Header Ads

Header ADS

ଚେନ୍ନଇରେ ଶାଶୂଙ୍କୁ ହତ୍ୟା-୨୮ ବର୍ଷ ପରେ ଅଭିଯୁକ୍ତ ବ୍ରହ୍ମପୁରରୁ ଗିରଫ

ବ୍ରହ୍ମପୁର : ଚେନ୍ନଇରେ ଶାଶୂଙ୍କୁ ହତ୍ୟା କରି ଦୀର୍ଘ ୨୮ ବର୍ଷ ଧରି ଫେରାର ଥିବା ଜଣେ ଅଭିଯୁକ୍ତକୁ ବ୍ରହ୍ମପୁରରୁ ଗିରଫ କରାଯାଇଛି ା ଅଭିଯୁକ୍ତ ଜଣଙ୍କ ହେଲେ ବ୍ରହ୍ମପୁର ଗୋସାଇନୂଆଗାଁ ​ଅଞ୍ଚଳର ହରିହର ପାଟ୍ଟ​ଯୋଶୀ(୫୧)। ​‌​ଚେନ୍ନାଇ ପୁଲିସର ଏକ ଟିମ ସୋମବାର ବ୍ରହ୍ମପୁରରେ ପହଞ୍ଚି ସ୍ଥାନୀୟ ପୁଲିସ ସହାୟତାରେ ହରିହରଙ୍କୁ ଗିରଫ କରିବା ସହ ଟ୍ରାଞ୍ଜିଟ ରିମାଣ୍ଡରେ ନେଇଛି ା ଏହି ୨୮ ବର୍ଷ ଭିତରେ ଅଭିଯୁକ୍ତ ଜଣକ ଓଡ଼ିଶା ଓ ସୁରତର ବିଭିନ୍ନ କମ୍ପାନୀରେ କାମ କରିବା ସହ ଦ୍ବିତୀୟ ବିବାହ କରି ଜଣେ ସାଧାରଣ ମଣିଷ ଭଳି ଜୀବନ ବିତାଉଥିଲେ ା ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍‌.ଦେଇଥିବା ସୂଚନାପ୍ରକାରେ, ୧୯୯୪ରେ ଅଭିଯୁକ୍ତ ହରିହର ଚେନ୍ନାଇର ଏକ ବିଜ୍ଞାପନ କମ୍ପାନୀର ପ୍ରିଣ୍ଟିଙ୍ଗ ପ୍ରେସରେ କାମ କରୁଥିଲେ।

