ପାଗଳା କୁକୁର କାମୁଡାରେ ୫ଗୋରୁ ମୃତ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ଅଞ୍ଚଳରେ ବୁଲା ଗୋରୁ ଓ କୁକୁର ମାନଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ଦେଖିବାକୁ ମିଳୁଛି। ଏମାନଙ୍କ ଉପରେ କୌଣସି ରୋକ୍ ନଥିବା ହେତୁ ଚୌଦ୍ୱାର ସହରରେ ବୁାଲା ଗାଈ, ଷଣ୍ଡ ଓ କୁକୁରଙ୍କ ସଂଖ୍ୟା ଦିନକୁଦିନ ଅସଂଖ୍ୟ ଭାବେ ବଢ଼ିଚାଲିଛି। ଗତ କିଛି ଦିନ ଭିତରେ ଚୌଦ୍ୱାର ପୌରପାଳିକା ୧୭ନଂ ୱାର୍ଡ ନୁଆସାହି ଅଞ୍ଚଳରେ ପାଗଳା କୁକୁର କାମୁଡାରେ ୫ଟି ଗାଇ ଓ ବାଛୁରୀଙ୍କ ମୃତ୍ୟୁ ହୋଇଥିବା ବେଳେ ବୁଧବାର ଏକ ପାଗଳା କୁକୁରର ଆକ୍ରମଣରେ ଗୋଟିଏ ଗର୍ଭିଣୀ ଗାଇ ଆହତ ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୁଚନା ଅନୁଯାୟୀ ମଙ୍ଗଳବାର ସଂନ୍ଧ୍ୟାରେ ମଥୁରାନନ୍ଦ ବେହେରାଙ୍କ ଗୁହାଳରେ ତାଙ୍କର ଗାଇ ବନ୍ଧା ଯାଇଥିବା ବେଳେ ଏକ କୁକୁର ତାକୁ ଆକ୍ରମଣ କରିଥିଲା।ପଶୁ ଡାକ୍ତରଙ୍କୁ ଦେଖାଇବାରେ ଗାଇକୁ ପାଗଳା କୁକୁର କାମୁଡିଥିବା ଓ କୁକୁର ବିଷ ତା ରକ୍ତରେ ମିଶିଯାଇଥିବାରୁ ଚିକିତ୍ସା ସମ୍ଭବ ନୁହେଁବୋଲି ଡାକ୍ତର ପ୍ରକାଶ କରିଥିଲେ। ମଥୁରାନନ୍ଦ ବାଧ୍ୟ ହୋଇ ନିଜର ରୋଜଗାରକ୍ଷମ ଗାଇଟିକୁ ସ୍ଥାନୀୟ ଜଙ୍ଗଲରେ ଛାଡି ଦେଇ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସେହିପରି ପାଗଳା କୁକୁର କାମୁଡାରେ ନୁଆସାହିର ଧନେଶ୍ୱର ବିଶ୍ୱାଳ,ଆନନ୍ଦ ବିଶୋଇ ଓ ପିତବାସ ସାହୁଙ୍କର ଗାଇ ଓ ବାଛୁରୀ ମିଶାଇ ୫ଟିଙ୍କର ମୃତ୍ୟୁ ହୋଇଥିବା କ୍ଷୋଭର ସହ ସେମାନେ ପ୍ରକାଶ କରିଛନ୍ତି। ବାଦୁଡି ଓ ପାଗଳା କୁକୁର କାମୁଡିବାର ଖୁବ କମ ସମୟ ଭିତରେ ଯଦି ପ୍ରତିଷେଧକ ବ୍ୟବସ୍ଥା କରାନଯାଏ ତାହେଲେ ପଶୁର ମୃତ୍ୟୁ ସୁନିଶ୍ଚିତ ବୋଲି ଚୌଦ୍ୱାର ସ୍ଥିତ ପ୍ରଣୀଧନ ଅଧିକାରୀ ବିଜୟ କୁମାର ବେହେରା କହିଛନ୍ତି।
No comments