Header Ads

Header ADS

ପ୍ରାଣ ନେଉଛି ପଶୁମାଂସ ଲୋଭ : ଗଞ୍ଜାମରେ ବନ୍ୟଜନ୍ତୁ ଶିକାର ପାଇଁ ଗଲାଣି ୫ ମଣିଷଙ୍କ ଜୀବନ


ବ୍ରହ୍ମପୁର, (ପ୍ରଦୀପ ସାହୁ): ଗଞ୍ଜାମ ଜିଲ୍ଲାରେ ବନ୍ୟଜନ୍ତୁ ଶିକାର ସୀମା ଲଂଘିଛି। ବନ୍ୟଜନ୍ତୁ ମାଂସ ଲାଳସା ଏବେ ମଣିଷ ଓ ଗୃହପାଳିତ ପଶୁଙ୍କ ଜୀବନ ପାଇଁ ବିପଦ ସାଜିଲାଣି। ଜିଲ୍ଲାରେ ବାର‌୍‌ହାଙ୍କ ଉପଦ୍ରବ ବୃଦ୍ଧି ପାଇଛି। ପ୍ରତିବର୍ଷ ବାର‌୍‌ହା ପଲପଲ ହୋଇ ଫସଲ ନଷ୍ଟ କରୁଛନ୍ତି। ଦୀର୍ଘବର୍ଷ ହେଲା ମଣିଷ ଓ ଏହି ବନ୍ୟଜନ୍ତୁ ମଧ୍ୟରେ ଲାଗିଥିବା ଏହି ଲଢେଇ ଏବେ ସଙ୍ଗିନ୍ ରୂପ ଧାରଣ କଲାଣି। ଏହି ଲଢ଼େଇରେ କେତେବେଳେ ମଣିଷ ତ ଆଉ କେତେବେଳ ବର୍‌ହା, ପୁଣି ବେଳେ ବେଳେ ଉଭୟେ ମରୁଛନ୍ତି।

ଗତ ବର୍ଷକ ଭିତରେ ଶିକାର ଲାଗି ବିଛା ଯାଇଥିବା ବିଦ୍ୟୁତ ତାରରେ ଲାଗି ୫ ମଣିଷଙ୍କ ଜୀବନ ଗଲାଣି। ଶିକାରୀ ମାନେ ଦିନକୁ ଦିନ ନୂଆ ନୂଆ କୌଶଳ ଅବଲମ୍ବନ କରୁଥିବା ପରିପ୍ରେକ୍ଷୀରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଏକଥା ବି ଦେଖାଗଲାଣି ଯେ ଶିକାରୀ ପଟାସ୍‌ ଓ ବୋମା ବ୍ୟବହାର କରୁଛନ୍ତି। ଏହି ବୋମା ଚୋବାଇ ଗତ ସପ୍ତାହରେ ଏକ ଗର୍ଭିଣୀ ଗାଈ ସମେତ ଦୁଇ ଗାଈଙ୍କ ମୃତ୍ୟୁ ହୋଇଥିଲା। ପୂର୍ବରୁ ଗୋଟିଏ ଭାଲୁ ଓ ୨ଟି କୁକୁରଙ୍କ ଜୀବନ ନେଇଥିଲା ଏହି ମୃତ୍ୟୁ ଫାଶ। ଜିଲ୍ଲାରେ ବାରମ୍ବାର ଏଭଳି ଘଟଣା ଘଟି ଚାଲିଥିଲେ ହେଁ ବନ ବିଭାଗ ଯେଭଳି ତତ୍ପରତା ଦେଖାଇବା କଥା ଦେଖାଯାଉନାହିଁ; ଯଦିଓ ଠୋସ୍ ତଥ୍ୟ ସେମାନଙ୍କ ସାମ୍ନାରେ ରହିଛି।

Naidunia

ନୂଆବର୍ଷ ଦିନ ବ୍ରହ୍ମପୁର ବନମଣ୍ଡଳ ଦିଗପହଣ୍ଡି ରେଞ୍ଜ୍‌ ରତନେଇ ସଂରକ୍ଷିତ ଜଙ୍ଗଲରୁ ଏକ ସମ୍ବର ଶିକାର ହୋଇଥିଲା। ସମ୍ବରକୁ ୬ଖଣ୍ଡ କରି ୧୭୫କେଜି ମାଂସ ଅଟୋରେ ନିଆ ଯାଉଥିବା ବେଳେ ଜବତ ହୋଇଥିଲା। ପରବର୍ତ୍ତୀ ସମୟରେ ସମ୍ବର ଚମଡ଼ା ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ସୂଚନା ନେବାରୁ ଜଣାଗଲା ଯେ ମାଂସ ନିକଟ ବଜାରରେ ଭାଗବାଣ୍ଟି ବିକ୍ରି କରାଯାଇଥିଲା।

