Header Ads

Header ADS

ଅପହୃତା ଯୁବତୀଙ୍କ ପତ୍ତା ମିଳୁନି : ବିଷ ପିଇ ମା’ ଆଇସିୟୁରେ


ଜଳେଶ୍ବର/ଲକ୍ଷ୍ମଣନାଥ : ୬ ଦିନ ହେଲା ଅପହୃତା ଯୁବତୀ ଝିଅର ପତ୍ତା ମିଳୁନି। ଘର ଲୋକେ ଏ ନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଅପହୃତାଙ୍କୁ ଏଯାଏ ପୁଲିସ ଉଦ୍ଧାର କରିପାରିନାହିଁ କି ଅପହର୍ତ୍ତାର ଟେର୍‌ ପାଇନି। ସେପଟେ ଝିଅକୁ ନ ପାଇ ଅପହୃତାଙ୍କ ମା ବିଷପିଇ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ ଏବେ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ଘଟଣାକୁ ନେଇ ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଳକ ନଛିମପୁର ଗାଁରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ନିଷ୍କ୍ରିୟତା ପ୍ରତିବାଦରେ ଗାଁ ଲୋକେ ଆଜି ଥାନା ଘେରାଉ କରିଛନ୍ତି।

ଜଳେଶ୍ବର ଥାନା ନଛିମପୁର ଗ୍ରାମର ଜଣେ ଯୁବତୀଙ୍କୁ ନିକଟସ୍ଥ ସାହାଡ଼ାପଡ଼ା ଗ୍ରାମର ବିଶ୍ବଜିତ ସେଣ ୬ ଦିନ ତଳେ ଅପହରଣ କରିନେଇ ଫେରାର ହୋଇଯାଇଛି। ଏ ନେଇ ପରିବାର ପକ୍ଷରୁ ଜଳେଶ୍ବର ଥାନାରେ ଅଭିଯୋଗ କରାଯାଇଥିଲା। ଅପହୃତା ଯୁବତୀଙ୍କୁ ଅନୈତିକ କାର୍ଯ୍ୟରେ ଲିପ୍ତ କରାଇବା ପାଇଁ ବିଶ୍ବଜିତ ଏପରି କରିଥିବା ପରିବାର ଲୋକ କହିଛନ୍ତି। ଏପରିକି ସେ ପିନ୍ଧିଥିବା ସୁନା ଅଳଙ୍କାର ଲୁଟିନେବା, ଦୁଷ୍କର୍ମ ଉଦ୍ୟମ ଓ ଯୁବତୀଙ୍କର ଅଙ୍ଗପ୍ରତ୍ୟଙ୍ଗ ବିକ୍ରି କରିବା ପାଇଁ ବିଶ୍ବଜିତ ଚେଷ୍ଟା କରିଥିବା ଅଭିଯୋଗ ଆଣିଛନ୍ତି ଯୁବତୀଙ୍କ ବାପା। ସେପଟେ ଏଭଳି ଅପରାଧିକ କାର୍ଯ୍ୟରେ ବିଶ୍ବଜିତକୁ ତାର ବାପା ସୁନୀଲ ସେଣ, କକା ଅନୀଲ ସେଣ, ଭାଇ ସତ୍ୟଜିତ ସେଣ, ଅଭିମନ୍ୟୁ ସେଣ, ହରିଶଙ୍କର ସେଣ, ରାମଶଙ୍କର ସେଣ ପ୍ରମୁଖ ସହଯୋଗ କରିଥିବା ନେଇ ଥାନାରେ ଯୁବତୀଙ୍କ ବାପା ଲିଖିତ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଥାନା କେସ ନଂ ୩/୨୧ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି।

ଅପରପକ୍ଷରେ ଝିଅକୁ ନପାଇ ଓ ପୁଲିସର ସ୍ଥାଣୁତା ପାଇଁ ଅପହୃତାଙ୍କ ମା ଗୁରୁବାର ବିଳମ୍ବିତ ରାତିରେ ମାନସିକ ଭାରସାମ୍ୟ ହରାଇ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏବେ ସେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲର ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ଆଜି ନଛିମପୁର ଗ୍ରାମବାସୀ ପୁଲିସ ବିରୋଧରେ ଅସନ୍ତୋଷ ଝାଡ଼ିଥିଲେ। ଝିଅକୁ ସୁରକ୍ଷିତ ଭାବେ ଫେରାଇ ଆଣିବା ସହିତ ଅଭିଯୁକ୍ତ ବିଶ୍ବଜିତ ଓ ତାର ପରିବାରକୁ ତୁରନ୍ତ ଗିରଫ କରିବା ଦାବିରେ ଅପହୃତାଙ୍କ ପରିବାର ସମେତ ଗାଁର ଶତାଧିକ ଲୋକ ଜଳେଶ୍ବର ଥାନା ଘେରାଉ କରିଥିଲେ।

ଥାନା ଆଇଆଇସି ମାନସ କୁମାର ଦେଓ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ଅଭିଯୁକ୍ତକୁ ଧରିବା ନିମନ୍ତେ ପୁଲିସର ଦୁଇଟି ଟିମ୍‌କୁ ପଶ୍ଚିମବଙ୍ଗର ଦାନ୍ତୁନ ଥାନା ଓ ଭୋଗରାଇ ବ୍ଲକର କମର୍ଦ୍ଦା ଅଞ୍ଚଳକୁ ପଠାଯାଇଥିବା କହିଥିଲେ। ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଅଭିଯୁକ୍ତକୁ ଗିରଫ କରିବା ସହିତ ଅପହୃତା ଯୁବତୀଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରାଯିବ ବୋଲି ଥାନା ଆଇଆଇସି ପ୍ରତିଶ୍ରୁତି ଦେବା ପରେ ସଂଧ୍ୟାରେ ଘେରାଉ ପ୍ରତ୍ୟାହୃତ ହୋଇଥିଲା। ଖବର ଲେଖା ହେବା ସୁଦ୍ଧା ଅଭିଯୁକ୍ତ ପରିବାରର ଚିନୁ ନାମକ ଜଣେ ଯୁବକକୁ ପୁଲିସ ଉଠାଇ ଆଣି ପଚରାଉଚୁରା ଆରମ୍ଭ କରିଥିବା ଜଣାପଡ଼ିଛି।

The post ଅପହୃତା ଯୁବତୀଙ୍କ ପତ୍ତା ମିଳୁନି : ବିଷ ପିଇ ମା’ ଆଇସିୟୁରେ first appeared on Sambad.


No comments

Powered by Blogger.