Header Ads

Header ADS

ଟର୍କି କୁକୁଡା ଫାର୍ମ ବ୍ୟବସାୟ କରି ଚର୍ଚ୍ଚାରେ ମାଲକାନଗିରିର ବୈକୁଣ୍ଠ ବୈରାଗୀ


ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ପ୍ରାୟତଃ ବହୁ ଲୋକେ ବ୍ରଏଲର କୁକୁଡା ଫାର୍ମ, ଛେଳି ଫାର୍ମ, ଗାଈ ଫାର୍ମ ଇତ୍ୟାଦି କରି ବ୍ୟବସାୟ କରିଥାନ୍ତି। କିନ୍ତୁ ଟର୍କି କୁକୁଡା ଫାର୍ମ କରି ବ୍ୟବସାୟ କରିବା ପ୍ରାୟତଃ ଲୋକେ ଭାବି ନଥାନ୍ତି।  ଏଭଳି ଏକ ଦୁଃସାହସିକ ପଦକ୍ଷେପ ନେଇଛନ୍ତି ମାଲକାନଗିରି ନିକଟସ୍ଥ ଏମଭି-୭ ଗ୍ରାମର ବୈକୁଣ୍ଠ ବୈରାଗୀ। ବୈକୁଣ୍ଠଙ୍କ ପୁଅ ଯିଏ କି ବିଟେକ ଇଂଜିନିୟର ଏହଂ ତାଂତକ ଦୁଇ ପୁତୁରା ଏହି ବ୍ୟବସାୟ କରିବା ପାଇଁ ଇଛା ପ୍ରକଟ କରିଥିଲେ। ସୁଦୁର ଆନ୍ଧ୍ରପ୍ରଦେଶରୁ ଦୁଇଟି ଟର୍କି ଚିଆଁ କିଣି ଆଣି ତାକୁ ପ୍ରଥମେ ପାଳିଥିଲେ। ଏହି ଦୁଇ ଟର୍କି ଚିଆଁ ବଡ ହେବା ପରେ ଅଣ୍ଡା ଦେଇଥିଲେ। ଭେଟେନାରୀ ବିଭାଗର ଅଧିକାରୀଙ୍କ ସହ ସାକ୍ଷାତ କରି ଟର୍କି କୁକୁଡା ଦେଇଥିବା ଅଣ୍ଡାରୁ ଛୁଆ ଜନ୍ମ କରାଯାଇଥିଲା।

ତେବେ ପ୍ରାୟ ୨୦ଟି ଟର୍କି ଛୁଆ କୌଣସି କାରଣରୁ ମରିଯାଇଥିଲେ। ପରେ ଭେଟେନାରୀ ବିଭାଗର ଡାକ୍ତର ବୈକୁଣ୍ଠଙ୍କ ଘରକୁ ଆସି ଟର୍କିକୁ ଚିକିତ୍ସା କରିବା ପରେ ସେମାନଙ୍କର ବଂଶ ବୃଦ୍ଧି ହୋଇଥିଲା। ଏବେ ପ୍ରାୟ ଚାଳିଶିରୁ ଉର୍ଦ୍ଧ୍ବ ଟର୍କି କୁକୁଡା ବୈକୁଣ୍ଠଙ୍କ ନିକଟରେ ରହିଛି। ଗୋଟିଏ ଗୋଟିଏ ଟର୍କି କୁକୁଡାର ଓଜନ ପ୍ରାୟ ପାଞ୍ଚ କିଲୋ ରହିଛି। ଅଣ୍ଡିରା ଟର୍କି କୁକୁଡାର ଓଜନ ଦଶ କିଲୋ ପର୍ଯ୍ୟନ୍ତ ରହିଛି। ଟର୍କି କୁକୁଡା କିଲୋ ପ୍ରତି ୫ ଶହ ଟଂକା ବିକ୍ରି ହେଉଥିବା ବେଳେ ଏହାର ଚାହିଦା ମଧ୍ୟ ବେଶ ରହିଥିବା ଦେଖିବାକୁ ମିଳୁଛି।