ବନ୍ୟପ୍ରାଣୀ ଶିକାର ଅପରାଧ ହୋଇଥିଲେ ହେଁ ବିଦ୍ୟୁତ ତାର ଓ ବିସ୍ଫୋରକ ବ୍ୟବହାର କରି ବାର‌୍‌ହା ଶିକାର ବେଧଡ଼କ୍‌ ଚାଲିଥିବା ଦେଖିବାକୁ ମିଳୁଛି। ଗତ ୪ତାରିଖରେ ଖଲ୍ଲିକୋଟ ବ୍ଲକ ଅର୍ନ୍ତଗତ କେନ୍ଦୁପାଟ ଗ୍ରାମରେ ଏକ ଗାଈ ବିଲରେ ପଡ଼ିଥିବା ବୋମା ଚୋବାଇ ଦେବାରୁ ମୃତ୍ୟୁ ଘଟିଥିଲା। ୬ତାରିଖରେ କୁକୁଡ଼ାଖଣ୍ଡିରେ ବାର୍‌ହା ଶିକାର ପାଇଁ ଥିବା ‌ବୋମା ଚୋବାଇ ଆଉ ଏକ ଗର୍ଭିଣୀ ଗାଈର ମୃତ୍ୟୁ ଘଟିଥିଲା।

ସେହିଭଳି ୨୦୨୦ ମାର୍ଚ୍ଚରେ କୁକୁଡ଼ାଖଣ୍ତି ବ୍ଲକ ଗୁଣ୍ଠବନ୍ଧ ଗ୍ରାମରେ ବାର‌୍‌ହା ଶିକାର ଲାଗି ବିଛା ଯାଇଥିବା ବିଦ୍ୟୁତ ତାର ସ˚ସ୍ପର୍ଶରେ ଆସି ଦୁର୍ଯ୍ୟୋଧନ ମଳିକ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଗତ ଅଗଷ୍ଟ ୨୯ରେ ଗଞ୍ଜାମ ବ୍ଲକ୍‌ ଗଡ଼ହୁମ୍ମା ଗାଁରେ ବାର‌୍‌ହା ଶିକାର ଲାଗି ବିଛା ଯାଇଥିବା ବିଦ୍ୟୁତ ତାର ସ˚ସ୍ପର୍ଶରେ ଦୁଇ ଭାଇ ଲାଖି ଯାଇଥିଲେ। ଜଣଙ୍କର ମୃତ୍ୟୁ ଘଟିଥିଲା ଓ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ। ସେପ୍ଟେମ୍ବର ୪ରେ ହିଞ୍ଜିଳିକାଟୁର ସିଙ୍ଗିପୁର ଗ୍ରାମର ଦୁଇ ଭାଇ ରମେଶ ମୁନି ଓ ମଙ୍ଗଳୁ ମୁନିଙ୍କ ବିଲରେ ଲାଗିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିଲା। ସେପ୍ଟେମ୍ବରରେ ୨୩ରେ ଖଲ୍ଲିକୋଟ ପିତାଗାଡ଼ିଆ ଗ୍ରାମରେ ଦାଦା-ପୁତୁରା ମିଶି ବାରହା ଶିକାର ଲାଗି ନିକଟସ୍ଥ ଜଙ୍ଗଲରେ ବିଦ୍ୟୁତ ତାର ବିଛାଇଥିଲେ। ସେଥିରେ ଶିକାରୀ ନିଜେ ଶିକାର ହୋଇ ଯାଇଥିଲେ। ବିଦ୍ୟୁତ ତାର ସ˚ସ୍ପର୍ଶରେ ଆସି ରୁନୁ ପ୍ରାଧନ(୨୬)ଙ୍କ ମୃତ୍ୟୁ ଘଟିଥିବା ବେଳେ ଦାଦା ମାଗୁଣି ପ୍ରଧାନ ଗୁରୁତର ହୋଇଥିଲେ।

୨୦୨୦ ଅକ୍ଟୋବର ୧୩ରେ ବ୍ରହ୍ମପୁର ମାଣ୍ତିଆପଲ୍ଲି ମୋନାର୍କ ସରସ୍ବତୀ ଶିଶୁ ମନ୍ଦିର ପଛପାର୍ଶ୍ବ କିଆ ବୁଦାରୁ ୨ଟି ଅଣ୍ଡିରା ଓ ୫ଟି ମାଇ ବାର‌୍‌ହାଙ୍କ ଗଳିତ ଶବ ଉଦ୍ଧାର ହୋଇଥିଲା। ଶବ ବ୍ୟବଛେଦରୁ ବିଷାକ୍ତ ପଦାର୍ଥ ଖାଇ ବାର୍‌ହା ଗୁଡ଼ିକ ମୃତ୍ୟୁ ଘଟିଥିବା ଜଣା ପଡ଼ିଥିଲା। ତେବେ କେଉଁ ପରିସ୍ଥିତିରେ ବାର‌୍‌ହା ଜଙ୍ଗଲରୁ ଆସି ଜନବସତି ନିକଟ କିଆ ବୁଦାରେ ମଲେ ତା ଉପରୁ ବନ ବିଭାଗ ପରଦା ହଟାଇ ପାରିନାହିଁ। ବାର୍‌ହା ଗୁଡ଼ିକୁ ବିଷ ଦେଇ ହତ୍ୟା କରା ଯାଇଥିବା କୁହାଯାଉଛି।

The post ପ୍ରାଣ ନେଉଛି ପଶୁମାଂସ ଲୋଭ : ଗଞ୍ଜାମରେ ବନ୍ୟଜନ୍ତୁ ଶିକାର ପାଇଁ ଗଲାଣି ୫ ମଣିଷଙ୍କ ଜୀବନ first appeared on Sambad.


No comments

Powered by Blogger.