Header Ads

Header ADS

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ : ଢେଙ୍କାନାଳରେ ବିଜେଡି-ବିଜେପି ପତିଆରା ଲଢ଼େଇ


ଢେଙ୍କାନାଳ, (ପ୍ରସନ୍ନ ପଟ୍ଟନାୟକ) : ଅତୀତରେ କଂଗ୍ରେସର ଗଡ଼ କୁହାଯାଉଥିବା ଢେଙ୍କାନାଳ ଜିଲ୍ଲାରେ ବିଜେଡି ଦୀର୍ଘ ବର୍ଷ ଧରି ଗାଦିମାଡ଼ି ବସିଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ଗୁରୁତ୍ବ ଦେଇ ବିଜେଡି ଯେନତେନ ପ୍ରକାରେ ଦଳକୁ ସଜାଡ଼ି ମୁକୁଟ ହାତରୁ ଖସି ନ ଯିବା ପାଇଁ ଲାଗିପଡ଼ିଛି। ଆଗକୁ ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ବିଜେଡି ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି। ବିଜେପି ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ସକ୍ରିୟତା ଜାହିର୍‌ କରିଆସୁଛି। ତେବେ, କଂଗ୍ରେସ ଏନେଇ ପଛରେ ପଡ଼ିଥିବା ଦେଖିବାକୁ ମିଳିଛି।

‌ଢେଙ୍କାନାଳ ଜିଲ୍ଳାରେ ୪ଟି ବିଧାନସଭା, ଗୋଟିଏ ଲୋକସଭା କ୍ଷେତ୍ର, ଗୋଟିଏ ପୌର ପରିଷଦ, ୩ଟି ବିଜ୍ଞାପିତ ଅଞ୍ଚଳ, ୨୧୨ଟି ପଞ୍ଚାୟତ,୨୭ଟି ଜିଲ୍ଲା ପରିଷଦ ଆସନ ରହିଛି। ଜିଲ୍ଲାରେ କଂଗ୍ରେସ ଦୁର୍ଗକୁ ଭାଙ୍ଗିବା ପାଇଁ ବିଜେପି ଓ ବିଜେଡିକୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିଥିଲା। ଢେଙ୍କାନାଳକୁ କଂଗ୍ରେସର ଦୁର୍ଗ କରିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବ୍ରିଗେଡିୟର ରାଜା କାମାକ୍ଷା ପ୍ରସାଦ ସିଂହଦେଓ ୨୦୦୦ ମସିହା ସାଧାରଣ ନିର୍ବାଚନରେ ଶେଷ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେବେଠାରୁ କଂଗ୍ରେସକୁ ସଂପୂର୍ଣ୍ଣ ରାସ୍ତାରୁ ହଟେଇବା ପାଇଁ ଷଡ଼୍‌ଯନ୍ତ୍ର ଆରମ୍ଭ ହୋଇଥିଲା। ସେତେବେଳେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ହାୱା ବୋହୁଥିବା ବେଳେ ବିଜେପି ଓ ବିଜେଡି ମେଣ୍ଟ ମଧ୍ୟ ରହିଥିଲା। ଶ୍ରୀ ସିଂହଦେଓ ନିଜ ପ୍ରତିଭା ଓ ଦକ୍ଷତାକୁ ପାଥେୟ କରି ତାଙ୍କୁ ସାମ୍‌ନା କରିଥିବା ‌ମେଣ୍ଟ ପ୍ରାର୍ଥୀ ତଥାଗତ ତଥାଗତଙ୍କୁ ମାତ୍ର ୩ ହଜାର ଭୋଟରେ ପଛରେ ପକାଇ ଜିତାପଟ ନେଇଥିଲେ। ତେବେ ୨୦୦୪ ମସିହା ସାଧାରଣ ନିର୍ବାଚନରେ ବିଜେପି -ବିଜେଡି ମେଣ୍ଟ ପକ୍ଷରୁ ତଥାଗତ ସତପଥୀ ପୁନର୍ବାର ପ୍ରାର୍ଥୀ ହୋଇ ଲକ୍ଷାଧିକ ଭୋଟରେ ଶ୍ରୀ ସିଂହଦେଓଙ୍କୁ ଧରାଶାୟୀ କରିଥିଲେ। ତା’ପରଠାରୁ କଂଗ୍ରେସର ମଙ୍ଗୁଆଳ ସାଜିଥିବା ଶ୍ରୀ ସିଂହଦେଓ ମଙ୍ଗ ଛାଡ଼ି ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ। ଫଳରେ କଂଗ୍ରେସ ମୁରବିଶୂନ୍ୟ ହୋଇ ଦୁର୍ବଳ ହୋଇପଡ଼ିଥିଲା। ଦୀର୍ଘ ୧୫ ବର୍ଷ ପରେ ଶ୍ରୀ ସିଂହଦେଓ ନିଜର ବାର୍ଦ୍ଧକ୍ୟତାକୁ ପଛରେ ପକେଇ ଦଳକୁ ସଜାଡ଼ିବା ପାଇଁ ୨୦୧୯ ସାଧାରଣ ନିର୍ବାଚନ ଲଢିଥିଲେ ମଧ୍ୟ ମୁରବି ଶୂନ୍ୟ ଦଳ କଂଗ୍ରେସ ଆଉ ଭୋଟରଙ୍କ ଆସ୍ଥାଭାଜନ ହୋଇପାରିନଥିଲା। ଯେଉଁଥିପାଇଁ ଶ୍ରୀ ସିଂହଦେଓ ତୃତୀୟ ସ୍ଥାନରେ ରହିଥିଲେ। ଅତୀତରେ ତାଳଚେର ଓ ପାଲଲହଡ଼ାର ବିଧାୟକ ରହିଥିବା ମହେଶ ସାହୁ ବିଜେଡିରୁ ଢେଙ୍କାନାଳ ସଂସଦ କ୍ଷେତ୍ରରେ ସେହିବର୍ଷ ନିର୍ବାଚନ ଲଢି ବିଜୟୀ ହୋଇଥିଲେ।

