Header Ads

Header ADS

ସ୍ୱାସ୍ଥ୍ୟ ସମ୍ବାଦ : ସେରେବ୍ରାଲ ପାଲସି


ସେରେବ୍ରାଲ ପାଲସି ବା ସଂକ୍ଷେପରେ ସିପି, ଶିଶୁ ମାନଙ୍କର ଏକ ସ୍ନାୟୁ ଦୁର୍ବଳ ଜନିତ ରୋଗ। ଯାହାକି ସାଧାରଣତଃ ପିଲାମାନଙ୍କଠାରେ ଚଳନ ଜନିତ ସମସ୍ୟା ସୃଷ୍ଟି କରିଥାଏ। ସାଧାରଣତଃ ଏକ ଶିଶୁ ଜନ୍ମ ପରେ ୨ ମାସରେ ବେକ ସିଧା ରଖିବା, ୫ ମାସରେ ପେଟେଇବା, ୬ ମାସରେ ବସିବା, ୯ମାସରେ ଗୁରୁଣ୍ଡିବା, ୧୧ ମାସରେ ଛିଡା ହେବା, ୧୫ରୁ ୧୮ମାସ ମଧ୍ୟରେ ଚାଲିବା ଆରମ୍ଭ କରିଥାଏ। କିନ୍ତୁ ସିପିରେ ପୀଡିତ ଶିଶୁ ଏହି ଗୁରୁତ୍ୱପୂର୍ଣ ଜୀବନସ୍ତର ଗୁଡିକୁ ବିଳମ୍ବରେ ହାସଲ କରିଥାନ୍ତି। ମସ୍ତିଷ୍କର ଯେଉଁ ଅଂଶ ଶରୀରର ଚଳନ, ଭାରସାମ୍ୟ ଓ ସଂସ୍ଥିତିକୁ ନିୟନ୍ତ୍ରଣ କରେ ତାହାର ଗଠନ ଅସ୍ୱାଭାବିକ ହେଲେ ବା ଏହା ଆଘାତପ୍ରାପ୍ତ ହେଲେ ସେରେବ୍ରାଲ ପାଲସି ହୋଇଥାଏ। ଅଧିକାଂଶ ସମୟରେ ଏହା ଗର୍ଭାବସ୍ଥା ହିଁ ହୋଇଥାଏ। ୭୦ ପ୍ରତିଶତ ଜନ୍ମ ସମୟରେ ଅସୁବିଧା ଓ ଜନ୍ମ ପରବର୍ତ୍ତୀ ସମସ୍ୟା (ସଂକ୍ରମଣ, ମେନିଜାଇଟିସ) ମଧ୍ୟ ଏହାର ଅନ୍ୟାନ୍ୟ କାରଣ ହୋଇଥାଏ। ଅପକ୍ଵ ଜନ୍ମ, କମ ଓଜନ ଥିବା ନବଜାତ, ଗର୍ଭାବସ୍ଥାରେ ସଂକ୍ରମଣ ବି ଏହାର ମୁଖ୍ୟ କାରଣ। ଜିନ୍‌ଗତ ତ୍ରୁଟି ପ୍ରାୟତଃ ୨ରୁ୩ ଶତକଡା କ୍ଷେତ୍ରରେ ମିଳିଥାଏ।

ଏହାର ମୁଖ୍ୟ ଲକ୍ଷଣ ଗୁଡିକ ହେଲା : ସମନ୍ୱୟରେ ଅସୁବିଧା, ଦ୍ରୁଢ ମାଂସପେଶୀ ଏବଂ କଂପନ, ଏହା ବ୍ୟତୀତ ବାରମ୍ବାର ବାତ ମାରିବା (ଫିଟ୍‌ସ), କଥା କହିବା ଡେରି ହେବା, କଥା ଅସ୍ପଷ୍ଟ ହେବା, ପାଟିରୁ ଲାଳ ବାହାରିବା, ଧି ଶକ୍ତି କମିଯିବା ମଧ୍ୟ ଦେଖା ଯାଇଥାଏ। ସାଧାରଣତଃ ଏହା ଏକ ସ୍ଥିର ମସ୍ତିଷ୍କ ସ୍ନାୟୁ ଦୁର୍ବଳତା, ଯାହାକି ସମୟ କ୍ରମରେ ଅଧିକ କ୍ଷତି କରି ନ ଥାଏ। ସିପି ଶିଶୁ ମାନଙ୍କର ଲକ୍ଷଣକୁ ଭିତ୍ତିକରି ଏହାକୁ ଡାକ୍ତରୀ ବିଜ୍ଞାନରେ ବର୍ଗିକରଣ କରାଯାଇଥାଏ। ଯେପରିକି ଅନମନୀୟ ମାଂସପେଶୀ, ଅସମନ୍ୱୟ, ଆଥେଟଏଡ ସିପି ଇତ୍ୟାଦି।

ଏହି ରୋଗର ନିଦାନ ପାଇଁ ମସ୍ତିଷ୍କ ଇମେଜିଂ, ଇଇଜି, ରକ୍ତ ପରୀକ୍ଷା ଇତ୍ୟାଦି କରାଯାଇଥାଏ। ରୋଗ ଚି଼ହ୍ନଟ ହେଲା ପରେ ଏହାର ଉପଲବ୍ଧ ଚିକିତ୍ସା କରାଯାଇଥାଏ। ଯଦିଓ ଏହି ରୋଗ ଆରୋଗ୍ୟସାଧ୍ୟ ନୁହେଁ ତଥାପି ଏହାର ଔଷଧ ଏବଂ ଅସ୍ତ୍ରୋପଚାର ଦ୍ୱାରା ଉପକାର ମିଳିଥାଏ। ବୁଦ୍ଧି ଶକ୍ତି, ବାକ ଶକ୍ତିର ଚିକିତ୍ସା ମଧ୍ୟ ଆବଶ୍ୟକ। ଅସ୍ତ୍ରୋପଚାର କରି ମାଂସପେଶୀ ଲମ୍ବା କରାଯାଇପାରେ। ଚିକିତ୍ସା ଅପେକ୍ଷା ଏହାର ପ୍ରତିକାର ଗୁରୁତ୍ୱପୂର୍ଣ୍ଣ।

ସ୍ନାୟୁରୋଗ ବିଶେଷଜ୍ଞ
ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ

The post ସ୍ୱାସ୍ଥ୍ୟ ସମ୍ବାଦ : ସେରେବ୍ରାଲ ପାଲସି first appeared on Sambad.


No comments

Powered by Blogger.