେ ଜାନୁଆରିରେ ଦିନର ସର୍ବୋଚ୍ଚ ତାପମାତ୍ରା ୨୯ ଡିଗ୍ରି ରହିଥାଏ। କିନ୍ତୁ ଚଳିତ ବର୍ଷ ଦିନର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ୫ ଡିଗ୍ରିରୁ ଅଧିକ ରେକର୍ଡ ହେଲାଣି। ଶେଷଥର ପାଇଁ ୨୦୦୯ରେ ଜାନୁଆରି ମାସର ଦିନର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ୨ ଡିଗ୍ରି ରେକର୍ଡ ହୋଇଥିଲା। ଅର୍ଥାତ ସେ ବର୍ଷ ଜାନୁଆରିର ସର୍ବୋଚ୍ଚ ଦିନର ତାପମା‌ତ୍ରା ୩୧ ଡିଗ୍ରି ସ୍ପର୍ଶ କରିଥିଲା। ଏହାପୂର୍ବରୁ ୨୦୦୬ ମସିହାରେ ଦିନର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ୧ ଡିଗ୍ରି ବଢ଼ି ୩୦ ଡିଗ୍ରି ରେକର୍ଡ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଏହା ସ୍ବାଭାବିକଠାରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି। ଯାହାକି ଏକ ରେକର୍ଡ। ଯଦିଓ ଜାନୁଆରିରେ ଏଭଳି ତାପମାତ୍ରା ଅସ୍ବାଭାବିକ ନୁହେଁ; କିନ୍ତୁ ଏହା ସ୍ବାଭାବିକଠାରୁ ବହୁ ଅଧିକ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।

ଆଜି ରାଜ୍ୟର ୨୦ଟି ଷ୍ଟେସନ୍‌ର ଅର୍ଥାତ୍‌ ୮୦%ରୁ ଅଧିକ ରାଜ୍ୟର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଛି।

The Indian Express

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, କେବଳ ରାଜଧାନୀ ନୁହେଁ; ରାଜ୍ୟର ସମସ୍ତ ସ୍ଥାନରେ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ବଢ଼ିଛି। ଆଗରୁ ରାଜ୍ୟର ୪ଟି ମାତ୍ର ହଟ୍‌ସ୍ପଟ୍‌ ଥିଲା। ଅର୍ଥାତ୍‌ ଶୀତ ଛାଡ଼ି ଗ୍ରୀଷ୍ମ ଆସିଲେ କ୍ରମାଗତ ଭାବେ ମାଲକାନଗିରି, ଟିଟିଲାଗଡ଼, ଅନୁଗୁଳ-ତାଳଚେର ଓ ଝାରସୁଗୁଡ଼ା-ସୁନ୍ଦରଗଡ଼ ଆଦି ଅଞ୍ଚଳରେ ଗରମ ବଢ଼ିବଢ଼ି ଚାଲେ। କିନ୍ତୁ ଏବେ ଏଥିରେ ସାମିଲ ହୋଇଛି ରାଜଧାନୀ ଭୁବନେଶ୍ବର। ବେଶ୍‌ କିଛି ବର୍ଷ ହେଲା ଭୁବନେଶ୍ବର ହଟ୍‌ସ୍ପଟ୍‌ ଅଞ୍ଚଳ ଭାବେ ଉଭା ହୋଇଛି ଓ କେବଳ ଖରା ନୁହେଁ ଶୀତ ଦିନେ ବି ଭୁବନେଶ୍ବରର ଦିନର ତାପମାତ୍ରା ପୂରା ରାଜ୍ୟରେ ସର୍ବାଧିକ ରହୁଛି। ଆଜି ବି ଏଠାରେ ରାଜ୍ୟର ସର୍ବାଧିକ ସର୍ବୋଚ୍ଚ ତାପମାତ୍ରା ୩୪.୪ ଡିଗ୍ରି ରେକର୍ଡ ହୋଇଛି।

