Header Ads

Header ADS

ଡକାୟତି ଯୋଜନା ବେଳେ ୪ ଅଭିଯୁକ୍ତ ଗିରଫ

ପିପିଲି: ଡକାୟତି ଯୋଜନା କରୁଥିବା ଏକ ଅପରାଧି ଗୋଷ୍ଠିର ୪ଜଣ ଅଭିଯୁକ୍ତଙ୍କୁ ପିପିଲି ପୁଲିସ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ୨ଟି ବାଇକ୍‍, ଦୁଇଟି ଖଣ୍ଡା ଓ ଦୁଇଟି ଛୁରୀକୁ ପୁଲିସ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପିପିଲି ଥାନା ପୁବାଶାସନ ତୋଟାସାହିର ସତ୍ୟରଞ୍ଜନ ଭୋଇ ଓରଫ ମନ୍ତ୍ରୀ(୨୩), ଚିତ୍ତରଞ୍ଜନ ଭୋଇ ଓରଫ ସୋନୁ (୨୩), ସୁଜିତ କୁମାର ମଲ୍ଲିକ ଓରଫ ପମା (୨୮) ଓ ଉତ୍ତରାଶାସନ ଅଞ୍ଚଳର ବଳରାମ ସାହୁ ଓରଫ ନନ୍ଦୁ (୧୯)। ସମସ୍ତ ଅଭିଯୁକ୍ତଙ୍କୁ ଆଜି ପିପିଲି କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କୁ ନିମାପଡ଼ା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ଏହି ଅଭିଯୁକ୍ତମାନେ ଏକାଧିକ ମାମଲାରେ ସଂପୃକ୍ତ ଥିବା ପୁଲିସ ସୂଚନା ଦେଇଛି।

ପ୍ରାପ୍ତ ସୂଚନା ମୁତାବକ, ୧୭ ତାରିଖ ରାତିରେ ସିଫା ନିକଟରେ ଥିବା ଏକ ପରିତ୍ୟକ୍ତ ଘର ମଧ୍ୟରେ ୫ଜଣ ଅପରାଧି ମାରଣାସ୍ତ୍ର ସହ ବସିରହି ଡକାୟତି ପାଇଁ ଯୋଜନା କରୁଥିବା ସଂପର୍କରେ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ସୌମ୍ୟରଞ୍ଜନ ଜେନା ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ସେଠାରେ ଚଢାଉ କରିଥିଲେ। ପୁଲିସ ଉକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ଉପରୋକ୍ତ ୪ଜଣଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଜଣେ ଅପରାଧି ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା। ଏନେଇ ଫାଣ୍ଡି ଅଧିକାରୀ ଶ୍ରୀଜେନାଙ୍କ ଲିଖିତ ଅଭିଯୋଗ ଉପରେ ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତକାରୀ ଅଧିକାରୀ ଏସ୍‍ଆଇ ସଂଘମିତ୍ରା ଚାନ୍ଦ ଘଟଣାର ତଦନ୍ତ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲେ। ଫେରାର ଥିବା ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି।



No comments

Powered by Blogger.