Header Ads

Header ADS

ଯାଜପୁର : ହୀରକ ତ୍ରିଭୂଜ ଶ୍ରୀହୀନ, ପର୍ଯ୍ୟଟକଙ୍କ ଅଭ୍ୟର୍ଥନା କେନ୍ଦ୍ର ଭୂତକୋଠି


ଯାଜପୁର/ବାଲିକୁଦା/ରତ୍ନଗିରି : ଇତିହାସ ଓ ପୂର୍ବ ଗୌରବର ମୂକସାକ୍ଷୀ ରତ୍ନଗିରି-ଉଦୟଗିରି-ଲଳିତଗିରି ହୀରକ ତ୍ରିଭୁଜ ଏବେ ଶ୍ରୀହୀନ। ଆମର ଗୌରବମୟ ଇତିହାସ, ଐତିହ୍ୟ ଓ ପରମ୍ପରାର ଗବେଷଣା କରିବା ପାଇଁ ଦେଶବିଦେଶରୁ ଶହଶହ ପର୍ଯ୍ୟଟକ ଆମ ରାଜ୍ୟକୁ ଆସୁଛନ୍ତି। ଦେଶବିଦେଶରେ ଏହି ‌ବୌଦ୍ଧ କୀର୍ତ୍ତି ପାଇଁ ଆମ ରାଜ୍ୟର ସ୍ବତନ୍ତ୍ର ପରିଚୟ ରହିଛି। ବୌଦ୍ଧପୀଠ ହୀରକ ତ୍ରିଭୁଜର ବିକାଶ ପ୍ରତି ପର୍ଯ୍ୟଟନ ଓ ପତ୍ନତତ୍ତ୍ବ ବିଭାଗର ଚରମ ଅବହେଳା ବୁଦ୍ଧିଜୀବୀଙ୍କୁ ଆନ୍ଦୋଳିତ କରିଛି।

ଯାଜପୁର ଜିଲ୍ଲାର ଉଦୟଗିରି, ରତ୍ନଗିରି ଓ ସୀମାନ୍ତ କଟକ ଜିଲ୍ଲାର ଲଳିତଗିରି ତିନି ବୌଦ୍ଧ ପୀଠକୁ ନେଇ ହୀରକ ତ୍ରିଭୁଜ ନାମିତ ହୋଇଛି। କୋଣାର୍କ ଭଳି ବିଶ୍ବ ପ୍ରସିଦ୍ଧ କାରୁକାର୍ଯ୍ୟ ସହିତ ଲଳିତଗିରିରେ ଭଗବାନ ‌ବୁଦ୍ଧଙ୍କର ଅସ୍ଥି ରହିଛି। ଯାହାର ଦର୍ଶନ ଓ ଗଣେଷଣା ପାଇଁ ଚୀନ, ତିବତ, ନେପାଳ, ଫ୍ରାନ୍‌ସ ସମେତ ବିଭିନ୍ନ ଦେଶରୁ ଗବେଷକ ଓ ବୌଦ୍ଧ ଧର୍ମାବଲମ୍ବୀମାନେ ନିୟମିତ ଏଠାକୁ ଆସୁଛନ୍ତି। ବିଭିନ୍ନ ସମୟରେ ଅନ୍ତର୍ଜାତୀୟ ସମ୍ମିଳନୀ ମଧ୍ୟ ଏଠାରେ ହୋଇଆସୁଛି। ଅଥଚ ଏଠାରେ ରହଣି ଦୂରର କଥା ଶୌଚ ହେବା ପାଇଁ ମଧ୍ୟ ବ୍ୟବସ୍ଥା ନାହିଁ। ଦିନକୁ ଦିନ ଏହି ହୀରକ ତ୍ରିଭୁଜର ଶ୍ରୀ ତୁଟିଯାଉଛି।

