Header Ads

Header ADS

ବେହେରାଗୁଡ଼ା ବାଲି ଲିଜଧାରୀକୁ ଅହେତୁକ ଅନୁକମ୍ପା ଅଭିଯୋଗ


ରାୟଗଡ଼ା : ରାୟଗଡ଼‌ାରେ ବାଲି ଦୁର୍ନୀତି ଥମିବାର ନାଁ ନେଉନି। ବାଲି ମାଫିଆଙ୍କୁ ସାବାଡ଼ କରିବାକୁ ରାଜସ୍ବ ବିଭାଗ ଓ ପ୍ରଶାସନର ଦୃଢ଼ କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ମାଫିଆ ଗଳା ବାଟ ଦେଇ ଚୋରା ଚାଲାଣ ଜାରି ରଖିଛନ୍ତି। ଯାହାର ପ୍ରମାଣ ୧୬ ତାରିଖରେ ଇସ୍ୟୁ ହୋଇଥିବା ୱାଇ ଫର୍ମ ଜରିଆରେ ଆଜି ବାଲି ଚାଲାଣ କରୁଥିବା ଏକ ଟ୍ରାକ୍ଟରକୁ ପୁଲିସ୍ ଧରିବା ପରେ ପ୍ରମାଣିତ ହୋଇଛି। ତଦନ୍ତ ସମୟରେ ରାୟଗଡ଼ା ତହସିଲର ବେହେରାଗୁଡ଼ା ବାଲିଘାଟରୁ ଅଟକ ଥିବା ଟ୍ରାକ୍ଟର ବାଲି ଆଣୁଥିବା ଜଣା ପଡିଛି ।

ଗତ ଆର୍ଥିକ ବର୍ଷରେ କରୋନା କଟକଣା ସତ୍ତ୍ବେ ଧାର୍ଯ୍ୟ ସମୟ ପୂର୍ବରୁ ୱାଇ ଫର୍ମ ଶେଷ କରି ଆନ୍ଧ୍ରକୁ ବେଆଇନ ଭାବେ ବାଲି ଚାଲାଣ କରି ଚର୍ଚ୍ଚାରେ ଥିଲେ ବେହେରାଗୁଡ଼ା ଲିଜ୍ ଧାରୀ। ୱାଇ୍ ଫର୍ମ ‌ଶେଷ ହେବା ପରେ ତହସିଲ କର୍ତ୍ତୃପକ୍ଷଙ୍କ ନାଁରେ ଟ୍ରାକ୍ଟର ପିଛା ଧାର୍ଯ୍ୟ ଦର ବାଦେ ୩୦୦ ଟଙ୍କା ଆଦାୟ କରି ବେଆଇନ ଭାବେ ବାଲି ଚାଲାଣ ଜାରି ରଖିଥିଲେ। ପ୍ରତିବାଦରେ ଟ୍ରାକ୍ଟର ମାଲିକ ଆନ୍ଦୋଳନକୁ ଓହ୍ଲାଇବା ପ‌ରେ ବାଲି ଚାଲାଣ ବନ୍ଦ ସହ ରାୟଗଡ଼ା ସହର ନିକଟସ୍ଥ ଘାଟରୁ ବାଲି ଉଠାଣ ପାଇଁ ଟ୍ରାକ୍ଟର ମାଲିକଙ୍କୁ ପ୍ରଶାସନ ନିର୍ଦେଶ ଦେଇଥିଲା। ଚଳିତ ଆର୍ଥିକ ବର୍ଷରେ ଚୋରା ଚାଲାଣ ରୋକିବାକୁ ବେହେରାଗୁଡା ଲିଜଧାରୀକୁ ତହସିଲ ପକ୍ଷରୁ ପ୍ରତ୍ୟେକ ମାସର ଧାର୍ଯ୍ୟ କୋଟା ଅନୁଯାୟୀ ୱାଇ ଫର୍ମ ପ୍ରଦାନ କରାଯାଇଛି। ହେଲେ ଲିଜଧାରୀ ୱାଇ ଫର୍ମକୁ ଚଞ୍ଚକତା କରି ବାଲି ଚାଲାଣ ଜାରି ରଖିଛନ୍ତି। ପୁରୁଣା ତାରିଖର ୱାଇ ଫର୍ମରେ ଦିନ ଦିନ ଧରି ବାଲି ଚାଲାଣ ଜାରି ରହିଥିବା ସତ୍ତ୍ବେ ଏ ଦିଗରେ ତହସିଲ କର୍ତ୍ତୃପକ୍ଷ ମଧ୍ୟ ଦୃଷ୍ଟି ଦେଉନାହାନ୍ତି। ଆଜି ପୁଲିସର ଯାଞ୍ଚ ସମୟରେ ୧୬ ତାରିଖର ୱାଇ ଫର୍ମରେ ଏକ ଟ୍ରାକ୍ଟର ୩ ଦିନ ଧରି ବାଲି ଚାଲାଣ ଜାରି ରଖିଥିବା ଜଣା ପଡିଛି। ସୂଚନାଯୋଗ୍ୟ, ବେହେରାଗୁଡ଼ା ଘାଟକୁ ୫ ବର୍ଷ ପାଇଁ ଲିଜ୍ ଆକାରରେ ଲିଜଧାରୀଙ୍କୁ ପ୍ରଦାନ କରାଯାଇଛି। ଚଳିତ ମାର୍ଚ୍ଚରେ ଲିଜଧାରୀଙ୍କ ଲିଜ୍ ଅବଧି ଶେଷ ହେଉଥିବା ବେଳେ ବାକିଥିବା ୧୨ ହଜାର ୬୦ କ୍ୟୁବିକ୍ ମିଟର ପାଇଁ ପ୍ରତି ମାସକୁ ୧୦୦୦ କ୍ୟୁବିକ୍ ମିଟର ବାଲି ଉଠାଇବା ପାଇଁ ୱାଇ ଫର୍ମ ପ୍ରଦାନ କରାଯାଇଛି।

The post ବେହେରାଗୁଡ଼ା ବାଲି ଲିଜଧାରୀକୁ ଅହେତୁକ ଅନୁକମ୍ପା ଅଭିଯୋଗ first appeared on Sambad.

No comments

Powered by Blogger.