Header Ads

Header ADS

ଯୁକ୍ତ୨ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ : ରେଭେନ୍ସା ଆଗରେ, ବିଜେବି ପଛରେ


ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ)ରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା(ମେରିଟ୍‌ ଲିଷ୍ଟ) ତଥା କଟ୍‌ ଅଫ୍‌ ମାର୍କ ଲିଷ୍ଟ ପ୍ରକାଶ ପାଇଛି। କଳା ସମେତ ବିଜ୍ଞାନ, ବାଣିଜ୍ୟ ବିଭାଗରେ ରେଭେନ୍ସା ଜୁନିଅର କଲେଜର କଟ୍‌ ଅଫ୍‌ ମାର୍କ ସର୍ବାଧିକ ରହିଛି। ବିଜେବି ସମେତ ଅନ୍ୟାନ୍ୟ ନାମକରା କଲେଜଗୁଡ଼ିକ ପଛରେ ପଡ଼ିଛନ୍ତି। ହାତଗଣତି ଘରୋଇ କଲେଜ ବ୍ୟତୀତ ବିଜ୍ଞାନ ବିଭାଗରେ ଭଲ ରେଜଲ୍ଟ କରୁଥିବା ଯୁକ୍ତ୨ କଲେଜଗୁଡ଼ିକର କଟ୍‌ ଅଫ୍‌ ମାର୍କ ସେଭଳି ଆଖିଦୃଶିଆ ହୋଇପାରି ନାହିଁ। ଉକ୍ତ ୩ ବିଭାଗ ବ୍ୟତୀତ ଧନ୍ଦାମୂଳକ ଓ ସଂସ୍କୃତ ବିଭାଗର କଟ୍‌ ଅଫ୍‌ ମାର୍କ ମଧ୍ୟ ଆଜି ପ୍ରକାଶ ପାଇଛି।

ଚଳିତବର୍ଷ ଯୁକ୍ତ୨ କଲେଜରେ ନାମଲେଖା ପାଇଁ ୩ ଲକ୍ଷ ୮୪ ହଜାର ୨୭୯ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୪୭ହଜାର ୬୨୬ ଜଣଙ୍କୁ ସିଟ୍‌ ଆଲଟ୍‌ମେଣ୍ଟ କରାଯାଇଛି। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୨୩ ହଜାର ୫୭୫ ଛାତ୍ରଛାତ୍ରୀ ନାମଲେଖ‌ା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ବିଜ୍ଞାନରେ ୮୪ ହଜାର ୭୮୯, ବାଣିଜ୍ୟରେ ୨୫ ହଜାର ୬୨ ଜଣ, ସଂସ୍କୃତରେ ୮୪୩୮ ଓ ଧନ୍ଦାମୂଳକ ବିଭାଗରେ ୫୭୬୨ ଜଣ ମନୋନୀତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧ ଲକ୍ଷ ୭୧ ହଜାର ୧୭୩ ଛାତ୍ର ଓ ୧ ଲକ୍ଷ ୭୬ ହଜାର ୪୪୪ ଛାତ୍ରୀ ରହିଛନ୍ତି। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ସେପ୍ଟେମ୍ବର ୨୧ରୁ ୨୬ ମଧ୍ୟରେ ଅନୁଷ୍ଠିତ ହେବ। ଅକ୍ଟୋବର ୩ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବା ସହ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ୫ରୁ ୭ ତାରିଖ ମଧ୍ୟ‌ରେ ହେବ। ୧୫ ତାରିଖରେ ସ୍ପଟ୍‌ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ ଏବଂ ୧୬ରେ ସ୍ପଟ୍‌ ନାମଲେଖା କରାଯିବ। ଅକ୍ଟୋବର ୧୭ ସୁଦ୍ଧା ନାମଲେଖା ପ୍ରକ୍ରିୟ‌ା ଶେଷ ହେବ। ୨୦୨୦-୨୧ ଶିକ୍ଷାବର୍ଷରେ ରାଜ୍ୟର ୨ ହଜାର ୨୮ଟି କଲେଜର ୪ ଲକ୍ଷ ୫୩ ହଜାର ୬୪୩ ସିଟ୍‌ରେ ନାମଲେଖା ହେବ।


No comments

Powered by Blogger.