ଖାଲି ପିଜି ସିଟ୍ ପାଇଁ ହେବ ନାମଲେଖା
ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକରେ ଖାଲିଥିବା ପିଜି(ସ୍ନାତକୋତ୍ତର) ସିଟ୍ ପୂରଣ ଲାଗି ସ୍ପଟ୍ ନାମଲେଖା ଅନୁଷ୍ଠିତ ହେବ। ୯ ତାରିଖ ପୂର୍ବାହ୍ନ ୧୧ଟାରୁ ୧୨ ତାରିଖ ଅପରାହ୍ଣ ୨ଟା ମଧ୍ୟରେ ସ୍ପଟ୍ ନାମଲେଖା ଲାଗି ଛାତ୍ରଛାତ୍ରୀ କମନ୍ ଆପ୍ଲିକେସନ ଫର୍ମ(ସିଏଏଫ୍) ଦାଖଲ କରିପାରିବେ। ୧୫ ତାରିଖ ପୂର୍ବାହ୍ନ ୧୧ଟାରେ ମେଧାବୀ ତାଲିକା ପ୍ରକାଶ ପାଇବ। ଜାନୁଆରି ୧୬, ୧୮, ୧୯ ଓ ୨୦ ତାରିଖରେ ମେଧା ତାଲିକାରେ ଥିବା ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ/କଲେଜରେ ରିପୋର୍ଟିଂ କରିପାରିବେ। ୨୧ ଓ ୨୨ ତାରିଖରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ, ପେମେଣ୍ଟ ଓ ନାମଲେଖା ଅନୁଷ୍ଠିତ ହେବ। ୨୩ ତାରିଖ ଅପରାହ୍ଣ ୫ଟାରେ ସାମ୍ସ ପୋର୍ଟାଲରେ ଡାଟା ଅପ୍ଡେସନ୍ ହେବ। ଏହାପରେ ଯଦି ସିଟ୍ ଖାଲି ଥିବ ତେବେ ରିପୋର୍ଟିଂରେ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ଜାନୁଆରି ୩୧ ମଧ୍ୟରେ କରାଯାଇପାରିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
ଯେଉଁ ପ୍ରାର୍ଥୀମାନେ ପୂର୍ବ ନାମଲେଖା ପ୍ରକ୍ରିୟାରେ ମନୋନୀତ ହୋଇଥିବେ, ନାମ ଲେଖାଇଥିବେ ଏବଂ ମନୋନୀତ ହୋଇଥିଲେ ମଧ୍ୟ ପ୍ରଥମ, ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ଚୟନରେ ନାମ ଲେଖାଇ ନ ଥିବେ ସେମାନେ ସ୍ପଟ୍ ନାମଲେଖା ପାଇଁ ଆବେଦନ କରିପାରିବେ। ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ଦେଇଥିଲେ ମଧ୍ୟ କୌଣସି ପର୍ଯ୍ୟାୟରେ ଚୟନ ହୋଇ ନ ଥିବେ, ପ୍ରବେଶିକା ପରୀକ୍ଷା ଦେଇଥିବେ କିନ୍ତୁ କୌଣସି କାରଣ ଲାଗି ସ୍ନାତକ ମାର୍କ ଅପଲୋଡ୍ କରି ନ ଥିବା ଛାତ୍ରଛାତ୍ରୀ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ। ସିଏଏଫ୍ ଫି’ ଜମା କରିବାର କୌଣସି ଆବଶ୍ୟକତା ନାହିଁ। ଯେଉଁମାନେ ଜମା କରିବାରେ ବିଫଳ ହୋଇଥିଲେ ଏବଂ ସେମାନଙ୍କୁ ପ୍ରବେଶିକା ପରୀକ୍ଷା ଦେବା ଲାଗି ଅନୁମତି ଦିଆଯାଇଥିଲା, ସେମାନେ ନାମଲେଖା ସମୟରେ ସମ୍ପୃକ୍ତ କଲେଜ ଓ ବିଶ୍ବବିଦ୍ୟାଳୟରେ ସିଏଏଫ୍ ଫି’ ଦାଖଲ କରିପାରିବେ।