ଉଦୟଗିରିରେ ଉଦିତ ସୂର୍ଯ୍ୟର ପ୍ରଥମ କିରଣ ପଡୁଥିବାରୁ ଏହାକୁ ଇଂରାଜୀରେ ସନ୍ ରାଇଜ୍ ହିଲ୍ କୁହନ୍ତି। ସବୁଜିମା ପରିବେଶ ଓ ନଦୀ ତଟ ସହିତ ଏଠାରେ ଆବିଷ୍କୃତ ପଥର ଖୋଦିତ ନିକ୍ଷୁଣ ମୂର୍ତ୍ତି, ଭଗବାନ ବୁଦ୍ଧଙ୍କର ବିଭିନ୍ନ ମୁଦ୍ରାରେ ଥିବା ପ୍ରତିମା, ପଥର ନିର୍ମିତ ବୌଦ୍ଧବିହାର ଓ ବିରଳ କାରୁକାର୍ଯ୍ୟ ପ୍ରଭୃତି ଐତିହ୍ୟକୁ ରୁଦ୍ଧିମନ୍ତ କରେ। ୧୯୮୫–୮୬ ମସିହାରେ ଭାରତୀୟ ପ୍ରତ୍ନତତ୍ତ୍ବ ସଂରକ୍ଷଣ ବିଭାଗ ପୀଠକୁ ନିଜ ନିଜ ହାତକୁ ନେଇ ଖନନ କାର୍ଯ୍ୟ ଆରମ୍ଭ କରିଥିଲା। ଖନନ ପରେ ଏଠାରୁ ସିଂହପ୍ରସ୍ତ ଓ ମାଧବପୁର ଦୁଇ ମହାବିହାର ଆବିଷ୍କୃତ ହୋଇଥିଲା। ଏହା ଅଷ୍ଟମ ଓ ନମବ ଶତାବ୍ଦୀର ବୋଲି ଅନୁମାନ କରାଯାଏ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ତିନିତିନି ଥର ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ମଧ୍ୟ ଏଠାରେ ଅନୁଷ୍ଠିତ ହୋଇଛି। ଲଳିତଗିରି ବୌଦ୍ଧ ପୀଠ ଖନନ ବେଳେ ରୁପା ଓ ସୁନା ଫରୁଆରୁ ମିଳିଥିବା ବୁଦ୍ଧଙ୍କର ଅସ୍ଥିକୁ ବୁଲେଟ୍‌ ପ୍ରୁଫ୍ ସଂଗ୍ରହାଳୟରେ ରଖାଯାଇଛି। ଭଗବାନ ବୁଦ୍ଧଙ୍କ ଅସ୍ଥି ଭୁବନେଶ୍ବର ନିଆଯାଇଥିଲା କିନ୍ତୁ ପ୍ରତିବାଦ ହେବାରୁ ଏଠାରେ ରଖାଯାଇଛି। ମାତ୍ର ଏହି ପୀଠର ବିକାଶ ହେଉନି।

ସେହିପରି ରତ୍ନଗିରି ବୌଦ୍ଧ ପୀଠ ସ୍ଥିତି ଅନୁରୂପ। ଏଠାରେ ମୁଖ୍ୟ ଆକର୍ଷଣ ମୁୁଗୁନି ପଥର କାରୁକାର୍ଯ୍ୟ ଦର୍ଶକ ଓ ଗବେଷକଙ୍କୁ ମନ୍ତ୍ରମୁଗଧ କରେ। ଏଠାରେ ଏକ ମ୍ୟୁଜିୟମ ରହିଛି। ଏହାବ୍ୟତୀତ ଅନେକ ବୌଦ୍ଧ ମୂର୍ତ୍ତି ଏବେ ବି ଗୋଦାମରେ ପଡ଼ି ରହିଛି। ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ପାଇଁ ହୋଇଥିବା ପାର୍କ ଧ୍ବଂସ ହୋଇଯାଇଛି। ସେହିପରି ଅତିଥିଙ୍କ ରହଣି ପାଇଁ ହୋଇଥିବା ତୋଷାଳୀ ପ୍ଲାଜାରେ ତାଲା ପଡ଼ିଛି। ପର୍ଯ୍ୟଟକଙ୍କ ରହଣି ପାଇଁ ନିର୍ମିତ ପତରାଜପୁରରେ ୨ଟି ଓ ଓଳାଶୁଣୀ ଠାରେ ୨ଟି ଅତିଥିଶାଳା ଏବେ ଭୂତକୋଠିରେ ପରିଣତ ହୋଇଛି। ଶ୍ରୀହୀନ ହୋଇପଡ଼ିଥିବା ହୀରକ ତ୍ରିଭୁଜର ବିକାଶ ପ୍ରତି ସରକାର ଦୃଷ୍ଟି ଦେବାକୁ ଜନମତ ପ୍ରକାଶ ପାଉଛି।

The post ଯାଜପୁର : ହୀରକ ତ୍ରିଭୂଜ ଶ୍ରୀହୀନ, ପର୍ଯ୍ୟଟକଙ୍କ ଅଭ୍ୟର୍ଥନା କେନ୍ଦ୍ର ଭୂତକୋଠି first appeared on Sambad.


No comments

Powered by Blogger.