କେନ୍ଦ୍ର ଭାରତରେ ରହିଥିବା ଗୁରୁଚାପ ବଳୟ ଯୋଗୁଁ ପଞ୍ଜାବ, ରାଜସ୍ଥାନ ଓ ହରିୟାନାରେ ତା‌ପମାତ୍ରା ଅଧିକ ରହୁଛି। ଫଳରେ ଉତ୍ତରା ପବନ ଓଡ଼ିଶା‌କୁ ପ୍ରବାହରେ ବାଧା ସୃଷ୍ଟି ହେଉଛି। ଏହି ଉତ୍ତରା ଥଣ୍ଡା ଓ ଶୁଷ୍କ ପବନ ରାଜ୍ୟରେ ଥଣ୍ଡା ଓ ଶୀତର କାରଣ ହୋଇଥିବା ବେଳେ ଏହାର ପ୍ରବାହ ବନ୍ଦ ଯୋଗୁଁ ରାଜ୍ୟର ତାପମାତ୍ରା ଶୀତ ଦିନରେ ବି ବଢ଼ିବାରେ ଲାଗିଛି। ଖାଲି ଓଡ଼ିଶା ନୁହେଁ, ଝାରଖଣ୍ଡ, ଉତ୍ତରପ୍ରଦେଶ, ହିମାଞ୍ଚଳ ପ୍ରଦେଶ, ପଶ୍ଚିମବଙ୍ଗ ଓ ତେଲେଙ୍ଗାନାରେ ମଧ୍ୟ ତାପମାତ୍ର‌ା ଅଧିକ ରହିଛି। କିଛି କିଛି ସ୍ଥାନରେ ସ୍ବାଭାବିକ ତାପମାତ୍ରାଠାରୁ ୫ ଡିଗ୍ରିର ଅଧିକ ରହିଛି। ଅନ୍ୟପଟେ ବଙ୍ଗୋପସାଗରୀୟ ଗରମ ପବନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଦେଇ ଗୁରୁଚାପ ବଳୟ ପର୍ଯ୍ୟନ୍ତ ଯାଉଛି। ଗୁରୁଚାପ ବଳୟ ଦେଇ ଏହି ବଙ୍ଗୋପସାଗରୀୟ ଗରମ ପବନ ପୁଣି ଓଡ଼ିଶାକୁ ଫେରିଥିବାରୁ ରାଜ୍ୟର ତାପମାତ୍ରା ବଢ଼ିବାର ଏହା ଅନ୍ୟ ଏକ କାରଣ ହୋଇଛି ବୋଲି ଶ୍ରୀ ପଶୁପାଳକ କହିଛନ୍ତି।

ସୂଚନା ମୁତାବକ, ୧୪ ତାରିଖ ଦିନ ରାଜ୍ୟରେ ତାପମାତ୍ରା ୨ ଡିଗ୍ରି କମିପାରେ। ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା, କେନ୍ଦ୍ରୀୟ ଓଡ଼ିଶା, ପଶ୍ଚିମ ଓଡ଼ିଶାରେ ୧୨ ତାରିଖରୁ ଉଭୟ ସର୍ବନିମ୍ନ ଓ ସର୍ବାଧିକ ତାପମାତ୍ରା ପ୍ରାୟ ୬ ଡିଗ୍ରି କମିବ। ସୁନ୍ଦରଗଡ଼ର ତାପମାତ୍ରା ଆଜି ଅଧିକ ରହିଛି। ତଥାପି ତାପମାତ୍ରା କିଛି କମିଛି ଓ ଆସନ୍ତା ୧୪ ସୁଦ୍ଧା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିବ। କିନ୍ତୁ ଏଥିରେ ବିଶେଷ ଉତ୍ସାହିତ ହେବର କିଛି ନାହିଁ। କାରଣ ୭ ଦିନ ପରେ ୧୯ ତାରିଖରୁ ପୁଣି ତାପମାତ୍ରା ବଢ଼ିବ। ବର୍ତ୍ତମାନର ତାପମାତ୍ରାଠାରୁ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ଅଧିକ ରହିବ ବୋଲି ଡ. ପଶୁପାଳକ କହିଛନ୍ତି।

The post ରେକର୍ଡ କଲା ଜାନୁଆରିର ଦିନ ତାପମାତ୍ରା first appeared on Sambad.


No comments

Powered by Blogger.