Header Ads

Header ADS

ଏଠି ଭୋକ, ସେଠି ମୃତ୍ୟୁ! ଦୁଃଖ, ଯନ୍ତ୍ରଣାରେ କଟୁଛି ଦାଦନ ଶ୍ରମିକଙ୍କ ଭାଗ୍ୟ


ବଡ଼ଗାଁ (ସୁନ୍ଦରଗଡ଼) : ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବଡ଼ଗାଁ ବ୍ଲକ୍‌ ସାହାଜବାହାଲ ପଞ୍ଚାୟତ ସେନ୍ଦ୍ରିଟାଙ୍ଗରର ରତ୍ନାକର ରୋହିଦାସ (୩୧) ଓ ପାମରା ପଞ୍ଚାୟତ କିଷାନପଡ଼ାର ଜଗଦୀଶ ଟପ୍ପୋ (୨୧) ଓ ପାମରା ମୁଡ଼ାପଡ଼ାର ଇସମାଇଲ ଟପ୍ପୋ। ସେମାନଙ୍କ ଭଳି ଅନେକ ଶ୍ରମିକ ଭୋକ ଦାଉରେ ଗାଁ ଛାଡ଼ି ଦାଦନ ଖଟିବାକୁ ଚାଲି ଯାଇଥିଲେ ଛତିଶଗଡ଼ ରାଜ୍ୟ ରାୟଗଡ଼ ସରେଇକେଲାକୁ। ସେଠାରେ ନବଦୁର୍ଗା ସ୍ପଞ୍ଜ କାରଖାନ‌ାରେ କାମ କରୁଥିଲେ। କିନ୍ତୁ ସେଠି ସେମାନଙ୍କୁ ଜଗିଥିଲା ମୃତ୍ୟୁ। କାରଖାନାର ଚିମିନି ନିଆଁରେ ଜଳିଗଲେ ରତ୍ନାକର ଓ ଜଗଦୀଶ। ଇସମାଇଲ ଗୁରୁତର ହୋଇ ହସ୍ପିଟାଲ ଶଯ୍ୟାରେ ଏବେ ମୃତ୍ୟୁ ସହ ଲଢ଼ୁଛନ୍ତି। ଦୁଇ ଦିନ ପରେ ମଧ୍ୟ ମୃତକଙ୍କ ଶବ ଗାଁକୁ ଫେରିପାରିନାହିଁ।

ଦୁର୍ଘଟଣାରେ ମୃତାହତ ଶ୍ରମିକମାନଙ୍କ ଦାଦନ ଖଟିଯିବା ପଛର କାହାଣୀ ବେଶ ଦୁଃଖଦ। ସେନ୍ଦ୍ରିଟାଙ୍ଗରର ସୁନ୍ଦରୀ ରୋହିଦାସଙ୍କ ବଡପୁଅ ରତ୍ନାକର। ଆଇଟିଆଇ ଓ ଡିପ୍ଲୋମା ପାଠ ସାରିଥିଲେ ହେଁ ଚାକିରି ଓ ରୋଜଗାର ଅଭାବରୁ କାରଖାନାର ଚିମିନି ସଫା ଭଳି ବିପଦ ପୂର୍ଣ୍ଣ କାମ କରିବାକୁ ଘରୁ ଗୋଡ଼ କାଢିଥିଲେ। ଘରେ ମା ପୁଅର ଅଫେରା ବାଟକୁ ଚାହିଁ ଗୁମୁରି ଗୁମୁରି କାନ୍ଦୁଛି। ସେହିପରି ଘରର ସାନପୁଅ ଜଗଦୀଶ ଟପ୍ପୋ ମଧ୍ୟ ରୋଜଗାର ପାଇଁ ଘର ଛାଡ଼ିଥିଲେ। ଶ୍ରମିକ ଇସମାଇଲଙ୍କ କାହାଣୀ ଆହୁରି ଦୁଃଖଦ। ସେ ଦାଦନ ଖଟିବାକୁ ଚାଲିଯିବା ପରେ ଘରେ ୩ ପିଲାଙ୍କୁ ଛାଡ଼ି ସ୍ତ୍ରୀ କୁଆଡ଼େ ଚାଲି ଯାଇଥିବାବେଳେ ଆଈମା ପିଲାଙ୍କ ଦେଖାଶୁଣା କରୁଛନ୍ତି। ତେବେ ତାଲାବନ୍ଦ ସମୟରେ କାରଖାନାରେ ତାଲା ପଡ଼ିଯିବାରୁ ଗାଁର ଅନ୍ୟ ଶ୍ରମିକମାନଙ୍କ ସହ ଘରକୁ ଫେରି ଆସିଥିଲେ ଏହି ଶ୍ରମିକମାନେ। ର୍ଦୀର୍ଘ ୮ ମାସ ଧରି ଘରେ ଖାଲିହାତରେ ପଡ଼ି ରହିଲେ। ଓଡ଼ିଶା ସରକାର ଶ୍ରମିକମାନଙ୍କ ହାତକୁ କାମ ଯୋଗାଇଦେବା ପାଇଁ ମହାତ୍ମାଗାନ୍ଧୀ ଗ୍ରାମ୍ୟ ନିଶ୍ଚିତ କର୍ମନିଯୁକ୍ତି ଆଇନ (ମନରେଗା)ରେ କାମ ଆରମ୍ଭ କରିଥିଲେ ମଧ୍ୟ ତାହା ପେଟର ଭୋକକୁ ମେଣ୍ଟାଇବାରେ ସହାୟକ ହୋଇ ନଥିଲା। ଗାଁର ଗରିବ ଶ୍ରମିକମାନଙ୍କୁ ହାତକୁ କାମ, ପେଟକୁ ଭାତ ଯୋଗାଇବାରେ ବିଫଳ ହୋଇଛି ବୋଲି କୁହାଯାଇପାରେ।

