Header Ads

Header ADS

ଓଡ଼ିଶା ପାଇଁ ଗୌରବ ଆଣିଲେ ସୁନ୍ଦରଗଡ଼ର ପୁଅ କ୍ରୀଷ୍ଣଚନ୍ଦ୍ର : ଭାବା ଆଣବିକ ଗବେଷଣା କେନ୍ଦ୍ରକୁ ମନୋନୀତ


ସୁନ୍ଦରଗଡ଼ : ସୁନ୍ଦରଗଡ଼ ମାଟିର ଅନେକ ପୁଅ ଝିଅଙ୍କ କ୍ରୀଡ଼ା ନିପୁଣତା ସାରା ଦେଶକୁ ଚମକାଇ ଦେଇଛି। ଏଥିରେ ଆଉ ଏକ ଚମକ ଯୋଡ଼ିଛନ୍ତି ସୁନ୍ଦରଗଡ଼ର ପୁଅ କ୍ରୀଷ୍ଣଚନ୍ଦ୍ର ଦାସ। ତେବେ ସେ କ୍ରୀଡ଼ା ନୁହେଁ, ପାରମାଣବିକ ଗବେଷଣା ପାଠ୍ୟକ୍ରମକୁ ମନୋନୀତ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।

ହାଇଦ୍ରାବାଦସ୍ଥିତ ଭାବା ଆଣବିକ ଗବେଷଣା କେନ୍ଦ୍ର ପାଇଁ ଭୂବିଜ୍ଞାନରେ ୪ ନମ୍ବର ସ୍ଥାନରେ ସେ ମନୋନୀତ ହୋଇଛନ୍ତି। ତାଙ୍କ ସହ ମନୋନୀତ ୨୦ ଜଣଙ୍କ ମଧ୍ୟରେ ଓଡ଼ିଶାର ଆଉ ଜଣେ ଛାତ୍ର କେନ୍ଦୁଝର ଜିଲ୍ଲାର ଚନ୍ଦନ କୁମାର ମହାପାତ୍ର ମଧ୍ୟ ରହିଛନ୍ତି।

ସୁନ୍ଦରଗଡ଼ ପୌରାଞ୍ଚଳ ରଙ୍ଗାଢିପାର ବିଧବା ମା’ ରଂଜନା ଦାସଙ୍କ ପୁଅ କ୍ରୀଷ୍ଣଚନ୍ଦ୍ରଙ୍କୁ ଏଥିପାଇଁ କମ୍‌ ସଂଘର୍ଷ କରିବାକୁ ପଡ଼ିନାହିଁ। ବାପା ସୁଶାନ୍ତ ଦାସ ବନବିଭାଗରେ କିରାଣି ଭାବେ ଚାକିରି କରୁଥିଲେ। ପିଲାଦିନୁ ମେଧାବୀ ଥିଲେ ସେ । କୌଣସି ବିଷୟକୁ ସେ କେବଳ ପଢ଼ୁ ନଥିଲେ, ବିଷୟ ଭିତରକୁ ଯାଇ ଘଣ୍ଟାଚକଟା କରିବାକୁ ତାଙ୍କୁ ଭଲ ଲାଗୁଥିଲା। ଅଙ୍କ ତାଙ୍କ ପ୍ରିୟ ବିଷୟ ଥିଲା। ଦଶମରେ ପଢ଼ିଲା ବେଳେ ତାଙ୍କ ଉପରେ ପଢ଼ୁଥିବା କଲେଜ ପିଲାଙ୍କୁ ମଧ୍ୟ ଗଣିତ ବୁଝାଇ ଦେଉଥିଲେ ବୋଲି କହନ୍ତି ତାଙ୍କ ସହପାଠୀ ସୁବ୍ରତ କୁମାର କାଲୋ। ୨୦୧୧ରେ ସୁନ୍ଦରଗଡ଼ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ମାଟ୍ରିକ ଶେଷ କରିବା ପରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରେ ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପଢ଼ିଥିଲେ ସେ। ୨୦୧୬ରେ ଆଇଆଇଟି ଜାମ୍‌ ପରୀକ୍ଷା ଦେଇ ସର୍ବଭାରତୀୟସ୍ତରରେ ଷଷ୍ଠ ଓ ଓଡ଼ିଶାରେ ପ୍ରଥମ ସ୍ଥାନ ପାଇ ମୁମ୍ବାଇସ୍ଥିତ ଭାରତୀୟ ବୈଷୟିକ ପ୍ରତିଷ୍ଠାନକୁ ଏମ୍‌ଏସ୍‌ ପଢ଼ିବାକୁ ଗଲେ। ସେଠାରେ ପଢ଼ୁଥିବା ବେଳେ ୨୦୧୭ ଅଗଷ୍ଟରେ ବାପାଙ୍କ ମୃତ୍ୟୁ ହୋଇଥିଲା। ପ୍ରଚଣ୍ଡ ଆଘାତ ପାଇଥିଲେ ସେ। କ୍ରୀଷ୍ଣଚନ୍ଦ୍ର ଏତେ ଭାଙ୍ଗି ପଡ଼ିଥିଲେ ଯେ, ବାପାଙ୍କ ଅନ୍ତ୍ୟେଷ୍ଟିକ୍ରିୟାକୁ ଆସିଲା ବେଳେ ପଢ଼ା ଛାଡ଼ିଦେବା କଥା ଚିନ୍ତା କରୁଥିଲେ ସେ। ତେବେ ମା ତାଙ୍କୁ ମୁମ୍ବାଇ ଯିବାକୁ ବାଧ୍ୟ କରିଥିଲେ। ପାରମାଣବିକ ଗବେଷଣା ପାଠ୍ୟକ୍ରମକୁ ମନୋନୀତ ହେବାର ସଫଳତା ପାଇଁ କ୍ରୀଷ୍ଣଚନ୍ଦ୍ର ନିଜ ସ୍ବର୍ଗତ ବାପା ଓ ମା’ଙ୍କ ତ୍ୟାଗ ଓ ଭୂତତ୍ତ୍ବବିଜ୍ଞାନୀ ଡ. ତାପସ କୁମାର ବିଶ୍ବାଳଙ୍କୁ ଶ୍ରେୟ ଦେଇଛନ୍ତି। ମାଟି ପାଇଁ ଗୌରବ ଆଣିଥିବା କ୍ରୀଷ୍ଣକାନ୍ତଙ୍କ ସଫଳତା ସୁନ୍ଦରଗଡ଼ବାସୀଙ୍କ ଆଖ‌ିରେ ଖୁସି ଭରି ଦେଇଛି।

The post ଓଡ଼ିଶା ପାଇଁ ଗୌରବ ଆଣିଲେ ସୁନ୍ଦରଗଡ଼ର ପୁଅ କ୍ରୀଷ୍ଣଚନ୍ଦ୍ର : ଭାବା ଆଣବିକ ଗବେଷଣା କେନ୍ଦ୍ରକୁ ମନୋନୀତ first appeared on Sambad.


No comments

Powered by Blogger.