Header Ads

Header ADS

ଆଜିଠୁ ଯୁକ୍ତ ଦୁଇ ନାମଲେଖା

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପ୍ରଥମ ବର୍ଷ ନାମଲେଖା ସୋମବାରଠାରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ମେଧା ତାଲିକାରେ ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀ ସୋମବାରଠାରୁ ୨୬ ତାରିଖ ମଧ୍ୟରେ ୨୦୨୮ କନିଷ୍ଠ ମହାବିଦ୍ୟାଳୟରେ ନାମ ଲେଖାଇପାରିବେ। ବିଦ୍ୟାର୍ଥୀ ସାମ୍ସ ୱେବ୍‌ସାଇଟ୍‌ ଲଗ୍‌ ଇନ୍‌ କରି ମେଧା ତାଲିକା ଦେଖିବା ସହ ଇଣ୍ଟିମେସନ୍‌ ଲେଟ୍‌ର ଡାଉନଲୋଡ୍‌ କରିପାରିବେ। ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ପାଠ୍ୟକ୍ରମ ସହ ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ପାଠ୍ୟକ୍ରମର ବିଦ୍ୟାର୍ଥୀ ନାମ ଲେଖାଇବେ। ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀଙ୍କ ଯେଉଁ ଶିକ୍ଷାନୁଷ୍ଠାନରୁ ଇଣ୍ଟିମେସନ୍‌ ଆସିଥିବ ସେଠାରେ ନାମ ଲେଖାଇବାକୁ ପଡ଼ିବ। ପ୍ରଥମ ପର୍ଯ୍ୟାୟରେ ନାମ ନ ଲେଖାଇଲେ ନାମ ଲେଖା ପ୍ରକ୍ରିୟାରୁ ବାଦ ପଡ଼ିବେ। ଉପର ପସନ୍ଦର କଲେଜରେ ନାମ ଲେଖାଇବା ପାଇଁ ସ୍ଲାଇଡ୍‌ ଅପ୍‌ ପାଇଁ ଆବେଦନ କରିବାକୁ ପଡ଼ିବ।
ସେଥିପାଇଁ ବିଦ୍ୟାର୍ଥୀ ନାମ ଲେଖାଇବା ପରେ ଅନ୍‌ଲାଇନ୍‌ରେ ସାମ୍ସ ୱେବ୍‌ସାଇଟ୍‌ ଲଗ୍‌ ଇନ୍‌ କରି ସ୍ଲାଇଡ୍‌ ଅପ୍‌ ପାଇଁ ଆବେଦନ କରିବେ। ଅନ୍ୟପକ୍ଷରେ ନାମଲେଖା ପାଇଁ ବିଦ୍ୟାର୍ଥୀଙ୍କ ସହ ଜଣେ ଅଭିଭାବକ ଯାଇପାରିବେ। ବିଦ୍ୟାର୍ଥୀ ଓ ଅଭିଭାବକ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ୬ ଫୁଟ୍‌ ଦୂରତା ବଜାୟ ରଖିବେ। ଭିଡ଼ ଏଡ଼ାଇବା ପାଇଁ ଇଣ୍ଟିମେସନ୍‌ରେ ପ୍ରଦାନ କରାଯାଇଥିବା ସମୟରେ ଶିକ୍ଷାନୁଷ୍ଠାନ ଯିବେ ବିଦ୍ୟାର୍ଥୀ। କମନ୍‌ ଆପ୍ଲିକେସନ୍‌ ଫର୍ମ(ସିଏଏଫ୍‌) କପି ସହ ମାଟ୍ରିକ୍‌ ସାର୍ଟିଫିକେଟ୍‌, ମାର୍କସିଟ୍‌, ସ୍କୁଲ କଣ୍ଡକ୍ଟ ଓ ଲିଭିଙ୍ଗ ସାର୍ଟିଫିକେଟ୍‌ ସହ ଅନ୍ୟ ଆବଶ୍ୟକ କାଗଜପତ୍ର ସାଙ୍ଗରେ ନେବାକୁ ପଡ଼ିବ। ୨୦୨୦-୨୧ ଶିକ୍ଷା ବର୍ଷରେ ରାଜ୍ୟର ୨ ହଜାର ୨୮ଟି କଲେଜର ୪ ଲକ୍ଷ ୫୩ ହଜାର ୬୪୩ ସିଟ୍‌ରେ ନାମଲେଖା ଅନୁଷ୍ଠିତ ହେବ।



No comments

Powered by Blogger.