Header Ads

Header ADS

ଯୁବତୀଙ୍କୁ ଭୁବନେଶ୍ବରରେ ହତ୍ୟାକରି ଗଞ୍ଜାମରେ ଫିଙ୍ଗିଥିଲେ ଦମ୍ପତି


ଓଲା କାର୍‌ରେ ଆଣି ୧୫୦ କିଲୋମିଟର ଦୂରକୁ ନେଇଥିଲେ

ଜଗନ୍ନାଥପ୍ରସାଦ : ଯୁବତୀଙ୍କ ଘର ବାଲେଶ୍ବର। ହେଲେ, ଯାହାଙ୍କ ଘରେ ସେ କାମ କରୁଥିଲେ ସେଇଠି ହିଁ ତାଙ୍କ ପାଇଁ ମୃତ୍ୟୁ ଅପେକ୍ଷା କରିଥି‌ଲା। ଘର ମାଲିକ ଦମ୍ପତି ଭୁବନେଶ୍ବରରେ ହତ୍ୟା କରି ତାଙ୍କ ମୃତଦେହକୁ ଗଞ୍ଜାମରେ ପକାଇଥିଲେ। ଗତ ଡିସେମ୍ବର ୨ ତାରିଖରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଧୀନ ଭୂଷଣ୍ଡପାଳ ଛକ ୨୧ ନମ୍ବର ରାଜ୍ୟ ରାଜପଥ କଡ଼ରୁ ଉଦ୍ଧାର ହୋଇଥିବା ଯୁବତୀଙ୍କ ମୃତଦେହ ଘଟଣାର ରହସ୍ୟ ଖୋଲିବା ସହିତ ପୁଲିସ୍‌ ଏହି ଚାଞ୍ଚଲ୍ୟକର ତଥ୍ୟ ଦେଇଛି। ଏଥିସହିତ, ସମ୍ପୃକ୍ତ ଦମ୍ପତିିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ମୃତ ଯୁବତୀ ଜଣକ ବାଲେଶ୍ବର ସଦର ଥାନା ଅଧୀନ ମହାପଦା ଗ୍ରାମର ଦାମୋଦର ସେଠୀଙ୍କ ଝିଅ ପୂଜା ସେଠୀ ଓରଫ୍ ଟିକି (୨୫) ବୋଲି ଜଣାପଡ଼ିଛି। ପୂଜା ଭୁବନେଶ୍ବର ଖଣ୍ଡଗିରିରେ ରହୁଥିବା ମାନସ ରଞ୍ଜନ ପାଇକରାୟ (୩୫) ଓ ପତ୍ନୀ ସରୋଜିନୀଙ୍କ ଘରେ କାମ କରୁଥିଲେ। ପୂଜା ଗତ ପାଞ୍ଚ ବର୍ଷ ହେଲା ଦମ୍ପତିଙ୍କ ଘରେ କାମ କରୁଥିଲେ।

କିନ୍ତୁ ଗତ କିଛିମାସ ହେଲା ଧୀରେଧୀରେ ତାଙ୍କର ବିତୃଷ୍ଣା ମନୋଭାବ ଆସିଯାଇଥିଲା। ଫଳରେ ସେ ଘର ଛାଡ଼ି ପଳାଇବାକୁ ଚାହିଁଥିଲେ ହେଁ, ଦମ୍ପତି ତାଙ୍କୁ ଛାଡ଼ି ନଥିଲେ। ଯାହାକୁ ନେଇ ଦମ୍ପତିଙ୍କ ସହ ପ୍ରବଳ ଯୁକ୍ତିତର୍କ ହେଉଥିଲା।

ଗତ ଡିସେମ୍ବର ୧ ତାରିଖ ସନ୍ଧ୍ୟାରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ମାନସ ଓ ସରୋଜିନୀ ମିଶି ପୂଜାଙ୍କୁ ପ୍ରବଳ ମାଡ଼ ମାରିବା ସହ ତଣ୍ଟି ଚିପି ହତ୍ୟା କରିଥିଲେ। ଆଉ ଶବକୁ ଘରେ ଲୁଚାଇ ରଖି ରାତି ୧୦ଟାରେ ଓଲା କାର୍ ଡାକି ଫୋପାଡ଼ିବାକୁ ଯୋଜନା କରିଥିଲେ। ତେବେ ଶବ ଫୋପାଡ଼ିବାକୁ ଜାଗା ଖୋଜି ଶେଷରେ ଭୁବନେଶ୍ବରରୁ ୧୫୦ କିଲୋମିଟର ଦୂର ଭୂଷଣ୍ଡପାଳ ଗ୍ରାମ ରାସ୍ତାକଡ଼ ବିଲରେ ଫୋପାଡ଼ି ଦେଇ ପଳାଇଥିଲେ।

ଗତ ୨ ତାରିଖରେ ଶବକୁ ଠାବ କରାଯାଇଥିଲା। ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରି ଏହା ଏକ ହତ୍ୟାକାଣ୍ଡ ବୋଲି ଜଗନ୍ନାଥପ୍ରସାଦ ପୁଲିସ ନିଶ୍ଚିତ ହୋଇ ହତ୍ୟା ମାମଲା ରୁଜୁ କରିଥିଲା। ଥାନାଧିକାରୀ ଦିଲ୍ଲୀପ ସ୍ବାଇଁଙ୍କ ନେତୃତ୍ବରେ ୫ଟି ଟିମ୍ ଗଠିତ ହୋଇଥିଲା। ଏହି ଟିମ୍‌ ବାଲେଶ୍ବର ଅଞ୍ଚଳର ଦାମୋଦରଙ୍କୁ ଫଟୋ ଦେଖାଇବାରୁ ଶବଟି ତାଙ୍କ ଝିଅ ପୂଜାର ବୋଲି ଚିହ୍ନଟ କରିବା ସହ ସେ ଭୁବନେଶ୍ବରରେ ରହି କାମ କରୁଥିବା କହିଥିଲେ। ଦାମୋଦରଙ୍କ ଡିଏନ୍‌ଏ ମଧ୍ୟ ପରୀକ୍ଷା ହୋଇଥିଲା। କିନ୍ତୁ ମାଲିକଙ୍କୁ ଜାଣି ନଥିବା ସେ କହିଥିଲେ। ତେବେ ପୁଲିସ ତଦନ୍ତ କରି ଖଣ୍ଡଗିରିର ମାନସ ଓ ସ‌ରୋଜିନୀଙ୍କୁ କାବୁ କରିବା ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିଥିଲା। ପୂଜାଙ୍କୁ ସେମାନେ କିଭଳି ହତ୍ୟା କରିଥିଲେ, ତାହା ତଦନ୍ତ ସମୟରେ ସ୍ବୀକାର କରିଥିଲେ। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ।

The post ଯୁବତୀଙ୍କୁ ଭୁବନେଶ୍ବରରେ ହତ୍ୟାକରି ଗଞ୍ଜାମରେ ଫିଙ୍ଗିଥିଲେ ଦମ୍ପତି first appeared on Sambad.


No comments

Powered by Blogger.