ବିଶେଷକରି ଆନ୍ଧ୍ର, ଛତିଶଗଡ, ଉତ୍ତର ପ୍ରଦେଶ ଇତ୍ୟାଦି ଜାଗାରେ ଟର୍କି ଫାର୍ମକରି ବହୁ ବ୍ୟବସାୟୀ ଲାଭବାନ ହୋଇପାରିଥିବା କୁହାଯାଇଛି।ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ଏହି ବ୍ୟବସାୟକୁ ଆପଣେଇଛନ୍ତି ବୈକୁଣ୍ଠ ଏବଂ ତାଂକ ପରିବାର। ପରିବାରର ସମସ୍ତ ସଦସ୍ୟ ଏହାର ଲାଳନ ପାଳନରେ ସହଯୋଗ କରିଥାନ୍ତି। ଏପରିକି ଟର୍କି କୁକୁଡା ସହ କାଡକନାଥ ଏବଂ ଦେଶୀ କୁକୁଡା ମଧ୍ୟ ସାଥିରେ ପାଳନ କରୁଛନ୍ତି।ଗ୍ରାହକମାନଙ୍କ ଚାହିଦାକୁ ଦେଖି କୁକୁଡା ବିକ୍ରି କରିଥାନ୍ତି। ଗୋଟିଏ ଗୋଟିଏ ଟର୍କି ୨ ହଜାରରୁ ୩ ହଜାର ପର୍ଯ୍ୟନ୍ତ ବିକ୍ରି ହେଉଛି। ତେବେ ଏହାକୁ ବଢାଇବା ପାଇଁ ବହୁ କସରତ କରିବାକୁ ପଡୁଥିବା ବୈକୁଣ୍ଠ କହନ୍ତି।

ସରକାରୀ ସହୟତା ହେଲେ ଆଗକୁ ସେ ଏହି ବ୍ୟବସାୟକୁ ସାରା ମାଲକାନଗିରି ଜିଲ୍ଲାରେ ଆରମ୍ଭ କରିବେ ବୋଲି କହନ୍ତି। ଅର୍ଥାଭାବ ଯୋଗୁଁ ଏହାକୁ ବର୍ତ୍ତମାନ ମାଲକାନଗିରି ସହରରେ ହିଁ ସିମିତ ରଖାଯାଇପାରିବ। ଏହାର ବ୍ୟବସାୟ ଏବେ ଆରମ୍ଭ କରାଯାଇ ନାହିଁ। ବର୍ତ୍ତମାନ ଅଣ୍ଡା ଫୁଟାଇବା ପାଇଁ ବାହାର ରାଜ୍ୟରୁ ମେସିନ ଅଣାଯାଇଛି। ଏଥିସହ ଘରର ସଦସ୍ୟମାନେ ମିଶି ଏକ ନିଜସ୍ବ ଅଣ୍ଡାରୁ ଛୁଆ ଜନ୍ମ କରିବା ମେସିନ ନିର୍ମାଣ କରିଛନ୍ତି। ଟର୍କି ସହ କଡକନାଥ କୁକୁଡାର ଚାହିଦା ମଧ୍ୟ ଅଧିକା ରହିଥିବାରୁ ଏହାକୁ ମଧ୍ୟ ସାଥିରେ ପାଳନ କରାଯାଉଛି। କଡକନାଥ କୁକୁଡା କିଲୋ ପ୍ରତି ହଜାର ଟଂକା ରହିଥିବାରୁ ଏଥିରେ ବେଶ ଲାଭ ହେବ ବୋଲି ସେ କହନ୍ତି। ଅର୍ଥ ଅଭାବରୁ କୁକୁଡା ଘର ନିର୍ମାଣ କରାଯାଇପାରୁନାହିଁ। ଏମାନଙ୍କ ପାଇଁ ସ୍ବତନ୍ତ୍ର ଘର ନିର୍ମାଣ କରିବା ସହ ଏମାନଙ୍କର ଖାଦ୍ୟ ପାଇଁ ମଧ୍ୟ ବେଶ ଖର୍ଚ୍ଚ ହେଉଛି। କୃଷି ବିଭାଗ କିମ୍ବା ପଶୁ ବିଭାଗ ତରଫରୁ ଏନେଇ ସହଯୋଗ କରାଯାଇଥିଲେ ଆଗକୁ ବ୍ୟବସାୟ ବଢିବା ସହ ସବୁ ସ୍ଥାନରେ ଏହା ଉପଲବ୍ଧ ହୋଇପାରନ୍ତା ବୋଲି ବୈକୁଣ୍ଠ କହନ୍ତି। ଟର୍କି ଭଳି ଏକ ବିରଳ ବ୍ୟବସାୟ କରି ବୈକୁଣ୍ଠ ଏବେ ମାଲକାନଗିରିରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

The post ଟର୍କି କୁକୁଡା ଫାର୍ମ ବ୍ୟବସାୟ କରି ଚର୍ଚ୍ଚାରେ ମାଲକାନଗିରିର ବୈକୁଣ୍ଠ ବୈରାଗୀ first appeared on Sambad.


No comments

Powered by Blogger.