ଶୀତଦିନେ ହୃଦ୍ଘାତ ସମ୍ଭାବନା ବଢ଼ିଯାଏ କାହିଁକି ?

ଆପଣମାନେ ଜାଣନ୍ତି ଯେ ଚାରିପାଖର ପାଣିପାଗ ଓ ପରିବେଶ ଆମ ଶରୀରର ପ୍ରକ୍ରିୟାଗୁଡ଼ିକ ଉପରେ ପ୍ରଭାବ ବିସ୍ତାର କରିଥାଏ। ଶୀତର ଆଗମନରେ ଯେତେବେଳେ ବାୟୁମଣ୍ଡଳର ତାପମାତ୍ରା କମିଯାଏ, ସେତେବେଳେ ସେହି ପରିବର୍ତ୍ତନ ଆମର ହୃତ୍ପିଣ୍ଡ ଏବଂ ରକ୍ତସଞ୍ଚାଳନ ନଳୀଗୁଡ଼ିକ ଉପରେ ଯଥେଷ୍ଟ ପ୍ରଭାବ ପକାଇଥାଏ। ଦେଖାଯାଏ, ଆମ ଚର୍ମ ଓ ଚର୍ମ ତଳର ରକ୍ତଜାଲିକାଗୁଡ଼ିକ ଯେତେ କମ୍ ତାପମାତ୍ରାର ସଂସ୍ପର୍ଶରେ ଆସେ, ସେତେ ଏଗୁଡ଼ିକ ସଙ୍କୁଚିତ ହୋଇଯାଏ। ରକ୍ତଜାଲିକା ଆମର ଧମନୀ ଓ ଶିରାର ଅଂଶବିଶେଷ। ଧମନୀ ବିଶୁଦ୍ଧ ରକ୍ତକୁ ହୃତ୍ପିଣ୍ଡରୁ ଶିରାକୁ ବହନ କରିନିଏ ଏବଂ ଶିରା ସମଗ୍ର ଶରୀରରୁ ଅଶୁଦ୍ଧ ରକ୍ତକୁ ହୃତ୍ପିଣ୍ଡକୁ ଫେରେଇଆଣେ। ଶୀତର ପ୍ରଭାବରେ ଆମ ଶରୀରରେ ବିଭିନ୍ନ ଧମନୀ ସଙ୍କୁଚିତ ହୋଇଯାଏ। ଫଳରେ ଶରୀରରେ ବଢ଼ିଯାଏ ରକ୍ତଚାପ। ଏହି ସମୟରେ ଅନେକ କ୍ଷେତ୍ରରେ ଉଚ୍ଚ ରକ୍ତଚାପ ଭୋଗୁଥିବା ରୋଗୀଙ୍କ ରକ୍ତଚାପ ବଢ଼ିଯାଉଥିବାର ପରିଲକ୍ଷିତ ହୁଏ। ଏହାର ପରିଣାମରେ ହୃତ୍୍ପିଣ୍ଡ ଉପରେ ଚାପ ବଢ଼ିଯାଏ। କାରଣ ହୃଦ୍ରୋଗୀଙ୍କ ହୃତ୍ପିଣ୍ଡକୁ ଅନେକ ବେଶୀ ବାଧାର ବିରୋଧରେ ରକ୍ତକୁ ପମ୍ପ କରିବା ପାଇଁ ପଡ଼େ। ଫଳରେ ଅନେକ ବଢ଼ିଯାଏ ହୃତ୍ପେଶୀର ଅକ୍ସିଜେନ୍ ଚାହିଦା। ଶୀତକାଳରେ ବ୍ଲଡ୍ ପ୍ରେସର୍ ରୋଗୀମାନଙ୍କ ପ୍ରେସର୍ ବଢ଼ିଯିବା ସଙ୍ଗେସଙ୍ଗେ ଔଷଧର ମାତ୍ରା ମଧ୍ୟ ବୃଦ୍ଧିପାଏ।