ମିଳିଥିବା ତଥ୍ୟାନୁସାରେ, ପାମରା ପଞ୍ଚାୟତରେ ୧୧୪୫ ପରିବାରର ୨୭୪୦ ଶ୍ରମିକ ମନରେଗାରେ ପଞ୍ଜିକୃତ ହୋଇଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଅର୍ଥାତ ଗତ ୨୦୨୦ ଏପ୍ରିଲ ଠାରୁ ୨୦୨୧ ଜାନୁଆରି ଆଜି ତାରିଖ ଯାଏ ୭୭୮ ପରିବାରର ୧୪୫୨ ଶ୍ରମିକ କାମ ମାଗିଥିଲେ। ସେଥିମଧ୍ୟରୁ ୬୪୦ ପରିବାରର ୧୦୩୨ ଜଣଙ୍କ ହାତକୁ ୩୪୩୯୫ ଶ୍ରମିଦିବସର କାମ ‌ଯୋଗାଇଦିଆଯାଇଛି।

ସେହିପରି ପୂରା ବଡ଼ଗାଁ ବ୍ଲକ୍‌କୁ ହିସାବକୁ ନେଲେ ୧୬୬୦୦ ପଞ୍ଜିକୃତ ପରିବାରର ୩୬୭୩୧ ଶ୍ରମିକଙ୍କ ମଧ୍ୟରୁ ଚଳିତ ଆର୍ଥିକ ବର୍ଷ ୧୨୦୦୧ ପରିବାର କାମ ମାଗିଥିଲେ। ସେଥିମଧ୍ୟରୁ ୯୪୧୩ ପରିବାରର ୧୪୬୬୩ ଶ୍ରମିକଙ୍କୁ ୫୩୪୪୯୪ ଶ୍ରମଦିବସ ଯୋଗାଇ ଦିଆଯାଇଛି। ବ୍ଲକରେ ୧୪୬୬୩ ଶ୍ରମିକଙ୍କ ମଧ୍ୟରୁ ମାତ୍ର ୧୨୩୫ ପରିବାରକୁ ଶହେ ଦିନର କାମ ଦିଆଯାଇଛି। ବିଡ଼ମ୍ବନା, କରୋନା କାଳରେ ରାଜ୍ୟ ସରକାର ଲୋକଙ୍କୁ ଦାଦନ ଖଟିଯିବାରୁ ନିବୃତ କରିବାକୁ ଆବଶ୍ୟକ ମୁତାବକ କାମ ଯୋଗାଇଦେବାକୁ ଘୋଷଣା କରିଥିବା ବେଳେ ପାମରା ଓ ସାହାଜବାହାଲର ଦୁଇ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ସରକାରୀ ଯୋଜନା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

The post ଏଠି ଭୋକ, ସେଠି ମୃତ୍ୟୁ! ଦୁଃଖ, ଯନ୍ତ୍ରଣାରେ କଟୁଛି ଦାଦନ ଶ୍ରମିକଙ୍କ ଭାଗ୍ୟ first appeared on Sambad.


No comments

Powered by Blogger.