Header Ads

Header ADS

ସରକାରୀ ଅଧିକାରୀ ଦେବେ ଆଦର୍ଶ ବିଦ୍ୟାଳୟ ମେଧାବୀଙ୍କୁ ପ୍ରଶିକ୍ଷଣ : ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏଭଳି ପଦକ୍ଷେପ ନେଲା


ଡାକ୍ତରୀ, ଇ଼ଞ୍ଜିନିୟିରିଂ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ କରିବେ
ଅଧିକାରୀଙ୍କ ଠାରୁ ଆବେଦନ ଆହ୍ବାନ, ୫ଟି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ

ଭୁବନେଶ୍ୱର : ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଆଜି ଏକ ବଡ଼ ପଦକ୍ଷେପ ଆରମ୍ଭ କରିଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ମେଡିକାଲ୍‌, ଇଂଜିନିୟରିଂ ଓ ଅନ୍ୟାନ୍ୟ ବୃତ୍ତିଗତ ଶିକ୍ଷା ନିମନ୍ତେ ଆବଶ୍ୟକ ପ୍ରଶିକ୍ଷଣ ଦେବା ପାଇଁ ଆଗ୍ରହୀ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କଠାରୁ ଆଦର୍ଶ ବିଦ୍ୟାଳୟ ସଂଗଠନ ଆବେଦନ ଆମନ୍ତ୍ରଣ କରିଛି। ଆଗ୍ରହୀ ପ୍ରଶିକ୍ଷକମାନେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଡେପୁଟେସନ୍‌ ବା ଅତିରିକ୍ତ ଦାୟିତ୍ୱରେ ଆସି ଏହି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଷୟରେ କୋଚିଂ ଦେଇ ପାରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଆଜି ଏହି ସୂଚନା ଦେଇଛନ୍ତି।

ଏହା ରାଜ୍ୟ ସରକାରଙ୍କ ୫ଟି ଅନ୍ତର୍ଗତ କାର୍ଯ୍ୟକ୍ରମ ବୋଲି କୁହାଯାଇଛି। ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ନିଜେ ୫ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଏହି ସମୟରେ ଛାତ୍ରଛାତ୍ରୀମାନେ ଡାକ୍ତର ଓ ଇଞ୍ଜିନିୟରିଂ କରିବା ଲାଗି ଆଗ୍ରହ ଦେଖାଇଥିଲେ। ତିନି ଘଣ୍ଟାର ଏହି ଆଲୋଚନା ପରେ ଏଭଳି ପ୍ରକଳ୍ପ ଆରମ୍ଭ କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ସରକାର କହିଛନ୍ତି, ଏହାଦ୍ବାରା ସବୁ ବର୍ଗର ଛାତ୍ରଛାତ୍ରୀଙ୍କୁ ସମାଜର ଶ୍ରେଷ୍ଠ ବ୍ୟକ୍ତିରେ ପରିଣତ ହେବା ଲାଗି ଯେଉଁ ସ୍ବପ୍ନ ମୁଖ୍ୟମନ୍ତ୍ରୀ ଦେଖିଛନ୍ତି, ତାହା ଅଧିକ ସଫଳ ହେବ।

ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ସରକାରଙ୍କ ଦ୍ୱାରା ଗଠିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଅଧୀନରେ ରାଜ୍ୟର ପ୍ରତି ବ୍ଳକ୍‌ରେ ଆଦର୍ଶ ବିଦ୍ୟାଳୟମାନ ପରିଚାଳିତ ହେଉଛି। ଏଠାରେ ଛାତ୍ରଛାତ୍ରୀମାନେ ସିବିଏସ୍‌ଇ ପାଠ୍ୟକ୍ରମ ଢାଞ୍ଚାରେ ଇଂରାଜୀ ମାଧ୍ୟମରେ ଶିକ୍ଷାଗ୍ରହଣ କରୁଛନ୍ତି। ଚଳିତ ବର୍ଷ ଓ ଗତବର୍ଷ ଆଦର୍ଶ ବିଦ୍ୟାଳୟର ପ୍ରାୟ ୩୫୦ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଭବିଷ୍ୟତରେ ମେଡିକାଲ୍‌ ଇଂଜିନିୟରିଂ ଏବଂ ଅନ୍ୟାନ୍ୟ ବୃତ୍ତିଗତ ଶିକ୍ଷା ପାଇଁ ସେମାନେ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିଲାଗି ସେମାନଙ୍କୁ ପ୍ରବେଶିକା ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ୁଥିବା ଦୃଷ୍ଟିରୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଓ କୋଚିଂ ସୁବିଧାର ଆବଶ୍ୟକତା ରହିଛି।

ଶ୍ରୀ ସାହୁ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ବିଭିନ୍ନ ଦପ୍ତରରେ କାର୍ଯ୍ୟରତ ଅନେକ ଅଧିକାରୀ ତଥା କର୍ମଚାରୀ କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେବା ଏବଂ ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବାର ଆଗ୍ରହ ରଖନ୍ତି। ଅନେକ ଏପରି କାର୍ଯ୍ୟକୁ ଏକ ପ୍ରତିବଦ୍ଧତା ଭାବେ ଗ୍ରହଣ କରିଥାନ୍ତି। ସେହିପରି ଆଗ୍ରହ ରଖିଥିବା ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପ୍ରଶିକ୍ଷଣ ନିମନ୍ତେ ଆବେଦନ କରିବା ସକାଶେ ସଂଗଠନ ପକ୍ଷରୁ କୁହାଯାଇଛି। ବିଶେଷକରି ଛାତ୍ରଛାତ୍ରୀମାନଙ୍କୁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ, ଗଣିତ, ଇଂରାଜୀ ଓ ସାମାଜିକ ବିଜ୍ଞାନରେ ଅନ୍‌ଲାଇନ୍‌ କିମ୍ବା ଅଫ୍‌ଲାଇନ୍‌ ପ୍ରଶିକ୍ଷଣ ଦେବାକୁ ହେବ। ଆଗ୍ରହୀ ଅଧିକାରୀମାନେ ସେମାନଙ୍କ ଉପରିସ୍ଥ ଅଧିକାରୀଙ୍କ ଜରିଆରେ ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଆବେଦନ କରି ପାରିବେ । ଏହାର ସବିଶେଷ ତଥ୍ୟ ଆଦର୍ଶ ବିଦ୍ୟାଳୟ ୱେବ୍‌ସାଇଟ୍‌ରେ ରହିଛି।


No comments

Powered by Blogger.