ସେହି ସମୟରେ ଚେନ୍ନାଇର ଅନ୍ୟ ଏକ କମ୍ପାନୀରେ ଟେଲି ମାର୍କେଟିଂ ଏକଜିକ୍ୟୁଟିଭ ଭାବେ କାମ କରୁଥିବା ଇନ୍ଦିରା ନାମକ ଜଣେ ଯୁବତୀଙ୍କ ସହ ଅଭିଯୁକ୍ତ ହରିହରଙ୍କ ପରିଚିତ ହୋଇଥିଲା ା ଉଭୟଙ୍କ ଭିତରେ ​ପ୍ରେମ ସମ୍ପର୍କ ବଢିବା​‌ ସହିତ ୧୯୯୪ ଜୁଲାଇ ୧୪ ତାରିଖରେ ସେମାନେ ବିବାହ କରି ଚେନ୍ନଇର ନାଙ୍ଗାଲୁରରେ ରହୁଥିଲେ। ବିବାହର କିଛି ମାସ ପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା ା ପରେ ଏହା ପାରିବାରିକ କଳହରେ ପରିଣତ ହୋଇଥିଲା ା ଇନ୍ଦିରା ଅଭିଯୁକ୍ତ ହରିହରଙ୍କ ଠାରୁ ଅଲଗା ହୋଇ ରହିବା ସହ ସେଠାକାର ଅଦାଲତରେ ଛାଡପତ୍ର ଆବେଦନ କରିଥିଲେ ା ଏଥିରେ ଅଭିଯୁକ୍ତ ହରିହର ଉତକ୍ଷିପ୍ତ ହୋଇ ଇନ୍ଦିରାଙ୍କ ବାପ ଘରକୁ ଯାଇ ଏକ ଛୁରିରେ ନିଜ ଶାଶୂ ରମାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ ା ଏହାର ପ୍ରତିବାଦ କରୁଥିବା ଇନ୍ଦିରା ଓ ତାଙ୍କ ଭାଇ କାର୍ତ୍ତିକ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଶାଶୂଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ହରିହର ଚେନ୍ନାଇ ଛାଡି ଫେରାର ହୋଇଯାଇଥିଲେ। ଘଟଣାକୁ ନେଇ ଚେନ୍ନାଇର ଆଡମ୍ବକମ୍ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା ା
ଅଭିଯୁକ୍ତ ହରିହର ବାରମ୍ବାର ନିଜ ଠିକଣା ବଦଳାଇ ଓଡ଼ିଶା ଏବଂ ସୁରତରେ ଲୁଚି ରହୁଥିଲା ା ସେ ପ୍ରଥମେ ଗଞ୍ଜାମ ଜିଲା ଆସିକାକୁ ଆସି ନିଜ ବନ୍ଧୁଙ୍କ ଗାଁରେ କିଛି ବର୍ଷ ରହିଥିଲା ା ସେଠାରେ ୨୦୦୧ରେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲା ା ଉଭୟଙ୍କ ଏକ ଝିଅ ମଧ୍ୟ ଜନ୍ମ ହୋଇଥିଲା ା କିଛି ଦିନ ପରେ ହରିହର ବ୍ରହ୍ମପୁର ଆସି ଏକ ମସଲା କମ୍ପାନୀରେ କାମ କରିବା ସହ ଏହାର କିଛି ବର୍ଷ ପରେ କେନ୍ଦ୍ରାପଡାର ଏକ ଇନ୍ସ୍ୟୁରାନ୍ସ କମ୍ପାନୀରେ କାମ କରିଥିଲା ା ସେହିପରି ୨୦୧୦ ବେଳକୁ ବ୍ରହ୍ମପୁରର ଏକ ଚିଟଫଣ୍ଡ କମ୍ପାନୀରେ ମ୍ୟାନେଜର ଭାବେ ମଧ୍ୟ କାମ କରିଥିଲା ା ଏପଟେ ଚେନ୍ନାଇ ପୁଲିସ ହରିହରକୁ ଧରିବାକୁ ବାରମ୍ବାର ଓଡିଶା ଆସିଥିଲେ ତାଙ୍କୁ ଠାବ କରି ନପାରି ନିରାଶ ହୋଇ ଫେରି ଯାଉଥିଲା ା ହେଲେ ଗତ ସପ୍ତାହରେ ହରିହର ବ୍ରହ୍ମପୁରର ଗୋସାଇଁନୂଆଗାଁ ଥାନା ଅଞ୍ଚଳର ଏକ ସ୍ଥାନରେ ରହୁଥିବା ବେଳେ ତାଙ୍କ ଦ୍ବିତୀୟ ପତ୍ନୀ ଅନ୍ଧପସରା ରୋଡ ଠାରେ ଏକ ଲୁଗା ଦୋକାନ ଚଳାଉଥିବା ଖବର ମିଳିବା ପରେ ଚେନ୍ନାଇ ପୁଲିସର ଏସଆଇ କାନନଙ୍କ ସମେତ ଅନ୍ୟ ୩ ଜଣ କର୍ମଚାରୀ ବ୍ରହ୍ମପୁର ଆସି ଏସପି ଡା. ସର୍ବଣାଙ୍କ ସହ ଆଲୋଚନା କରିଥିଲେ।

ସେହିକ୍ରମରେ ହରିହରଙ୍କୁ କାବୁ କରିବାକୁ ଯୋଜନା ହୋଇଥିଲା। ଗୋସାଇନୂଆଗାଁ ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ, ଏସ୍‌ଆଇ ଜ୍ଞାନରଞ୍ଜନ ବେହେରାଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ ହୋଇଥିଲା ା ସେହି ପୁଲିସ ଟିମ ଆଜକୁ ଏକ ସପ୍ତାହ ଧରି ହରିହରଙ୍କ ଗତିବିଧି ଉପରେ ନଜର ରଖିଥିଲେ। ସୋମବାର ହରିହର ରେଳ ଷ୍ଟେସନ ଆଡେ ଯାଉଥିବା ବେଳେ ପୁଲିସ ତାଙ୍କୁ କାବୁ କରିଥିଲା ା



No comments

Powered by Blogger.