ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ରିଲିଫ ବଣ୍ଟନ

ଆଠଗଡ: ଆଠଗଡରେ ଲଘୁଚାପଜନିତ ବର୍ଷା ପରବର୍ତ୍ତୀ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ସରକାରୀ ଓ ବେସରକାରୀ ସଙ୍ଗଠନ ଏବଂ ରାଜନୈତିକ ନେତାମାନେ ବନ୍ୟାଅଞ୍ଚଳ ପରିଦର୍ଶନ କରିବା ସହିତ ରିଲିଫ ବଣ୍ଟନ କରିଥିବା ଜଣାପଡିଛି। ଶାସକ ଦଳର ବ୍ଲକ ସଭାପତି ରବିନ୍ଦ୍ରନାଥ ରାଉତ, ଜିଲ୍ଲା ଉପସଭାପତି ନୃସିଂହ ମହାପାତ୍ର ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡାଙ୍କ ସମେତ ବହୁ ତୁଙ୍ଗ ନେତା ବିଭିନ୍ନ ବନ୍ୟାଞ୍ଚଳ ଗସ୍ତକରି ଲୋକମାନଙ୍କୁ ସ୍ଥାନାନ୍ତର କରିବା ସହିତ ରିଲିଫ ଆକାରରେ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ସେହିପରି କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ବ୍ଲକ ସଭାପତି ସୁଦର୍ଶନ ସାହୁ, ଯୁବକଂଗ୍ରେସ ସଭାପତି ବିକ୍ରମ ରାୟସାମନ୍ତ, ଜିଲ୍ଲା ଯୁବକଂଗ୍ରେସ ଉପସଭାପତି ମନୋରଞ୍ଜନ ପଟ୍ଟନାୟକ ପ୍ରମୁଖ ଆଠଗଡ ଏନଏସି ଓ ଗ୍ରାମାଞ୍ଚଳରେ ବନ୍ୟା ପ୍ରଭାବିତ ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଯୁବସଂଗଠକ ଅଭୟ କୁମାର ବାରିକ ମଧ୍ୟ ତାଙ୍କ ସହଯୋଗୀମାନଙ୍କୁ ଧରି ଆଠଗଡ ଏନଏସିର ୭ଟି ୱାର୍ଡ ଓ କେତେକ ପ୍ରଭାବିତ ଗ୍ରାମକୁ ଯାଇ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ସେହିପରି ବିଜେପି ନେତା ବ୍ରଜେନ୍ଦ୍ର କୁମାର ରାୟ ଓ ରାମନାରାୟଣ ମହାନ୍ତିଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତ୍ତାମାନେ ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ଲୋକମାନଙ୍କୁ ସମବେଦନା ଜଣାଇବା ସହ ଯଥାସାଧ୍ୟ ରିଲିଫ ବଣ୍ଟନ କରିଥିଲେ।
No comments