ପୁଲିସ ଏସଆଇଙ୍କ ବେକରୁ ସୁନା ଚେନ ଏବଂ ଲକେଟ ଲୁଟ ଘଟଣା, ୩ ଜଣ ଗିରଫ

ବେଗୁନିଆ: ବେଗୁନିଆ ଥାନାରେ କାର୍ଯ୍ୟରତ ଏସଆଇ ତାଙ୍କ ସ୍ୱାମୀଙ୍କ ସାଙ୍ଗରେ ଏକ ବାଇକରେ ଗତ ୧୭ ତାରିଖ ଦିନ ଅପରାହ୍ନରେ ସେ ନୂଆସାହିରେ ରହୁଥିବାଭଡା ଘରକୁ ଯାଉଥିବା ସମୟରେ ୨ ଜଣ ଲୁଟେରା ଏକ ବାଇକରେ ଆସି ତାଙ୍କ ବେକରୁ ପିନ୍ଧିଥିବା ସୁନା ଚେନ ସହିତ ଲକେଟଟିକୁ ଛିଣ୍ଡାଇ ନେଇ ଚମ୍ପଟ ମାରିଥିଲେ। ପୋଲିସ ପଞ୍ଚାୟତ ନିର୍ବାଚନ ପାଇଁ ହେଉଥିବା ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟରେ ବ୍ୟସ୍ତ ରହିଥିବା ଯୋଗୁଁ ସଙ୍ଗେ ସଙ୍ଗେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରି ନଥିଲା। ପରେ ସିସିଟିଭି ଫୁଟେଜକୁ ଯାଞ୍ଚ କରି ସେହି ଦିନ ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଜଣ ଲୁଟେରାଙ୍କୁ ଗିରଫ କରିଥିବା ବେଳେ ସେମାନେ ବ୍ୟବହାର କରୁଥିବା ବାଇକଟିକୁ ଜବତ କରିବା ସହିତ ଲୁଟ ହୋଇଥିବା ଚେନ ଏବଂ ଲକେଟକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି।
ଥାନାରେ ନୂତନ ଭାବେ ଯୋଗ ଦେଇଥିବା ସ୍ୱାଗତିକା ବେହୁରା ତାଙ୍କ ସ୍ୱାମୀ ସୁରେନ୍ଦୁକୁମାର ମହାପାତ୍ରଙ୍କ ସାଙ୍ଗରେ ମେଡ଼ିକାଲ ରାସ୍ତାରେ ଘରକୁ ଯାଉଥିବା ବେଳେ ତାଙ୍କୁ ଏକ ପଲସର ବାଇକରେ ପିଛା କରୁଥିବା ଦୁଇଜଣ ଲୁଟେରା ତାଙ୍କ ବେକରୁ ୨.୫ଭରି ଓଜନର ଚେନ ଏବଂ ଲକେଟ ଛିଣ୍ଡାଇ ନେଇ ଆଖି ପିଛୁଳାକେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏ ସଂକ୍ରାନ୍ତରେ ସୁରେନ୍ଦୁ କୁମାର ମହାପାତ୍ର ବେଗୁନିଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୨୦/୨୨ ନଂ କେଶ ରୁଜୁ କରି ଖୋର୍ଦ୍ଧା ଏସପି ରାଜକିଶୋର ଦୋରାଙ୍କ ନିର୍ଦେଶରେ ଏସଡିପିଓ ସୁଶୀଲ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱ।ବଧାନରେ ବେଗୁନିଆ ଥାନା ଅଧିକାରୀ ଲଷ୍ମୀ ପ୍ରସାଦ ଶତପଥୀ, ସ୍ପେଶାଲ ସ୍କ୍ୱାର୍ଡ ଏଏସଆଇ ରାମଚନ୍ଦ୍ର ମିଶ୍ର, ଶ୍ରବଣ କୁମାର ସାହୁଙ୍କ ସହିତ ଅନ୍ୟ କର୍ମଚାରୀମାନଙ୍କୁ ନେଇ ଗଠନ କରାଯାଇଥିବା ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ଅପରାଧରେ ଜଡିତ ଥିବା କଟକ ଜିଲ୍ଲା ବାଙ୍କିର କାଳୀ ପ୍ରସାଦ ରାଉଳ, ବେଗୁନିଆ ଜାମୁସାହିର ମହେଶ୍ୱର ମହାକୁଡ଼ ଏବଂ ଅପରାଧର ମୁଖ୍ୟ ସୂତ୍ରଧର ବେଗୁନିଆ ଜାମୁସାହି ଗ୍ରାମର ବଳରାମ ପରିଡାଙ୍କୁ ଗିରଫ କରି ସେମାନେ ବ୍ୟବହାର କରୁଥିବା ପଲସର ବାଇକଟିକୁ ଜବତ କରିଛନ୍ତି। ଏଥି ସହିତ ଲୁଟେରାମାନେ ମାଣାପୁରମ ଗୋଲଡ଼ ଲୋନ କମ୍ପାନୀ ଖୋର୍ଦ୍ଧା ଶାଖାରେ ବନ୍ଧକ ପକାଇଥିବା ସୁନା ଚେନ ଏବଂ ଲକେଟକୁ ମଧ୍ୟ ଉଦ୍ଧାର କରିଛନ୍ତି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
No comments