Header Ads

Header ADS

ଖୋଲିଲା ସ୍କୁଲ : ପ୍ରଥମ ଦିନରେ ଉପସ୍ଥାନ କମ୍


ଭୁବନେଶ୍ବର : ଦୀର୍ଘ ୧୦ ମାସ ପରେ ରାଜ୍ୟର ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟଗୁଡ଼ିକ ଆଜି ଖୋଲିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଦଶମ ଓ ଯୁକ୍ତ୨ ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ଅନୁମତି ଦିଆଯାଇଥିବାରୁ ସେମାନେ ଆସିଥିଲେ। ପ୍ରଥମ ଦିନରେ ଅଧିକାଂଶ ସ୍କୁଲରେ ଉପସ୍ଥାନ ବହୁତ କମ୍‌ ଥିଲା। ହାତଗଣତି ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିଥିଲେ। କେତେକ ଘରୋଇ ବିଦ୍ୟାଳୟ ଆଜି ଖୋଲି ନ ଥିବା ସୂଚନା ମିଳିଛି। ତେବେ ସମସ୍ତ ସରକାରୀ ବିଦ୍ୟାଳୟ ଆଜିଠାରୁ ଖୋଲିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ସ୍କୁଲ ଖୋଲିବା ସହ ଆଜିଠାରୁ ଦଶମ ଶ୍ରେଣୀ ପାଇଁ ‘ଶିକ୍ଷା ସରଳ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଶହେ ଦିନର ପାଠପଢ଼ା କେମିତି ହେବ, ସେନେଇ ନକ୍ସା ପ୍ରସ୍ତୁତ କରାଯାଇ ବିଦ୍ୟାଳୟଗୁଡ଼ିକୁ ଦିଆଯାଇଛି। ଏଥିରେ ଜାନୁଆରି ୮ରୁ ଏପ୍ରିଲ ୨୬ ପର୍ଯ୍ୟନ୍ତ କେଉଁ ବିଷୟ କେତେ ଦିନ ପଢ଼ାଯିବ ଓ କେତେଦିନ ରିଭିଜନ୍‌ ହେବ, ତାହା ଉଲ୍ଲେଖ ହୋଇଛି। ମୋଟ ଉପରେ ୧୫ସପ୍ତାହ କ୍ଲାସ ହେବ। ସେଥିମଧ୍ୟରୁ ସାହିତ୍ୟ ବିଷୟରେ ୫୭ଦିନ ପାଠପଢ଼ା ହେବାକୁ ଥିବା ବେଳେ ୩୪ ଦିନ ରିଭିଜନ୍‌ ଚାଲିବ। ୯ ଦିନ ବିଦ୍ୟାଳୟସ୍ତରରେ ପ୍ରି-ବୋର୍ଡ ପରୀକ୍ଷା ହେବ। ଇଂରାଜୀରେ ୬୩ ଦିନ ପାଠପଢ଼ା ଓ ୨୮ ଦିନ ରିଭିଜନ୍‌, ଗଣିତରେ ୮୪ ଦିନ ପାଠପଢ଼ା, ୪ ଦିନ ସନ୍ଦେହ ମୋଚନ, ୬ ଦିନ ଲେଖାଏଁ ଅଭ୍ୟାସ ପରୀକ୍ଷା ଓ ପ୍ରି-ବୋର୍ଡ ପରୀକ୍ଷା କରାଯିବ। ସେହିପରି ଜେନେରାଲ ସାଇନ୍ସ, ଏସ୍‌ଏସ୍‌ସି ପାଠ୍ୟକ୍ରମର କେଉଁ ବିଷୟ କେତେଦିନ ପଢ଼ାଯିବ, ତାହା ସ୍ଥିର ‌ହୋଇଛି। ୭୦ ପ୍ରତିଶତ ପାଠ୍ୟକ୍ରମ ଆଧାରରେ ‘ଶିକ୍ଷା ସରଳ’ କାର୍ଯ୍ୟସୂଚୀ ଜାରି ହୋଇଛି।

ସ୍କୁଲ ଖୋଲିବା ପରେ ମନ୍ତ୍ରୀ ଶ୍ରୀ ଦାଶ ଆଜି ରାଜଧାନୀର କେତେକ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ପରଖିଥିଲେ। କରୋନା ମୁକାବିଲା ନେଇ ସ୍କୁଲରେ ହୋଇଥିବା‌ ପ୍ରସ୍ତୁତି ସମ୍ପର୍କରେ ପଚାରିବା ସହ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଦାଶ କହିଛନ୍ତି ଯେ ପିଲାମାନେ ଆଗ୍ରହର ସହ ସ୍କୁଲ ଆସିବାକୁ ଅପେକ୍ଷା କରିଥିଲେ। ଆଜି ପ୍ରଥମ ଦିନ ହୋଇଥିବାରୁ ଉପସ୍ଥାନ ସାମାନ୍ୟ କମ୍‌ ରହିଛି। ଏସ୍‌ଓପି ଅନୁଯାୟୀ, ସ୍କୁଲ ଓ କଲେଜକୁ ଆସିବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯାଇନାହିଁ। ଯେଉଁମାନେ ସ୍କୁଲ ଆସିଛନ୍ତି, ସେମାନେ ସାଙ୍ଗରେ ଅଭିଭାବକଙ୍କ ସହମତିପତ୍ର ଆଣିଥିଲେ। ସ୍କୁଲ ଆସିବା ସମୟରେ ସାମାଜିକ ଦୂରତା ରକ୍ଷା, ସାନିଟାଇଜର ବ୍ୟବସ୍ଥା, ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଅନ୍‌ଲାଇନରେ ଯେଉଁ ପାଠପଢ଼ା ହୋଇଥିଲା, ସେହି କୋର୍ସକୁ ପୁଣିଥରେ ଅଫ୍‌ଲାଇନରେ ପଢ଼ାଯିବ। ସମସ୍ତ ପାଠ୍ୟକ୍ରମକୁ ୧୦୦ଦିନ ଭିତରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାବ୍ୟତୀତ ପ୍ରତି ରବିବାର ମଧ୍ୟ କ୍ଲାସ୍ ହେବ। ବିଭାଗ ପକ୍ଷରୁ ସବୁ ଜିଲ୍ଲାକୁ ନୋଡାଲ୍ ଅଫିସର ଯାଇଛନ୍ତି। ସେମାନେ ସ୍କୁଲ ଓ କଲେଜକୁ ଗସ୍ତ କରି କ’ଣ ସବୁ ଅଭାବ ଅସୁବିଧା ରହିଛି, ତାହାର ତଦାରଖ କରିଛନ୍ତି। ପିଲାଙ୍କ ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏସ୍‌ଓପିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି।

The post ଖୋଲିଲା ସ୍କୁଲ : ପ୍ରଥମ ଦିନରେ ଉପସ୍ଥାନ କମ୍ first appeared on Sambad.


No comments

Powered by Blogger.