ଅତୀତରେ ବିଜେଡିରୁ ୪ଥର ଢେଙ୍କାନାଳ ସାଂସଦ ହୋଇଥିବା ତଥାଗତ ସତପଥୀ ସେହିବର୍ଷ ରାଜନୀତିରୁ ସନ୍ନ୍ୟାସ ନେଲେ ବୋଲି ଘୋଷଣା କରିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ୪ଟି ଯାକ ବିଧାନସଭା ନିର୍ବାଚନୀମଣ୍ଡଳୀରେ ବିଜେଡି କ୍ଷମତାକୁ ଆସିଥିଲେ। ସେତେବେଳେ ବିଜେପି ବହୁ ଚେଷ୍ଟା କରି ଗୋଟିଏ ବି ଆସନ ହାତେଇ ପାରିନଥିଲେ ମଧ୍ୟ ସବୁ ସ୍ଥାନରେ କଡ଼ା ଟକ୍କର ଦେଇଥିଲା। ତା’ପରେ ଅନୁଷ୍ଠିତ ନିର୍ବାଚନରେ ୨୭ଟିଯାକ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୧୨ଟି ଆସନ ବିଜେପି ଛଡ଼ାଇ ଆଣିଥିବା ବେଳେ ବିଜେଡି ମାତ୍ର ୧୫ଟି ଆସନରେ ସନ୍ତୁଷ୍ଟ ହୋଇଥିଲା। ସେବେଠାରୁ ଆଗକୁ ଆସୁଥିବା ପଞ୍ଚାୟତ, ପୌର ଏବଂ ଜିଲ୍ଲା ପରିଷଦ ଓ ସାଧାରଣ ନିର୍ବାଚନ ପାଇଁ ବିଜେପି ଜୋର୍‌ଦାର କସରତ ଆରମ୍ଭ କରିଛି।

କେନ୍ଦ୍ର ଶାସନାଧୀନ ବିଜେପିର ବରିଷ୍ଠ ନେତା, ମନ୍ତ୍ରୀମାନେ ଥରକୁ ଥର ଢେଙ୍କାନାଳ ଗସ୍ତରେ ଆସି ବିଭିନ୍ନ ସଭା, ସମାବେଶ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ନିଜର ପତିଆରାକୁ ଜାହିର୍ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଗତ ଡିସେମ୍ବର ୨୬ ତାରିଖରେ ଦଳ ପକ୍ଷରୁ ଆୟୋଜିତ ଚାଷୀ ସମାବେଶରେ ବିଜେପିର କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ, କନକବର୍ଦ୍ଧନ ସିଂହଦେଓ, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ପ୍ରମୁଖ ନିଜର ପତିଆରା ବଢାଇବା ପାଇଁ କେନ୍ଦ୍ର ସରାକରଙ୍କ ଯୋଜନାଗୁଡ଼ିକୁ ସଭାରେ ଦୋହରାଇଥିଲେ।

ଉଭୟ ଦଳ ପକ୍ଷରୁ ବାରମ୍ବାର ମିଶ୍ରଣ ଓ ପରିବର୍ଦ୍ଧିତ ବୈଠକ କରାଯାଇ ନୂତନ ସମୀକରଣ ପାଇଁ ଲାଗି ପଡିଛନ୍ତି। ବିଜେପି କେନ୍ଦ୍ର ସରକାର ଓ ବିଜେଡି ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟଗୁଡିକୁ ଢାଲ କରି ଆଗକୁ ଆସୁଥିବା ନିର୍ବାଚନ ନିମନ୍ତେ ଗୋଟିଚାଳନା ପାଇଁ ସଜବାଜ ହେଉଛନ୍ତି।

The post ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ : ଢେଙ୍କାନାଳରେ ବିଜେଡି-ବିଜେପି ପତିଆରା ଲଢ଼େଇ first appeared on Sambad.


No comments

Powered by Blogger.