Header Ads

Header ADS

ଭଦ୍ରକ: ୩ ଦିନ ପରେ ସ୍ୱାବ୍‌ ରିପୋର୍ଟ ହିଁ ସମସ୍ୟା, ଖୋଲାମେଲାରେ ବୁଲୁଛନ୍ତି ସଂକ୍ରମିତ


ଭଦ୍ରକ : ୩ ଦିନ ପରେ ଆସୁଛି କରୋନା ସ୍ବାବ୍‌ ରିପୋର୍ଟ। ମାତ୍ର, ଏହି ବିଳମ୍ବିତ ରିପୋର୍ଟ ହିଁ ସମସ୍ୟା ସୃଷ୍ଟି କରୁଛି। ସଂକ୍ରମିତମାନେ ଖୋଲାମେଲାରେ ବୁଲିବା ସହିତ ରୋଗୀ ସଂଖ୍ୟା ବୃଦ୍ଧିର କାରଣ ପାଲଟୁଛନ୍ତି।

ପୂର୍ବରୁ ଭଦ୍ରକ ଜିଲ୍ଲାର ସ୍ବାବ୍‌ ରିପୋର୍ଟ ଭୁବନେଶ୍ବରରୁ ଆସୁଥିବାରୁ ଏଥିପାଇଁ ପ୍ରାୟ ସପ୍ତାହେରୁ ଅଧିକ ସମୟ ଲାଗି ଯାଉଥିଲା। ଅଗଷ୍ଟ ମାସରୁ ସ୍ବାବ୍ ରିପୋର୍ଟ ବାଲେଶ୍ବରରୁ ଆସୁଥିବାରୁ କମ୍ ଦିନ ଲାଗୁଛି ବୋଲି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି। ଆଣ୍ଟିଜେନ୍ ଓ ଟ୍ରୁନେଟ୍ ଟେଷ୍ଟ ଭଦ୍ରକରେ କରାଯାଉଛି। ଏହି ରିପୋର୍ଟ ମାତ୍ର ୨୦ରୁ ୩୦ ମିନିଟ୍ ଭିତରେ ଲୋକଙ୍କୁ ମିଳିଯାଉଛି। ସ୍ବାବ୍‌ ଟେଷ୍ଟ ରିପୋର୍ଟ ଆସିବାକୁ ବିଳମ୍ବ ହେଉଥିବାରୁ ଲୋକମାନଙ୍କୁ ନିଜ ନିଜ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଉଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ପରାମର୍ଶକୁ ମାନି କିଛି ଲୋ‌କ ନିଜ ଘରେ ସଂଗରୋଧରେ ରହୁଥିବାବେଳେ ଅନେକ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଘରେ ନ ରହି ବଜାର ଓ ସହରରେ ଖୋଲାଖୋଲି ବୁଲୁଛନ୍ତି। ଗାଁ ଗହଳିରେ ଏହି ନିୟମର ଆଦୌ ପ୍ରଭାବ ପଡୁନାହିଁ। ସରକାର ସବୁ କଟକଣା ଉଠାଇ ଦେବା ପରେ ସଂକ୍ରମଣ ହାର ପୂର୍ବାପେକ୍ଷା ଆହୁରି ବଢ଼ିଛି।

ଜିଲ୍ଲାରେ ଆଜି ସୁଦ୍ଧା ୬୭ ହଜାର ୪୨୩ ଜଣଙ୍କର ସ୍ବାବ୍‌, ଆଣ୍ଟିଜେନ୍ ଓ ଟ୍ରୁନେଟ୍ ଟେଷ୍ଟ କରାଯାଇଛି। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଭଦ୍ରକ ନୂଆ ବସଷ୍ଟାଣ୍ଡସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଟେଷ୍ଟିଂ କେନ୍ଦ୍ର ସମେତ ୭ଟି ବ୍ଲକସ୍ତରୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଶାଇ ମୋଟ ୯ଟି ସ୍ଥାନରେ ସ୍ବାବ୍‌ ଓ ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି। ସେହିପରି ଜିଲ୍ଲାରେ ନୂଆ କରି ଖୋଲା ଯାଇଥିବା ପବ୍ଲିକ ହେଲଥ୍ ସେଣ୍ଟରଗୁଡିକରେ ମଧ୍ୟ ସ୍ବାବ୍‌ ଟେଷ୍ଟ କରାଯାଉଛି। ଏମିତି ଜିଲ୍ଲାରେ ମୋଟ ୩୦ଟି ସ୍ଥାନରେ କରୋନା ପରୀକ୍ଷଣ କରାଯାଉଛି। ତେବେ ଭଦ୍ରକ ଜିଲ୍ଲାରେ ସ୍ବାବ୍‌ ଟେଷ୍ଟ ପାଇଁ ସୁବିଧା ନଥିବାରୁ ରିପୋର୍ଟ ପାଇବା ପାଇଁ ବାଲେଶ୍ବର ଜିଲ୍ଲା ଉପରେ ନିର୍ଭର କରିବାକୁ ପଡୁଛି ବୋଲି ଭଦ୍ରକ ସିଡିଏମ୍‌ଓ ସୂଚନା ଦେଇଛନ୍ତି। ସ୍ବାବ୍‌ ରିପୋର୍ଟ ଆସିବାକୁ ୩/୪ ଦିନ ସମୟ ଲାଗୁଥିବାରୁ ଏହି ସମୟରେ କରୋନା ଆକ୍ରାନ୍ତ ଅନ୍ୟ ଲୋକଙ୍କ ସହ ମିଶୁଛନ୍ତି। ଯାହାଫଳରେ ଭଦ୍ରକରେ କରୋନା ଗୋଷ୍ଠୀ ସଂକ୍ରମଣ ଆଡକୁ ମୁହାଁଇଛି।


No comments

Powered by Blogger.