Header Ads

Header ADS

କୋଣାର୍କ : ବିଦ୍ୟାଳୟରେ ୪ କରୋନା ପଜିଟିଭ୍‌


କୋଣାର୍କ : ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ କୋଣାର୍କ ବସ୍‌ଷ୍ଟାଣ୍ଡ ନିକଟରେ ଥିବା କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟର ୪ ଜଣ କରୋନା ଦ୍ବାରା ଆକ୍ରା‌ନ୍ତ ହୋଇଛନ୍ତି। ଆକ୍ର‌ାନ୍ତଙ୍କ ମଧ୍ୟରେ ଜଣେ ଶିକ୍ଷକ, ଜଣେ ରୋଷେୟା ଓ ଦୁଇ ଜଣ ଛାତ୍ରଛାତ୍ରୀ ଅଛନ୍ତି।

ମିଳିଥିବା ସୂଚନାରୁ ଜଣାପଡ଼ିଛି, ସ୍କୁଲ ଖୋଲିବା ପୂର୍ବଦିନ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କ କୋଭିଡ଼ ପରୀକ୍ଷା କରାଯାଇଥିଲା। ପରୀକ୍ଷା ବେଳେ ଜଣେ ଶିକ୍ଷକ ଓ ରୋଷେୟା କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏବେ ଏହି ଶିକ୍ଷକ ଓ ରୋଷେୟା ଗୃହ ସଂଗରୋଧରେ ରହିଛନ୍ତି।

ଏବେ ବିଦ୍ୟାଳୟର ଛାତ୍ରାବାସରେ ପ୍ରାୟ ଶହେ ଜଣ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀ ରହୁଛନ୍ତି। ଏମାନଙ୍କ ବାଦ୍‌ ଦିବାଧ୍ୟାୟୀ ଛାତ୍ରଛାତ୍ରୀମାନେ ମଧ୍ୟ ନିୟମିତ ବିଦ୍ୟାଳୟକୁ ଆସୁଛନ୍ତି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଜଣେ ଅନ୍ତେବାସୀ ଛାତ୍ରୀ ଓ ଜଣେ ଦିବାଧ୍ୟାୟୀ ଛାତ୍ର ଅସୁସ୍ଥ ହୋଇପଡ଼ିବା ପରେ ସେମାନଙ୍କ କୋଭିଡ଼ ପରୀକ୍ଷା କରାଯାଇଥିଲା। ପରୀକ୍ଷା ପରେ ଏମା‌ନେ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ଖବର ଜଣାପଡ଼ିବା ପରେ ଏବେ କୋଣାର୍କରେ ପୁଣି କରୋନା ବ୍ୟାପିବା ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟ ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ କୋଭିଡ଼ ପରୀକ୍ଷା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି। ଏ ଦିଗରେ ଜିଲ୍ଲାପାଳ ଓ ପୁରୀ ଜିଲ୍ଲାମଙ୍ଗଳ ଅଧିକାରୀ ଦୃଷ୍ଟି ଦେଇ ବିହୀତ ପଦକ୍ଷେପ ନେବାଲାଗି ମତ ପ୍ରକାଶ ପାଇଛି। ମହାମାରୀ କରୋନା ପ୍ରଭାବରେ ଦୀର୍ଘ ନଅ ମାସ ସ୍କୁଲ ବନ୍ଦ ରହିବା ପରେ ଗତ ୮ ତାରିଖରେ ବିଦ୍ୟାଳୟ ଖୋଲାଯାଇଛି।

The post କୋଣାର୍କ : ବିଦ୍ୟାଳୟରେ ୪ କରୋନା ପଜିଟିଭ୍‌ first appeared on Sambad.


No comments

Powered by Blogger.