Header Ads

Header ADS

ଚେକ୍ ନକଲ କରି କର୍ଣ୍ଣାଟକ ସମବାୟ ସଂସ୍ଥାର ୨.୮୭ କୋଟି ଠକେଇ : ବିଏମ୍‌ପି କନ୍‌ଷ୍ଟ୍ରକସନ୍‌ ନିର୍ଦ୍ଦେଶକଙ୍କୁ ବାନ୍ଧିଲା ଇଓଡବ୍ଲୁ


ରିମାଣ୍ଡରେ ଆଣି ଜେରା, ବ୍ୟାଙ୍କ କର୍ମଚାରୀଙ୍କ ସମ୍ପୃକ୍ତି ସନ୍ଦେହ

ଭୁବନେଶ୍ବର : ବ୍ୟାଙ୍କ ଚେକ୍ ନକଲ କରି ଆକାଉଣ୍ଟରୁ ୨ କୋଟି ୭୮ ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ରାଉରକେଲାରୁ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ, ରାଉରକେଲାସ୍ଥିତ ବିଏମପି ଆଣ୍ଡ ସନ୍ସ କନଷ୍ଟ୍ରକସନ୍ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ବାବୁ ମୂର୍ତ୍ତି ପିଲାଇ। ଗିରଫ ପରେ ତାଙ୍କୁ ରାଉରକେଲା ପାନପୋଷ କୋର୍ଟରେ ହାଜର କରାଯାଇଛି। ଏହା ପରେ ଅଭିଯୁକ୍ତଙ୍କୁ ତିନି ଦିନିଆ ରିମାଣ୍ଡରେ ଆଣି ଇଓଡବ୍ଲୁ ମାରାଥନ୍ ଜେରା ଆରମ୍ଭ କରିଛି। ଚେକ୍‌ କ୍ଲୋନିଂ କରିବା ପଛରେ ବ୍ୟାଙ୍କ କର୍ମଚାରୀ କିମ୍ବା ଆଉ କାହାର ସମ୍ପୃକ୍ତି ରହିଛି, ସେ ନେଇ ଖୋଳତାଡ଼ ଚାଲିଛି।

ଇଓଡବ୍ଲରୁ ମିଳିଥିବା ସୂଚନା ଅନୁସାରେ, ବ୍ୟାଙ୍କ ଅଫ୍ ଇଣ୍ଡିଆର ରାଉରକେଲା ବ୍ରାଞ୍ଚରେ ଅଭିଯୁକ୍ତ ବାବୁ ପିଲାଇଙ୍କର ଆକାଉଣ୍ଟ ରହିଛି। ସେହି ଶାଖାରେ କର୍ଣ୍ଣାଟକ ରାଜ୍ୟ ସମବାୟ ବିପଣନ ଫେଡେରେସନ୍‌ ଲିମିଟେଡ୍(କେଏସସିଏମଏଫଏଲ)ର ମଧ୍ୟ ଆକାଉଣ୍ଟ ରହିଛି। ଗତ ନଭେମ୍ବର ୩ ତାରିଖରେ ବାବୁ କର୍ଣ୍ଣାଟକ ରାଜ୍ୟ ସମବାୟର ଏକ ଚେକ୍ ଦାଖଲ କରି ନିଜ ଆକାଉଣ୍ଟକୁ ୨ କୋଟି ୮୭ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ। କାରବାର ଯାଞ୍ଚ ଚାଲୁଥିବା ବେଳେ ଏହି ଚେକ୍ ସନ୍ଦେହ ପରିସରକୁ ଆସିଥିଲା। ନଭେମ୍ବର ୨୦ ତାରିଖରେ ବ୍ୟାଙ୍କ ପକ୍ଷରୁ ଏ ନେଇ କର୍ଣ୍ଣାଟକ ସମବାୟ ସଂସ୍ଥା ସହ ଯୋଗାଯୋଗ କରିଥିଲେ। କିନ୍ତୁ ତାଙ୍କର ଏଭଳି ଚେକ୍ ଦିଆଯାଇ ନଥିବା କର୍ଣ୍ଣାଟକ ସମବାୟ ସଂସ୍ଥା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ କରିଥିଲେ। ଏ ନେଇ ଗତ ୫ ତାରିଖରେ ବ୍ୟାଙ୍କ ପକ୍ଷରୁ ଇଓଡବ୍ଲୁରେ ଅଭିଯୋଗ କରାଯାଇଥିଲା। ଇଓଡବ୍ଲୁ ତଦନ୍ତ କରିବା ପରେ ଜାଣିବାକୁ ପାଇଥିଲା, ଯେଉଁଦିନ ଏହି ଠକେଇ କରାଯାଇଛି, ସେହିଦିନ ବାବୁ ମୂର୍ତ୍ତି ପିଲାଇଙ୍କ ବିଏମପି ଆଣ୍ଡ ସନ୍ସ କନଷ୍ଟ୍ରକସନ୍ ପ୍ରାଇଭେଟ ଲିମିଟେଡ୍ କମ୍ପାନି ଆକାଉଣ୍ଟକୁ ୨ କୋଟି ୬୦ ଲକ୍ଷ ଟଙ୍କା ଟଙ୍କା ଆସିଥିଲା। ବାକି ଟଙ୍କା ଭିତରୁ ନିଜ ନିକଟ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ୨୩ ଲକ୍ଷ ଏବଂ ଋଣ ବାବଦରେ ୫ ଲକ୍ଷ ଟଙ୍କା ପରିଶୋଧ କରାଯାଇଛି। ଏହା ପରେ ଗତକାଲି ବାବୁ ମୂର୍ତ୍ତିଙ୍କୁ ଇଓଡବ୍ଲୁ ଗିରଫ କରିବା ସହ ସେହି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଦେଇଛି। ଅସଲି ଚେକ୍‌କୁ କେମିତି କ୍ଲୋନିଂ କରାଗଲା? କେଉଁଠି ଏହାକୁ ସ୍କାନିଂ କରାଯାଇଛି? ଏହା ପଛରେ ବ୍ୟାଙ୍କ କର୍ମଚାରୀ କିମ୍ବା ଆଉ କାହାର ହାତ ରହିଛି କି? ସେ ନେଇ ଇଓଡବ୍ଲୁ ଅଧିକ ଖୋଳତାଡ଼ ଜାରି ରଖିଛି। ବାବୁ ମୂର୍ତ୍ତିଙ୍କୁ ଜେରାରୁ ଏହା ସ୍ପଷ୍ଟ ହେବ ବୋଲି କୁହାଯାଉଛି।

The post ଚେକ୍ ନକଲ କରି କର୍ଣ୍ଣାଟକ ସମବାୟ ସଂସ୍ଥାର ୨.୮୭ କୋଟି ଠକେଇ : ବିଏମ୍‌ପି କନ୍‌ଷ୍ଟ୍ରକସନ୍‌ ନିର୍ଦ୍ଦେଶକଙ୍କୁ ବାନ୍ଧିଲା ଇଓଡବ୍ଲୁ first appeared on Sambad.


No comments

Powered by Blogger.