Header Ads

Header ADS

ଫୁଲବାଣୀ ସବୁଠୁ ଥଣ୍ଡା ସହର


ଭୁବନେଶ୍ବର : ରାଜ୍ୟର ତାପମାତ୍ରା ଏବେ ଧୀରେଧୀରେ ଖସିବାରେ ଲାଗିଛି। ଶୀତ ବି ବଢ଼ିଛି। ଫୁଲବାଣୀ ୫.୮ ଡିଗ୍ରି ସହ ପୁଣି ଥରେ ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରିଛି। ଆଜି ରାଜ୍ୟର ୬ ସହର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଥିବା ବେଳେ ୮ ସହର ତାପମାତ୍ରା ୧୨ ଡିଗ୍ରି ତଳକୁ ଖସିଛି। ଏଥିସହ ରାଜ୍ୟର ପ୍ରାୟ ଅଞ୍ଚଳ ବିଳମ୍ବିତ ସମୟ ପର୍ଯ୍ୟନ୍ତ କୁହୁଡ଼ି ଚାଦରରେ ଢାଙ୍କି ହୋଇ ରହୁଛି।

ଆଜି ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯାଇଥିଲା। ତେବେ ଜଗତସିଂହପୁର, କଟକ ଓ ଭଦ୍ରକ ଆଦି ଜିଲ୍ଲାରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିଲା। ଅନ୍ୟପଟେ ଝାରସୁଗୁଡ଼ିରେ ପ୍ରବଳ ଶୀତ ଲହରି ପ୍ରବାହ ଯୋଗୁଁ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୫ ଡିଗ୍ରି ତଳକୁ ଖସି ଆସିଥିଲା।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି, ଆଜି ବି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ର‌ା ୫.୮ ଡିଗ୍ରି ରେକର୍ଡ ହୋଇଛି। ଝାରସୁଗୁଡ଼ା ୭.୬ ଡିଗ୍ରି, ସୁନ୍ଦରଗଡ଼ ୮.୫ ଡିଗ୍ରି, ଦାରିଙ୍ଗବାଡ଼ି ୮ ଡିଗ୍ରି, କେନ୍ଦୁଝର ୯.୯ ଡିଗ୍ରି ଓ ବଲାଙ୍ଗୀର ୧୦ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ୬ ଜିଲ୍ଲାର ତାପମାତ୍ରା ୧୦ ଡିଗ୍ରି ତଳକୁ ରହିଛି। ଏଥିସହ ୮ଟି ଅଞ୍ଚଳର ତାପମାତ୍ର‌ା ୧୨ ଡିଗ୍ରି ତଳକୁ ରହିଛି। ଉପକୂଳ ଓଡ଼ିଶାର ତାପମାତ୍ରା ସ୍ବାଭାବିକ ରହିଥିବା ବେଳେ ଆଭ୍ୟନ୍ତର ଓଡ଼ିଶାର ତାପମାତ୍ରା ସ୍ବାଭାବିକଠାରୁ ୩ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଛି। ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଯାହାକି ରାଜଧାନୀର ସର୍ବନିମ୍ନ ସ୍ବାଭାବିକ ତାପମାତ୍ରା। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ପରିଲକ୍ଷିତ ହେବ ନାହିଁ। ଅର୍ଥାତ ଆଭ୍ୟନ୍ତର ଓଡ଼ିଶାରେ ସ୍ବାଭିବକ ସର୍ବନିମ୍ନ ତାପମାତ୍ରାଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା କମ୍‌ ରହିବ ଓ ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ରହିବ। ୨ ଦିନ ପରେ ରାଜ୍ୟକୁ ପୂର୍ବା ପବନ ବହିବା ଆରମ୍ଭ ହୋଇଯିବ। ଫଳରେ ଆଭ୍ୟନ୍ତର ଓଡ଼ିଶାର ତାପମାତ୍ରା ୨ ଦିନ ପରେ ପୁଣି ୨ରୁ ୩ ଡିଗ୍ରି ଏବଂ ଉପକୂଳରେ ୨ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ।

ଦାରିଙ୍ଗବାଡ଼ିରେ ତୁଷାରପାତ
ଦାରିଙ୍ଗବାଡ଼ି/ଘୁ.ଉଦୟଗିରି : ଓଡ଼ିଶାର କାଶ୍ମୀର ରୂପେ ପରିଚିତ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ପୁଣି ଶୀତରେ ଥରୁଛି। ଦୁଇଦିନ ହେବ ହଠାତ୍‌ ଦାରିଙ୍ଗବାଡ଼ିରେ ତାପମାତ୍ରା ହ୍ରାସ ପାଇ ୮ଡିଗ୍ରି ସେଲ୍‌ସିୟସ୍‌ରେ ପହଁଚିଛି। ତାପମାତ୍ରା ହ୍ରାସ ପାଇବା ଫଳରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବା ସହ ଦାରିଙ୍ଗବାଡ଼ି ଓ ଆଖପାଖ ଅଞ୍ଚଳରେ ତୁଷାରପାତ ହେଉଛି। ବ୍ଳକ୍‌ର ଆଭ୍ୟନ୍ତରୀଣ ଇଲାକା ସାଲେଜୁ, ପ୍ଲିହେରୀ, ତିଲୋରୀ, ବାଡ଼ାବାଙ୍ଗା, ଦନେକବଡ଼ି ଓ ସିମନବାଡ଼ି ଭଳି ଅନ୍ୟ ଅଞ୍ଚଳରେ ମଧ୍ୟ ତୁଷାରପାତ ହୋଇଥିବା ଜଣାପଡ଼ିଛି। ହଳଦୀପତ୍ର ଓ ପାଳଗଦା ଭଳି କେତେକ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ତୁଷାରପାତ ସହ ଅତ୍ୟଧିକ ଥଣ୍ଡା ଅନୁଭୂତ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁଷାରପାତ ଯୋଗୁଁ ଥଣ୍ଡାର ମାତ୍ରା ବୃଦ୍ଧି ପାଇବା ଫଳରେ ଦିନ ତମାମ କୋହଲା ପବନ ପ୍ରବାହିତ ହେଉଛି। ସକାଳୁ ସକାଳୁ ତୁଷାରପାତ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକ ଦାରିଙ୍ଗବାଡ଼ିରେ ହୋଇଥିବା ତୁଷାରପାତର ମଜା ନେଉଛନ୍ତି।

ସେହିପରି ଘୁ.ଉଦୟଗିରି ଓ ଏହାର ଆଖପାଖରେ ମଧ୍ୟ ସକାଳ ୮ଟା ପର୍ଯ୍ୟନ୍ତ କୁହୁଡ଼ି ଲାଗି ରହୁଛି। ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। କୁହୁଡ଼ି ଯୋଗୁଁ ରାସ୍ତାରେ ଗାଡିମଟର ଯାତାୟାତରେ ସମସ୍ୟା ସୃଷ୍ଟି ହେଉଥିବା ଜଣାପଡ଼ିଛି। ଗରିବ ଓ ଅସହାୟ ଲୋକ ଶୀତରୁ ରକ୍ଷା ପାଇବା ପାଇଁ ନିଆଁର ସାହାରା ନେଉଛନ୍ତି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଶୀତ ଜାରି ରହିବା ସହ ପାରଦ ଆହୁରି କମିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

The post ଫୁଲବାଣୀ ସବୁଠୁ ଥଣ୍ଡା ସହର first appeared on Sambad.


No comments

Powered by Blogger.