ହୃଦ୍ପେଶୀର ଏହି ବର୍ଦ୍ଧିତ ଅକ୍ସିଜେନ୍ର ଚାହିଦା ପୂରଣ କରିବା ନିମନ୍ତେ କରୋନାରୀ ବା ହୃଦ୍ଧମନୀ ଭିତରେ ରକ୍ତ ସଞ୍ଚାଳନର ଚାହିଦା ମଧ୍ୟ ବଢ଼ିଯାଏ। ତେଣୁ ଯେଉଁସବୁ ରୋଗୀଙ୍କ ହୃଦ୍ରୋଗ ଅଛି, ଅର୍ଥାତ୍ କରୋନାରୀ ଧମନୀରେ ବ୍ଲକ୍ ବା ଅବରୋଧ ଅଛି, ସେମାନଙ୍କଠାରେ ହାର୍ଟ ଆଟାକ୍ ହେବାର ପ୍ରବଣତା ଅନେକ ବୃଦ୍ଧି ପାଇଯାଏ। ଦେଖାଯାଇଛି, ଶୀତଋତୁରେ ରାତିରେ ବା ଭୋରବେଳା, ଯେତେବେଳେ ବାୟୁମଣ୍ଡଳର ତାପମାତ୍ରା ସବୁଠାରୁ କମ୍ ହୋଇଯାଏ, ସେତେବେଳେ ହିଁ ହାର୍ଟ ଆଟାକ୍ ହେବାର ପ୍ରବଣତା ସବୁଠାରୁ ବେଶୀ। ତାହା ଛଡ଼ା ଦେଖାଯାଇଛି, ରାତିରେ ବା ଭୋରବେଳାରେ ଆମଠାରେ ରକ୍ତର ଘନତ୍ବ ବେଶୀ ବଢ଼ିଯାଏ। ଯାହା ଫଳରେ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ବଢ଼ିଯିବା ସ୍ବାଭାବିକ।
ଶୀତଦିନେ ବ୍ୟାୟାମ ବା ଖେଳାଖେଳି କଲେ, ଆମର ହାତ ଓ ପାଦର ମାଂସପେଶୀଗୁଡ଼ିକରେ ରକ୍ତସଞ୍ଚାଳନ ମଧ୍ୟ ଅନେକଟା ଅଧିକ ହୋଇଯାଏ। ଯେହେତୁ ଶୀତର ପ୍ରଭାବରେ ଶରୀରର ବେଶୀ ଭାଗ ଧମନୀ ଏକ ସଙ୍କୁଚିତ ଅବସ୍ଥାରେ ରହିଥାଏ, ତେଣୁ ଖେଳିବା ସମୟରେ ଯେପରି ମାଂସପେଶୀର ରକ୍ତସଞ୍ଚାଳନ ହେବା ଦରକାର, ସେଥିପାଇଁ କରୋନାରୀ ଧମନୀରେ ରକ୍ତସଞ୍ଚାଳନ ତୁଳନାତ୍ମକ ଭାବେ କମିଯାଏ।ଫଳରେ ଅତିରିକ୍ତ ଅକ୍ସିଜେନ୍ର ଚାହିଦା ମେଣ୍ଟେଇବାରେ ପ୍ରକାଶ ପାଏ ଅସମାର୍ଥ୍ୟ। ଏହି କାରଣରୁ ଲକ୍ଷ୍ୟ କରାଯାଏ, ଶୀତକାଳରେ କୌଣସି ଶାରୀରିକ ପରିଶ୍ରମ ବା ମାନସିକ ଚାପ ପରେ ହୃତ୍ପିଣ୍ଡରେ ଅକ୍ସିଜେନ୍ର ଚାହିଦା ବଢ଼ିଯାଏ। ଫଳରେ କରୋନାରୀ ଧମନୀ ସଙ୍କୁଚିତ ଅବସ୍ଥାରେ ରହି ବଢ଼ିଯାଏ ହାର୍ଟ ଆଟାକ୍ର ଆଶଙ୍କା।
ବେଶୀ ଶୀତ ହେଉଥିବା ଦେଶଗୁଡ଼ିକରେ, ବିଶେଷ କରି ଯେଉଁସବୁ ସ୍ଥାନରେ ବରଫ ପଡ଼େ, ସେଠାରେ ଅତିରିକ୍ତ ଥଣ୍ଡା କାରଣରୁ ଅନେକ ସମୟରେ ହାତ ବା ପାଦର ଧମନୀରେ ରକ୍ତ ସଞ୍ଚାଳନ ବନ୍ଦ ହୋଇଯାଏ ଏବଂ ଏହାର ପରିଣାମରେ ହାତ କି ପାଦର ଆଙ୍ଗୁଠି ବା ମାଂସପେଶୀ ନଷ୍ଟ ହୋଇଯାଏ।