ପ୍ରାର୍ଥୀମାନେ ଯେଉଁ ବିଷୟରେ ପ୍ରବେଶିକା ପରୀକ୍ଷା ଦେଇଥିବେ ନୂଆ ଶିକ୍ଷାନୁଷ୍ଠାନ ପାଇଁ ବିକଳ୍ପ ଦେଇପାରିବେ। କେବଳ ଯୋଗ୍ୟତା(କ୍ୟାରିଅର୍ ମାର୍କ ସହ ସିପିଇଟି ମାର୍କ) ଆଧାରରେ ପ୍ରାର୍ଥୀ ଚୟନ କରାଯିବ। ସ୍ପଟ୍ ନାମଲେଖା ଲାଗି କୌଣସି ସ୍ଲାଇଡ୍ ଅପ୍ ବିକଳ୍ପ ରହିବ ନାହିଁ। ବିଷୟ ଅନୁଯାୟୀ ଖାଲିଥିବା ପଦବୀର ତିନି ଗୁଣ ମେଧାବୀ ତାଲିକା ପ୍ରସ୍ତୁତ ଓ ପ୍ରକାଶିତ ହେବ। ପ୍ରାର୍ଥୀଙ୍କୁ ଏସଏମ୍ଏସ୍ ମାଧ୍ୟମରେ ଅବଗତ କରାଯିବ। ସେମାନେ ଷ୍ଟୁଡେଣ୍ଟ ଲଗ୍ଇନ୍ ମାଧ୍ୟମରେ ବି ଜାଣିପାରିବେ। ଆବଶ୍ୟକ ସଂଖ୍ୟକ ସଂରକ୍ଷଣ ବ୍ୟବସ୍ଥା ଜାରି ରହିବ। ରିପୋର୍ଟ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯଦି ଆବଶ୍ୟକତା ଅନୁଯାୟୀ ବିଭିନ୍ନ ସଂରକ୍ଷଣ ବର୍ଗର ପ୍ରାର୍ଥୀ ଉପଲବ୍ଧ ନ ଥିବେ ସେକ୍ଷେତ୍ରରେ ବିଶ୍ୱବିଦ୍ୟାଳୟ/କଲେଜଗୁଡ଼ିକ ସେମାନଙ୍କ ସ୍ତରରେ ସିଟ୍ ସଂରକ୍ଷଣ ବ୍ୟବସ୍ଥାକୁ ହଟାଇବା ସହ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବେ। ମନୋନୀତ ପ୍ରାର୍ଥୀ ନିର୍ଦ୍ଦିଷ୍ଟ ତାରିଖ ଅନୁଯାୟୀ ରିପୋର୍ଟ କରିବେ। ବିଶ୍ୱବିଦ୍ୟାଳୟ/କଲେଜଗୁଡ଼ିକ ସେମାନଙ୍କ ଉପସ୍ଥାନ, ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇଡି ରଖିବେ। ରିପୋର୍ଟ ତାରିଖ ଓ ସମୟ ବନ୍ଦ ହେବା ପରେ ବିଶ୍ୱବିଦ୍ୟାଳୟ/କଲେଜଗୁଡ଼ିକ ଖାଲିଥିବା ସ୍ଥାନଗୁଡିକ ବିରୋଧରେ ଚୟନ ତାଲିକା ପ୍ରସ୍ତୁତ କରିବେ। ଯଦି ଜଣେ ପ୍ରାର୍ଥୀ ଏକାଧିକ ଶିକ୍ଷାନୁଷ୍ଠାନ/ବିଷୟବସ୍ତୁରେ ମନୋନୀତ ହୁଅନ୍ତି, ତେବେ ସେ କେବଳ ଗୋଟିଏ ଚୂଡାନ୍ତ କରିବେ। ଅନ୍ୟ ବିକଳ୍ପକୁ ବାଦ୍ ଦେବେ। ନାମଲେଖାର ୭ ଦିନ ମଧ୍ୟରେ ୟୁଏଲ୍ସି/ସିଏଲ୍ସି ଦାଖଲ କରିବାକୁ କୁହାଯାଇଛି। ସିଏଲ୍ସି/ୟୁଏଲ୍ସି ବଦଳରେ ଯଦି ପ୍ରାଥୀ ମାଇଗ୍ରେସନ୍ ସାର୍ଟିଫିକେଟ୍ ଦାଖଲ କରିଥାନ୍ତି ତାହାକୁ ଗ୍ରହଣ କରାଯିବ।
The post ଖାଲି ପିଜି ସିଟ୍ ପାଇଁ ହେବ ନାମଲେଖା first appeared on Sambad.
No comments