ଶୀତକାଳୀନ ହୃଦ୍ରୋଗର ପ୍ରାଦୁର୍ଭାବକୁ ପ୍ରତିହତ କରିବାର ଶ୍ରେଷ୍ଠ ପ୍ରତିକାର ହେଲା ଉପଯୁକ୍ତ ଗରମ ପୋଷାକପତ୍ର ବ୍ୟବହାର କରି ନିଜର ଶରୀରକୁ ଉଷୁମ ରଖିବା, ନିୟମିତ ବ୍ଲଡ୍ ପ୍ରେସର୍ ପରୀକ୍ଷା କରେଇବା ଏବଂ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ଔଷଧର ମାତ୍ରା, ନିୟନ୍ତ୍ରଣ କରିବା ତଥା ଘରେ ଏୟାର୍ କଣ୍ଡିସନର୍ ଥିଲେ ତାପମାତ୍ରାକୁ ନିୟନ୍ତ୍ରଣରେ ରଖିବା। ଖିଆପିଆ କ୍ଷେତ୍ରରେ ମଧ୍ୟ ସାବଧାନତା ଅବଲମ୍ବନ ଜରୁରୀ। କାରଣ ଶୀତଋତୁରେ ସ୍ବାଭାବିକ ଭାବେ ହିଁ ବିଭାଘର, ବ୍ରତଘର ତଥା ଅନ୍ୟାନ୍ୟ ଅନୁଷ୍ଠାନରେ ଯୋଗଦେବାର ସମ୍ଭାବନା ଅନେକ ବଢ଼ିଯାଏ। ସେଠାକୁ ଗଲେ ନିଜର ପସନ୍ଦମତ ଲୋଭନୀୟ ସବୁ ଖାଦ୍ୟଦ୍ରବ୍ୟର ଆକର୍ଷଣକୁ ଏଡ଼େଇ ହୁଏନି। ଫଳରେ ଫ୍ୟାଟ୍ ଓ କ୍ୟାଲୋରି ଭଳି କ୍ଷତିକାରକ ପଦାର୍ଥ ଶରୀରରେ ଜମି ଚାଲେ। ସେଥିପାଇଁ ଯେତେ ଦୂର ସମ୍ଭବ, ଏହି ଧରଣର ଲୋଭନୀୟ ଖାଦ୍ୟଦ୍ରବ୍ୟକୁ କମ୍ ଖାଇବା ପ୍ରତି ସଚେତନ ରହିବା ନିରାପଦ। ଏ’ ତ ଗଲା ବାହାରେ ଖାଇବା ପ୍ରତି ସଚେତନତା। ହେଲେ ଘରୋଇ ଖାଇବାରେ ମଧ୍ୟ ଅଳ୍ପ ପରିମାଣ ସହଜ ପାଚ୍ୟ ଖାଦ୍ୟ ଖାଇବା ହିଁ ଶ୍ରେୟ। ପୁନଶ୍ଚ, ଯେଉଁମାନଙ୍କର ଡାଇବେଟିସ୍, ହୃଦ୍ରୋଗ ଏବଂ ଉଚ୍ଚରକ୍ତଚାପର ସମସ୍ୟା ଅଛି, ସେମାନେ ଯେପରି ଖେଳାଖେଳି, ବ୍ୟାୟାମ ବା ଶାରୀରିକ ପରିଶ୍ରମଜନିତ କାର୍ଯ୍ୟଗୁଡ଼ିକୁ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରନ୍ତି ଏବଂ ଏହି କାର୍ଯ୍ୟଗୁଡ଼ିକ କେବେ ବି ଯେପରି ନିଜ ସାଧ୍ୟ ବାହାରକୁ ଚାଲି ନଯାଏ, ସେଥିପ୍ରତି ସତର୍କ ରୁହନ୍ତୁ।
ଡ.ନିତ୍ୟାନନ୍ଦ ସ୍ବାଇଁ
‘ଅଭୀପ୍ସା’, ସେକ୍ଟର-୬, ପ୍ଲଟ ନଂ-୧୧୩୧,
ଅଭିନବ ବିଡ଼ାନାସୀ-କଟକ-୭୫୩୦୧୪
No comments